ଶ୍ରୀ ହନୁମାନ ଜୀଉଙ୍କ ମୂର୍ତ୍ତି ପ୍ରତିଷ୍ଠା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର ) ଢେଙ୍କାନାଳ :-  ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ଟ୍ରାଫିକ୍‌ ଛକ ନିକଟରେ ଥିବା ହନୁମାନ ବାଟିକାର ନବକଳେବର ପରେ ବଢ଼ିଛି ଏହାର ଆକର୍ଷଣ। ଏହି ସ୍ଥାନ କେବଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି ତାହା ନୁହେଁ, ଅଧିକନ୍ତୁ ବୟସ୍କମାନେ ଏଠାରୁ ପାଉଛନ୍ତି ମାନସିକ ଶାନ୍ତି। ସକାଳେ ସନ୍ଧ୍ୟାରେ ଦିଅଁ ଦର୍ଶନ କରିବା ସହିତ କିଛି ସମୟ ଅତିବାହିତ କରିବାକୁ ସହରବାସୀଙ୍କ ପସନ୍ଦର ସ୍ଥାନ ପାଲଟିଛି ହନୁମାନ ବାଟିକା।

୨୦୦୮ ମେରେ ବସ୍‌ଷ୍ଟାଣ୍ଡ ଟ୍ରାଫିକ୍‌ ଛକରେ ହନୁମାନଜୀଉଙ୍କ ୧୮ ଫୁଟ ଉଚ୍ଚତାର ମୂର୍ତ୍ତି ସ୍ଥାପନ କରାଯାଇଥିଲା। ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ଉଦ୍ୟମରେ ଏହାକୁ ଆକର୍ଷଣୀୟ ରୂପ ଦିଆଯାଇଛି। ହନୁମାନ ବାଟିକା ପରିସରରେ ଚିତ୍ରରେ ଚିତ୍ରରେ ଦର୍ଶାଯାଇଛି ରାମକଥା। ଶ୍ରୀରାମଙ୍କ ବନବାସଠାରୁ ଆରମ୍ଭ କରି ସେତୁବନ୍ଧ ନିର୍ମାଣ, ଅଶୋକ ବନରେ ସୀତାଙ୍କୁ ଠାବ, ଲଙ୍କା ଦହନ,

ଅସୁରଙ୍କୁ ନିପାତ ଆଦି ପୌରାଣିକ ବିଷୟ ଚିତ୍ରରେ ପ୍ରଦର୍ଶିତ ହୋଇଛି। ହନୁମାନ ବାଟିକାକୁ ଆସୁଥିବା ଶ୍ରଦ୍ଧାଳୁମାନେ ରାମକଥାକୁ ବେଶ୍‌ ଉପଭୋଗ କରୁଛନ୍ତି। ପ୍ରତି ମାସ ସଂକ୍ରାନ୍ତିରେ ପବନପୁତ୍ରଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଏହାକୁ ବାଦ୍‌ଦେଲେ ହନୁମାନ ଜୟନ୍ତୀ, ଶ୍ରୀରାମ ନବମୀ, ହୋମଯଜ୍ଞ, ରାମଚରିତ ମାନସ ପାଠ ଓ ହନୁମାନ ଚାଳିଶା ପାଠ ମଧ୍ୟ ଆୟୋଜିତ ହେଉଛି । ମାନସିକଧାରୀମାନେ ୧୦୮ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ପାଇଁ ହନୁମାନ ବାଟିକାକୁ ଆସୁଛନ୍ତି ।

ଶ୍ରୀ ହନୁମାନ ଜୀଉଙ୍କ ମୂର୍ତ୍ତି ପ୍ରତିଷ୍ଠା ହେବାପରେ ହନୁମାନ ବାଟିକାରେ ବିଭିନ୍ନ ପର୍ବପର୍ବାଣି ଆୟୋଜନ କରାଯାଉଛି। ସେଠାରେ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ବହୁ ଲୋକ ସାମିଲ ହେଉଛନ୍ତି। ସହର ଉପକଣ୍ଠରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଉଛି। ଖରାବେଳେ ଗଛ ଛାଇରେ ଲୋକମାନେ ବିଶ୍ରାମ ମଧ୍ୟ ନେଉଛନ୍ତି।(ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )

Exit mobile version