କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଧନଶୂଳି ପଂଚାୟତର ପାହାଡ଼ ଉପରେ ଅବସ୍ଥିତ ଡଙ୍ଗରୀଗୁଡ଼ା ଗାଁ : ନୂଆ ବସତିରେ ସାତବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ – ମୌଳିକ ଆବଶ୍ୟକତା ପ୍ରତି କାହାର ନାହିଁ ନଜର

ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର) କଳାହାଣ୍ଡି :- ପାଣିର କାହାଣୀ ସାଙ୍ଗରେ ସିଧାସଳଖ ଜଡ଼ିତ ଥିବା ଡଙ୍ଗରୀଗୁଡ଼ା ଗାଁର ଅଧିବାସୀଙ୍କୁ ତିନି କିମି ଅତିକ୍ରମ କରି ନବରଙ୍ଗପୁର ଜିଲ୍ଲାର ଡାକୁଳଗୁଡ଼ାରୁ ପାଣି ଆଣିବାକୁ ପଡୁଥିଲା। କୋଡ଼ିଏ ବର୍ଷ ଧରି ପାହାଡ଼ ଉପରେ ସଂଘର୍ଷମୟ ଜୀବନ ବିତାଇବା ପରେ ଆଠଟି ପରିବାର ପାହାଡ଼ ତଳକୁ ଓହ୍ଲାଇ ଏକ ଘଞ୍ଚ ଅରଣ୍ୟ ମଧ୍ୟରେ ଛୋଟ ଏକ ଝରଣାର ଜଳ ଉତ୍ସକୁ ଦେଖି ଗାଁ ବସାଇ ଦେଲେ। ବର୍ଷାରେ ଗୋଳିଆ ପାଣି ଓ ଖରାଦିନେ ବାଲିଚୁଆ ସେମାନଙ୍କ ପାଇଁ ପାଲଟିଲା ଜୀବନଦାୟିନୀ ।

ଜୀବନ ପ୍ରବାହରେ ବିଜୁଳି, ପାଣି, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ଚାଉଳ ଭଳି ସମସ୍ତ ପ୍ରକାର ଆବଶ୍ୟକତା ସାଙ୍ଗରେ ସାତବର୍ଷ ଧରି ଏକ ଦୁର୍ବିସହ ଶୈଳୀରେ ଜୀବନ ବିତାଇବାକୁ ପଡ଼ିଲା। ଗାଁକୁ ପାହାଡ଼ି ସଡ଼କ ଦେଇ ପହଂଚିଲା ବେଳକୁ ଅପରିବର୍ତ୍ତିତ ଥିଲା ସେମାନଙ୍କର ବଂଚିବାର ଶୈଳୀ। ୨୦୧୪ ମସିହା ଗାଁ ବସାଇବା ବେଳକୁ ସେମାନେ ବହୁତ ଉତ୍ସାହିତ ଥିଲେ। କିନ୍ତୁ ସାତବର୍ଷର ଅବଧି ମଧ୍ୟରେ ଏମାନଙ୍କ ପାଇଁ ଚିନ୍ତା କରିବାକୁ କେହି ଆସି ନଥିବା ଲୋକେ ପ୍ରକାଶ କରନ୍ତି।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଧନଶୂଳି ପଂଚାୟତର ପାହାଡ଼ ଉପରେ ଅବସ୍ଥିତ ଡଙ୍ଗରୀଗୁଡ଼ା ଗାଁ । ବାରଟି ପରିବାର ସମସ୍ତ ପ୍ରତିକୂଳ ଅବସ୍ଥାକୁ ସହ୍ୟ କରି ଅବସ୍ଥାନ କରିବା ପରେ ୨୦୧୪ ମସିହାରେ ଆଠଟି ପରିବାର ଜୀବନ ଶୈଳୀରେ ସାମାନ୍ୟ ପରିବର୍ତନ ଆଣିବା ପାଇଁ ଘାଟି ତଳରେ ପୁଣି ଏକ ଜଙ୍ଗଲୀ ଜୀବନ ଆରମ୍ଭ କରିଦେଲେ । ନୂଆ ବସତିରେ ସାତବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ଏମାନଙ୍କ ମୌଳିକ ଆବଶ୍ୟକତା ପ୍ରତି କେହି ମଧ୍ୟ ଦୃଷ୍ଟି ଦେଇ ନଥିବା ଗାଁ ଲୋକ ଅଭିଯୋଗ କରନ୍ତି ।(ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )

Exit mobile version