ଗୋଷାଣୀ ବ୍ଲକ ବଡକତୁରୁ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିରାଣିପେଟା ଗ୍ରାମ ଛକରେ ଅଜଣା ଗାଡ଼ି ଧକ୍କାରେ ହରିଣର ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୨୬ ମାର୍ଚ୍ଚ ଶୁକ୍ରବାର ) ପାରଳାଖେମୁଣ୍ଡି  :-  ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବଡକତୁରୁ ଗ୍ରାମ ପଞ୍ଚାୟତର କାଞ୍ଜରାନିପେଟା ଗ୍ରାମ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଏକ ପୁରୁଷ ହରିଣର ମୃତ୍ୟୁ ଘଟିିଛି । ଘଟଣାରୁ ପ୍ରକାଶ ଯେ, ବ୍ରହ୍ମପୁର-ପାରଳାଖେମୁଣ୍ଡି ରାସ୍ତାରେ ପାହାନ୍ତିଆ ସମୟରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ରାସ୍ତାକଡରେ ପଡି ହରିଣଟି ମୃତ୍ୟୁବରଣ କରିଥିଲା । ଘଟଣାର ଖବର ପାଇ ନିକଟରେ ଥିବା ୱାଇଲ୍ଡ ଲାଇଫ ସ୍କ୍ୱାର୍ଡ, ମହେନ୍ଦ୍ର ବନାଞ୍ଚଳ ନାରାୟଣପୁରୁ ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛା, ବନପାଳ ଏମ୍‌.କାମେଶ୍ୱର ରାଓ, ବନରଖି ଆଲୋକ ଜେନା ଘଟଣା ସ୍ଥଳରେ ପହଞ୍ଚ ହରିଣର ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏନେଇ ନାରାୟଣପୁର ଠାରେ ଥିବା ମହେନ୍ଦ୍ରଗିରି ରେଞ୍ଜ ଅଫିସରେ ୮/୨୧ରେ

ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଥିବାର ବନ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏନେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା କହିଛନ୍ତି ଯେ, ହରିଣର ମୃତ୍ୟୁ ଘଟିଥିବା ଅଞ୍ଚଳର ନିକଟରେ ଦୁର୍ଗମ ନାମକ ଏକ ସଂରକ୍ଷିତ ଜଙ୍ଗଲ ରହିଛି । ଏହି ଜଙ୍ଗଲଟି ଅତ୍ୟନ୍ତ ଘଞ୍ଚ ହୋଇଥିବାରୁ ଏଠାରେ ବିଭିନ୍ନ ବନ୍ୟନ୍ତୁ ବାସ କରିଥାନ୍ତି । ବର୍ତ୍ତମାନ ଖରା ଦିନ ହୋଇଥିବାରୁ ବନ୍ୟଜନ୍ତୁ ପାନୀୟଜଳ କିମ୍ବା ଖାଦ୍ୟ ଅନ୍ୱେଷଣରେ ପାହାନ୍ତିଆ କିମ୍ବା ସନ୍ଧ୍ୟା ସମୟରେ ବାହାରିଥାନ୍ତି । ରାସ୍ତାଟି ରାଜ୍ୟରାଜପଥ ହୋଇଥିବାରୁ ଗାଡି ଗୁଡିକ ମାତ୍ରାଧିକ ଦ୍ରୁତଗତିରେ ଯାତାୟତ କରୁଛନ୍ତି । ଫଳରେ ଏପରି ଦୁର୍ଘଟଣା ଘଟୁଅଛି । ତେଣୁ ଏହି ଅଞ୍ଚଳରେ ହମ୍ପସ ନିର୍ମାଣ କରାଗଲେ ଏପରି ଦୁର୍ଘଟଣା ମାନ କମିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ବନ ବିଭାଗ ତରଫରୁ ଅନୁରୋଧ କରାଯାଇଛି । ( ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version