କରୋନା ମହାମାରୀ ଯୋଗୁ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲା ବେଗୁନିଆ ଏବଂ ବୋଲଗଡ଼ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ବୁଣାକାରଙ୍କ ପରିବାର ହାତ ବାନ୍ଧି ବସିଛନ୍ତି

ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ଖୋର୍ଦ୍ଧା :- କରୋନା ମହାମାରୀ ଯୋଗୁ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲା ବେଗୁନିଆ ଏବଂ ବୋଲଗଡ଼ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ବୁଣାକାରଙ୍କ ପରିବାର ହାତ ବାନ୍ଧି ବସିଛନ୍ତି । କଞ୍ଚାମାଲ ଅଭାବ, ପ୍ରସ୍ତୁତ ସାମଗ୍ରୀ ବିକ୍ରି ନ ଥିବାରୁ ବୁଣାକାରଙ୍କ ସମସ୍ୟାକୁ ଏହା ଦ୍ୱିଗଣିତ କରିଛି । ବୁଣାକାରଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡିଛି । ସରକାର ସମସ୍ତଙ୍କ ଲାଗି ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ବୁଣାକାରଙ୍କ ଲାଗି କୌଣସି ଘୋଷଣା କରି ନ ଥିବା ଏକାଧିକ ବୁଣାକାର କହିଛନ୍ତି । ବେଗୁନିଆ ବ୍ଲକର ରାଉତପଡ଼ାରେ ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ରହିଛନ୍ତି । ବର୍ଷସାରା ଏମାନେ ତନ୍ତ ସାହାର୍ଯ୍ୟରେ ସୂତା ଲୁଗା, ପାଟବସ୍ତ୍ର, ଗାମୁଛା, ଶାଢ଼ି ପ୍ରସ୍ତୁତ କରି ପରିବାର ଚଳାଇଥାନ୍ତି ।

ତେବେ କରୋନା ଯୋଗୁ  ଏମାନଙ୍କ କାମ ଠପ୍‌ ହୋଇଯାଇଛି । କରୋନା ସମୟରେ ଲକ୍‌ଡାଉନ, ଶଟ୍‌ଡାଉନ ଯୋଗୁ ବେପାର ଠପ ହୋଇଗଲା । କଞ୍ଚାମାଲ ଆସିପାରିଲା ନାହିଁ । ଫଳରେ ବହୁ ବୁଣାକାର କାମଧନ୍ଦା ହରାଇଲେ । ପୂର୍ବରୁ ଯାହା ବୁଣା ଲୁଗା ଥିଲା, ତାହାର ବିକ୍ରି ହୋଇପାରିଲା ନାହିଁ । ଏବେ କଞ୍ଚାମାଲ ଦର ଉଚ୍ଚା ରହିଛି । ସରକାରୀ ସହାୟତା ନ ମିଳିଲେ, ବୁଣା କାରିଗରି ବନ୍ଦ ହୋଇଯିବ। ସେହିପରି ସାନପଦର, ସିମର, ଡାଳତୋଳା, ବାରବାଟି ଅଠରାଙ୍ଗ, ବୋଲଗଡ ବ୍ଲକ ଧଳାପଥର ଆଦି ଗ୍ରାମର ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ଜୀବନ ଦୁର୍ବିଷହ ହୋଇପଡିଛି ।

Exit mobile version