କମିଶନରେଟ ପୋଲିସ୍ କୁ ମିଳିଲା ବଡ଼ ସଫଳତା – ପୋଲିସ୍ କବଜାରେ ୭ ଜଣ ହାର୍ଡକୋର୍ ଅପରାଧି

ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର)  କଟକ :-  କଟକ ସହରରେ ବିଭିନ୍ନ ଅପରାଧିକ କାର୍ଯ୍ୟ ପାଇଁ କରୁଥିଲେ ବନ୍ଧୁକ ଡିଲ୍। ଏସବୁକୁ କଟକ ଡିସିପି ଙ୍କ ଅଫିସ୍ ରେ ପ୍ରେସମିଟ୍ ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୋଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ। ସିପି ଙ୍କ ସୂଚନା ଅନୁଯାୟୀ ଏହି ୭ ଅପରାଧି କାଳିଆବୁଦା ସ୍ଥିତ ଗୁରୁକ୍ଷେତ୍ର ପଡିଆ ଠାରେ ବେଆଇନ ବନ୍ଧୁକ ଡିଲ୍ କରୁଥିଲେ। ଏକ ବିଶେଷ ସୁତ୍ରରୁ ଖବର ପାଇ ଡିସିପି ପ୍ରତୀକ ସିଂ ଙ୍କ ତତ୍ତ୍ୱାବଧାନରେ ଏ ସି ପି ଅମରେନ୍ଦ୍ର ପଣ୍ଡା,ଚାଉଳିଆଗଞ୍ଜ ଥାନା ଅଧିକାରୀ ତାପସ ପ୍ରଧାନ ଏବଂ ତାଙ୍କ ଟିମ୍ ବନ୍ଧୁକ କାରାବାର ହେଉଥିବା ସ୍ଥାନରେ ଅତର୍କିତ ରେଡ୍ କରିଥିଲେ।

ଆଉ ସେଠାରେ ଉପସ୍ଥିତ ଥିବା ୭ ଜଣ ଅପରାଧିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ୭ ଜଣ ଅପରାଧିଙ୍କ ମଧ୍ୟରୁ କେନ୍ଦ୍ରାପଡା ର ବିଜୟ ନାୟକ ଏବଂ କଟକର ଜଗା ଓରଫ୍ ଜଗନ୍ନାଥ ଦାସ ଭେଟେରାନ୍ କ୍ରିମିନାଲ୍ ବୋଲି ଜଣାପଡିଛି। ବିଜୟ ଗ୍ୟାଙ୍ଗଷ୍ଟାର ଟିଟୋର ଘନିଷ୍ଠ ବୋଲି ସୂଚନା ଦେଇଛନ୍ତି କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ତେବେ ପୋଲିସ୍ ର ରେଡ୍ ବେଳେ ଅପରାଧିଙ୍କ ନିକଟରୁ ମୋଟ୍ ୭ ଟି ବନ୍ଧୁକ ମଧ୍ୟରୁ ୪ ଟି 7.5 ଏମ୍ ଏମ୍ ପିସ୍ତଲ,୩ ଟି 9 ଏମ୍ ଏମ୍ ପିସ୍ତଲ,୬୫ ଅଫୁଟା ଗୁଳି,ଗୋଟିଏ ମାରୁତି ୱ।ଗନର୍ କାର୍,ଗୋଟିଏ ଗ୍ଲାମର୍ ବାଇକ୍, ଗୋଟିଏ ଆକ୍ଟିଭା,୬ ଟି ମୋବାଇଲ ଫୋନ୍ କୁ ଜବତ କରିଛି ପୋଲିସ୍ ।

ବିଜୟ ନାୟକ ଟିଟୋ ଗ୍ୟାଙ୍ଗ୍ ରେ ସକ୍ରିୟ ଥିଲା। ଆଉ ବେଆଇନ ବନ୍ଧୁକ ଡିଲ୍ କରି ବିଭିନ୍ନ ଛୋଟମୋଟ ଅପରାଧିଙ୍କୁ ମାରାଣାସ୍ତ୍ର ଯୋଗାଉଥିଲା। ବିଜୟ ନାଁ ରେ କେନ୍ଦ୍ରାପଡା, ଭଦ୍ରକ,କଟକ ଜିଲ୍ଲାର ଥାନା ମାନଙ୍କରେ ଏକାଧିକ ମାମଲା ରହିଥିବା ବେଳେ ଜଗା ନାଁ ରେ ମଧ୍ୟ ବିଭିନ୍ନ ଥାନାରେ କ୍ରାଇମ୍ ରେକର୍ଡ ରହିଥିବା ପୋଲିସ୍ କମିସନର୍ ସୂଚନା ଦେଇଛନ୍ତି। ତେବେ ଅନ୍ୟ ଅପରାଧିମାନେ ହେଲେ ଜଗତସିଂହପୁର ତିର୍ତ୍ତୋଲ୍ ଅଞ୍ଚଳର ବିଜୟ ସାମଲ,ପିଣ୍ଟୁ ଓରଫ୍ ପ୍ୟାରିମୋହନ ଦାସ,ସିଲୁ ଓରଫ୍ ତୁଷାର ଖୁଣ୍ଟିଆ,ଭାଲୁ ଓରଫ୍ ମୁକ୍ତାର ଶାହା,ଶ୍ରୀନାଥ ରାଉତ। ବିଶେଷ କରି ଏମାନେ ବିହାର ମୁଙ୍ଗେର ଅଞ୍ଚଳରୁ ବେଆଇନ ମାରଣାସ୍ତ୍ର ଆଣି ଏଠାରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବଢାଇଥାନ୍ତି ।

ବେଆଇନ ଅସ୍ତ୍ରଶସ୍ତ୍ର କାରାବାରକୁ ରୋକିବା ପାଇଁ କମିସନରେଟ୍ ପୋଲିସ୍ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଆଉ ସେହି ଆଧାରରେ ଏମାନଙ୍କୁ ଧରାଯାଇଥିବା କହିଛନ୍ତି ସି ପି ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହି ବେଆଇନ ଅସ୍ତ୍ରଶସ୍ତ୍ର ଜେଲ୍ ରେ ଥିବା ଡି ବ୍ରଦର୍ସ ଙ୍କ ଘରେ ପହଞ୍ଚିଥିବାର ଖବର ମଧ୍ୟ ପାଇଛି ପୋଲିସ୍। ଏ ନେଇ ଖୋଳତାଡ଼ କରୁଛନ୍ତି ପୋଲିସ୍ ର ଏକ ସ୍ୱତନ୍ତ୍ର ଟିମ୍। ତେବେ ମୁଙ୍ଗେର ଅଞ୍ଚଳରୁ ଓଡିଶାକୁ ଆସୁଥିବା ବେଆଇନ ଅସ୍ତ୍ରଶସ୍ତ୍ର ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )।

Exit mobile version