କ୍ୟାଣ୍ଟିନ୍‌ ବନ୍ଦ ଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ବାହାରେ ଯାଇ ଖାଇବାକୁ ପଡୁଛି

ଓଡିଶା ତାଜା ନ୍ୟୁଜ୍ ( ୨୪ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର :- ରାଜଧାନୀର ଜାଭିଅର୍ସ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ (XIMB) ୩୬ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଭୟ ଦେଖିବାକୁ ମିଳିଛି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖୁଲମ ଖୁଲା କୋଭିଡ ନିୟମର ଉଲ୍ଲଙ୍ଘନ ହୋଉଥିବା ବି ଦେଖିବାକୁ ମିଳିଛି । ଏହାକୁ ନେଇ ସଂକ୍ରମଣ ଆଶଙ୍କା ବଢୁଛି । ରମାଦେବୀ ବିଶ୍ୱବିଦ୍ୟାଳୟର କଲେଜ କ୍ୟାମ୍ପସ ଭିତରେ ହେଉ କି ବାହାରେ, ଛାତ୍ରୀମାନଙ୍କୁ ବିନା ମାସ୍କରେ ବୁଲୁଥିବା, ଏକାଠି ହୋଇ ଗପୁଥିବା ଓ ଖାଉଥିବା ଦେଖିବାକୁ ମିଳିଛି । ଉତ୍କଳ ବିଶ୍ଵବିଦ୍ୟାଳୟରେ ବି ସମାନ ଅବସ୍ଥା । କ୍ୟାଣ୍ଟିନ୍‌ ବନ୍ଦ ଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ବାହାରେ ଯାଇ ଖାଇବାକୁ ପଡୁଛି । ତେଣୁ କରୋନା ସଂକ୍ରମଣ ସମ୍ଭାବନା ଅଧିକ ରହୁଥିବା କହିଛନ୍ତି ହଷ୍ଟେଲରେ ରହୁଥିବା‌ ଛାତ୍ରମାନେ ।

‘‘କଲେଜର ପରିବେଶ ଓ ବାହାରର ସ୍ଥିତି ଦେଖି ଡର ଲାଗୁଛି । ହେଲେ ବର୍ଷ ତମାମ୍‌ ପାଠପଢ଼ା ହୋଇନାହିଁ । ପୁଣି କ୍ଳାସ୍‌ ବନ୍ଦ ହେଲେ କୋର୍ସ ସରିବ ନାହିଁ । ପାଠ ପଢା ହାମ୍ପର୍‌ ହେବ,’’ କହିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀ । ଉତ୍କଳ ବିଶ୍ଵବିଦ୍ୟାଳୟ କମ୍ପୁଟର ସାଇନ୍ସ ବିଭାଗର ଛାତ୍ର କହିଛନ୍ତି, ‘‘ଆମ ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନ୍‌ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ସବୁ ବେଳେ ବାହାରକୁ ଯାଇ ଖାଇବାକୁ ପଡୁଛି । ବାହାର ସ୍ଥିତି ଦେଖି ଭୟ ଲାଗୁଛି । କିନ୍ତୁ ଉପାୟ କିଛି ନାହିଁ ।’’

Exit mobile version