ବୈତାରିଣୀ ନଦୀ ଗର୍ଭରୁ ବାହାରିଲା ପ୍ରାଚୀନ ଶିବଲିଙ୍ଗ

ବୈତାରିଣୀ ନଦୀ ଗର୍ଭରୁ ବାହାରିଲା ପ୍ରାଚୀନ ଶିବଲିଙ୍ଗ । ପୂଜାର୍ଚ୍ଚନା କରିବା ସହ ଶିବଲିଙ୍ଗରେ ଅଭିଷେକ କଲେ ସ୍ଥାନୀୟ ଲୋକେ । ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ ପ୍ରତିଧ୍ଵନିତ ହେଲା ସ୍ଥାନୀୟ ଅଂଚଳ

ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ଯାଜପୁର :-  ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଳିହା ପଞ୍ଚାୟତର ସିଦ୍ଧେଶ୍ୱର ମନ୍ଦିର ପାଖ ବୈତରଣୀ ନଦୀ ଗର୍ଭରୁ ଉଦ୍ଧାର ହେଇଛି ଏକ ଶିବ ଲିଙ୍ଗ । ନଦୀ ଗର୍ଭରେ ଥିବା ଶିବ ଲିଙ୍ଗ ପାଖରେ ଦୁଇଟି ମନ୍ଦିରର ଚୂଡା ମଧ୍ୟ ଦୃଶ୍ୟମାନ ହେଉଛି । ଗତ ଶିବରାତ୍ରିରୁ ଏହି ଶିବ ଲିଙ୍ଗ ଏବଂ ୨ଟି ଛୋଟ ମନ୍ଦିର ନଦୀ ଭିତରେ ଦେଖିବାକୁ ମିଳିଥିଲା । ଗତ ୨ ଦିନ ଧରି ସ୍ପଷ୍ଟଭାବେ ଦେଖାଯିବା ପରେ ସ୍ଥାନୀୟ ଅଧିବାସୀ ଓ ମନ୍ଦିରର ପୂଜକ ସେଠାକୁ ଯାଇ ନାମ ସଂକୀର୍ତ୍ତନ କରିବା ସହ ଶିବଲିଙ୍ଗରେ ଅଭିଷେକ କରିଥିଲେ ।

ଏ କଥା ସୂଚନା ମିଳିବା ପରେ ସ୍ଥାନୀୟ ଦଶରଥପୁର ପ୍ରଶାସନ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ ଜାରି ରଖିଛି । ଗତ କିଛି ବର୍ଷ ହେଲା ନଦୀ ଶଯ୍ୟାରୁ ବାଲି ଉଠୁଥିବାରୁ ଏହା ଗଭୀର ହେବା ଦ୍ୱାରା ମନ୍ଦିର ଓ ଶିବ ଲିଙ୍ଗ ଦେଖିବାକୁ ମିଳିଥିଲା । ୨ ଟି ପୁରାତନ ମନ୍ଦିର ଭିତରୁ ଗୋଟିଏ ହନୁମାନଙ୍କର ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ପ୍ରତ୍ତ୍ନତତ୍ତ୍ୱ ବିଭାଗ ଏହି ମନ୍ଦିର ସମ୍ପର୍କରେ ଖୋଳତାଡ଼ କଲେ, ଏହା କେବେକାର ତାହା ସ୍ପଷ୍ଟ ହେବ ବୋଲି ଆଉ କିଛି ଲୋକେ ମତ ଦେଉଛନ୍ତି । (ଯାଜପୁର ରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )

Exit mobile version