ଆକାଶରୁ ଅଗ୍ନିବର୍ଷା ହେଉଛି । ସତେ ଯେମିତି ଏହି ଶ୍ରମିକମାନେ ସରକାରଙ୍କ ସାବତ ପୁଅ

ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) ଭୁବନେଶ୍ୱର  :- ଆକାଶରୁ ଅଗ୍ନିବର୍ଷା ହେଉଛି । ଝାଞ୍ଜିରେ ମୁହଁ ପୋଡ଼ି ହୋଇଗଲା ଭଳି ଲାଗୁଛି । ଖରା ତାତି ସହି ନ ପାରି ପଥଚାରୀ ସଂଜ୍ଞା ହରାଉଛନ୍ତି। ରାଜଧାନୀର ତାତି ୭୩ ବର୍ଷର ରେକର୍ଡ ଭାଙ୍ଗୁଛି । ଭୁବନେଶ୍ବର ବିଶ୍ବର ଉତ୍ତପ୍ତ ସହର ପାଲଟିଯାଉଛି । ଏଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ମୁଣ୍ଡଫଟା ଖରାରେ ଲୋକଙ୍କୁ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ସତର୍କ କରୁଛି । କିନ୍ତୁ ଏଭଳି ଅଂଶୁଘାତୀ ଖରାରେ ଶ୍ରମିକମାନେ ରାଜଧାନୀର ରାଜରାସ୍ତାରେ ମରାମତିଠୁ ନେଇ ବିଭିନ୍ନ ନିର୍ମାଣ କାମ କରୁଛନ୍ତି। ପୁରୁଷ ମହିଳା ନିର୍ବିଶେଷରେ ହାଡ଼ଭଙ୍ଗା ଖଟଣିରୁ ସେମାନଙ୍କର ନିସ୍ତାର ନାହିଁ । ସତେ ଯେମିତି ଏହି ଶ୍ରମିକମାନେ ସରକାରଙ୍କ ସାବତ ପୁଅ । ସେମାନଙ୍କ ଜୀବନର କୌଣସି ମୂଲ୍ୟ ନାହିଁ ।
ଉତ୍କଳ ବିଶ୍ବବିଦ୍ୟାଳୟ ପରିସର

ଖଣ୍ଡଗିରି ଫ୍ଲାଏଓଭର୍‌ରେ ଶ୍ରମିକମାନେ ଡହଡହ ଖରାରେ ପିଚୁ ପକା କାମ କରୁଥିବାବେଳେ ବାଣୀବିହାରରେ ସମାବର୍ତ୍ତନ ଉତ୍ସବ ପାଇଁ ଉପରାଷ୍ଟ୍ରପତି ଆସିବାକୁ ଥିବାରୁ କିଛି ମହିଳା ଓ ପୁରୁଷ ଘାସ ସଫେଇ କରିବାଠୁ ଆରମ୍ଭ କରି ଦେବୀ ସରସ୍ବତୀଙ୍କ ମୂର୍ତ୍ତିକୁ ରଙ୍ଗ ଦେଇ ଚକାଚକ୍ କରୁଥିଲେ। ସେହିଭଳି ଭରତପୁରସ୍ଥିତ ପଟାସ ଛକରେ ବିଏସ୍‌ଏନ୍‌ଏଲ୍‌ ଟେଲିକମ୍ କମ୍ପାନିର କେବଲିଂ କାମ ଚାଲିଥିବାରୁ ଜଣେ ମହିଳାଙ୍କ ସମେତ ୩ଜଣ ଶ୍ରମିକ ରାସ୍ତା ଖୋଳିବାରେ ବ୍ୟସ୍ତ ଥିଲେ। ରାଜମହଲ ଛକରେ ଫୁଟ୍‌ୱେ ପାଇଁ ନୂଆ ଟାଇଲ୍ ବିଛା ହେବାକୁ ଥିବାରୁ ରାସ୍ତା କଡ଼ରେ ସିମେଣ୍ଟ୍ ଫେଣ୍ଟା ଯାଉଥିଲା। ସେହିଭଳି ଖାରବେଳନଗରସ୍ଥିତ ଦୃଷ୍ଟିହୀନ ସଂଘ କାର୍ଯ୍ୟାଳୟ ଗଳିରେ ଦଶରୁ ଅଧିକ ଶ୍ରମିକ ଡ୍ରେନ୍ ନିର୍ମାଣ କାମରେ ବ୍ୟସ୍ତ ଥିଲେ। ସହିଦନଗର ଜନପଥରେ ବିଏସ୍‌ସିଏଲ୍ ଅଧୀନରେ ସ୍ମାର୍ଟ ରାସ୍ତା ବ୍ୟବସ୍ଥା ହେଉଥିବାରୁ ନୂଆ କରି ଫୁଟ୍‌ପାଥ୍ ନିର୍ମାଣ କାମ ଚାଲିଥିଲା ।

ସକାଳୁ ସକାଳୁ ମଣିଷ ହାଟରେ ବିକ୍ରି ହୋଇ ଆସିଥିବା ଏହି ମଣିଷମାନେ ଖରାକୁ ଖାତିର୍ ନକରି ପେଟ ପାଇଁ ନିଜକୁ ବାଲି, ଗୋଡ଼ି, ସିମେଣ୍ଟ କାମରେ ସତେ ଯେମିତି ନିଜକୁ ହିଁ ଫେଣ୍ଟି ଚାଲିଥିଲେ। ସହିଦନଗର ଜନପଥ ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଲକ୍ଷ୍ୟ କରି ଗତ ଫେବ୍ରୁଆରି ୨୪ ତାରିଖରେ ଏସ୍‌ଆର୍‌ସି ପ୍ରଦୀପ ଜେନା ଯେଉଁ ଗାଇଡ୍‌ଲାଇନ୍ ଜାରି କରିଥିଲେ, ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ ଗ୍ରୀଷ୍ମ ପ୍ରବାହ ତୀବ୍ର ହେଉଥିବା ପିକ୍ ଆୱାର୍‌ରେ ଶ୍ରମିକମାନଙ୍କୁ କାମରେ ନିୟୋଜିତ ନ କରି ସେମାନଙ୍କ କାର୍ଯ୍ୟ ନିର୍ଘଣ୍ଟକୁ ବଦଳାଯିବ। ଏହାଛଡ଼ା ଶ୍ରମିକଙ୍କୁ ନିୟୋଜିତ କରିଥିବା ସଂସ୍ଥାମାନେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଓ ଓଆର୍‌ଏସ୍‌ର ବ୍ୟବସ୍ଥା କରିବେ ଏବଂ କର୍ମସ୍ଥଳୀ ନିକଟରେ ବିଶ୍ରାମସ୍ଥଳର ବ୍ୟବସ୍ଥା ଥିବ । ଇଏସ୍‌ଆଇ କିମ୍ବା ଶ୍ରମ ବିଭାଗ ଏସବୁ ତଦାରଖ କରିବେ ମାତ୍ର ଆଜି ବାସ୍ତବ ଚିତ୍ର ଥିଲା ଭିନ୍ନ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version