ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କଳିଙ୍ଗ ଷ୍ଟୁଡିଓ ର ଅତ୍ୟାଧୁନିକ ଭିତ୍ତଭୂମି ସ୍ଥାପନ

ଓଡିଶା ତାଜା ନ୍ୟୁଜ୍ (୨୫ ମାର୍ଚ୍ଚ ଗୁରୁବାର ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ ଭିତ୍ତିଭୂମି ସହିତ ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି କହିଛନ୍ତି ଯେ କଳା, ସଂସ୍କୃତି ଓ ଐତିହ୍ୟ ସହତ ସିନେମାକୁ ବ୍ୟାପକ ପ୍ରୋତ୍ସାହନ ଦେବ ଏବଂ ଚଳଚ୍ଚିତ୍ର, ମିଡ଼ିଆ ତଥା ମନୋରଞ୍ଜନ ଶିଳ୍ପରେ ରାଜ୍ୟବାସୀଙ୍କ ନିମନ୍ତେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।  

ରାଜ୍ୟ ସରକାର ଏହି ପ୍ରକଳ୍ପ ନିମନ୍ତେ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପର ଅବଧାରଣା ଓ ମାଷ୍ଟର ପ୍ଲାନ୍‌ ଆନ୍ତର୍ଜାତିକ ପରାମର୍ଶଦାତା ସଂସ୍ଥା ମେସର୍ସ ଗ୍ରାଣ୍ଟ ଥର୍ଣ୍ଣଟନ୍‌ ଭାରତ ଏଲ୍‌ଏଲ୍‌ପି ଦ୍ୱାରା ପ୍ରସ୍ତୁତ ହୋଇଛି । ଇଡ୍‌କୋ ପ୍ରକଳ୍ପ ନିର୍ମାଣକୁ କାର୍ଯ୍ୟକାରୀ କରିବ ଏବଂ ୨୦୨୨ ଡିସେମ୍ବର ସୁଦ୍ଧା ପ୍ରମୁଖ ସହଯୋଗୀ ଇଲାକାର ଲ୍ୟାଣ୍ଡସ୍କେପିଂ ସମେତ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଇଛି । ଏହା ଫଳରେ ଚଳଚ୍ଚିତ୍ର, ମିଡ଼ିଆ ଓ ମନୋରଞ୍ଜନ ଶିଳ୍ପରେ ୨୦୦୦ ଲୋକଙ୍କର ପ୍ରତ୍ୟକ୍ଷ ନିଯୁକ୍ତି ସାଙ୍ଗକୁ ୧୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି ।

ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ତି୍ରପାଠୀ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ ସିଂହ ଓ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏନ୍‌.ବି. ଜୱାଲେ ଉପସ୍ଥିତ ଥିଲେ ।

Exit mobile version