ଦୋଳ ଓ ହୋଲି ପାଇଁ ପୃଥକ ନିୟମ : ଏଥର ହେବନି ରଙ୍ଗ ଖେଳ

ଦେଶରେ ସଂକ୍ରମଣ ପ୍ରତିଦିନ ନୂଆ ନୂଆ ରେକର୍ଡ କରିବା ପରେ ସେକେଣ୍ଡ୍ ୱେଭକୁ ନେଇ ଚିନ୍ତା ବଢ଼ିଛି

ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ଭୁବନେଶ୍ୱର :- ଏଥର ବି କରୋନା ମାଡ଼ରେ ଦୋଳ ମେଳଣ ଓ ହୋଲି ମଉଜ ଫିକା ପଡ଼ିବ । ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ମନା ହୋଇଥିବାବେଳେ, ଦୋଳଯାତ୍ରା ଓ ମେଳଣ ପାଇଁ ଗାଇଡଲାଇନ ଜାରି ହୋଇଛି । ରାସ୍ତାରେ ରଙ୍ଗଛିଟା ପଡ଼ିବନି କି ଏବର୍ଷ ବି ରାସ୍ତାଘାଟ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ରଙ୍ଗ ଖେଳ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଥିବାବେଳେ ଏହି ନିୟମ ଭୁବନେଶ୍ୱରରେ କଡ଼ାକଡ଼ି ପାଳନ ହେବ ବୋଲି ଭୁବନେଶ୍ୱରରେ ମହାନଗର ନିଗମ (ବିଏମ୍ସି) କମିଶନର ପ୍ରେବମଚନ୍ଦ୍ର ଚୌଧାରୀ କହିଛନ୍ତି ।

Happy indian people celebrating Holi Festival

ବିଏମ୍ସି କମିଶନର ଶ୍ରୀ ଚୌଧାରୀଙ୍କ ସୂଚନା ମୂତାବକ, ସଂକ୍ରମଣ ବଢ଼ୁଥିବାରୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀନ ଜେନା ରାଜ୍ୟବ୍ୟାପୀ କଟକଣା ଲଗାଇଛନ୍ତି । କେବଳ ଘରେ ପରିବାର ଲୋକଙ୍କ ସହ ହୋଲି ପାଳନ କରିହେବ ବୋଲି ସୂଚନା ରହିଛି । ଦୋଳଯାତ୍ରା ଓ ତତ୍ସମ୍ପର୍କିତ ଧାର୍ମିକ କିମ୍ବା ସାଂସ୍କୃତିକ ସମାବେଶ ଉପରେ ବି କଟକଣା ଲାଗିଛି । କରୋନା ସତର୍କତା ସହ ମନ୍ଦିରରେ ପୂଜାର୍ଚ୍ଚନା ହେବ ଏବଂ ଜିଲ୍ଲାପାଳ କିମ୍ବା ମୁ୍ୟନିସିପାଲଟି କମିଶନରଙ୍କ ଅନୁମତି କ୍ରମେ ସୀମିତ ଲୋକଙ୍କୁ ନେଇ ଦୋଳ ମେଳଣ ହୋଇପାରିବ । ବିଏମ୍ସିର ଅନୁମତି ନେଇ ଦୋଳ ବିମାନ ପିଛା ୫-୬ ଜଣ ଲୋକ ଯାଇପାରିବେ ଏବଂ ଏକା ସାଙ୍ଗରେ ଅତିବେଶୀରେ ୧୦ଟି ବିମାନ ଏକାଠି ହୋଇପାରିବେ ବୋଲି କମିଶନର ଶ୍ରୀ ଚୌଧାରୀ କହିଛନ୍ତି ।

ଦୋଳ ଓ ହୋଲି ପାଇଁ ପୃଥକ ପୃଥକ୍ ନିୟମ ରହିବ । ରାଜଧାନୀରେ ସର୍ବସାଧାରଣରେ ହୋଲି ଖେଳି ହେବ ନାହିଁ । ନିଜ ଘରେ ପରିବାର ସଦସ୍ୟଙ୍କ ସହ ଲୋକେ ହୋଲି ଖେଳିପାରିବେ । ତେବେ ରାଜଧାନୀରେ ରଙ୍ଗ ଦୋକାନ ଖୋଲିବା ନେଇ କିଛି କଟକଣା ନାହିଁ । ମେଳଣ ସ୍ଥାନରେ ଏକାସାଙ୍ଗରେ ନୁହଁ ବରଂ ପର୍ଯ୍ୟାୟ କ୍ରମେ ଆସିବ ବିମାନ । ମେଳଣରେ ମଧ୍ୟ ସର୍ବାଧିକ ୫୦ରୁ୬୦ଜଣଙ୍କୁ ଅନୁମତି ଦିଆଯିବ । ଏଥିପାଇଁ ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ ବୋଲି ବିଏମସି କମିସନର ଶ୍ରୀ ଚୌଧାରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଶୁକ୍ରବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଶହେ ପାର କରିଥିଲା । ଶନିବାର ମଧ୍ୟ ଉକ୍ତ ସଂଖ୍ୟା ୧୦୦ ଉପରେ ଥିବାବେଳେ କ୍ରମାଗତ ଦ୍ୱିତୀୟ ଦିନରେ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ସଂଖ୍ୟା ବୃଦ୍ଧିପାଇଥିବା ନଜରକୁ ଆସିଛି । ଏଣୁ ଅସାବଧାନତା ନୁହଁ ବରଂ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ବିଏମ୍ସି କମିଶନର ଶ୍ରୀ ଚୌଧାରୀ କହିଛନ୍ତି । ଭୁବନେଶ୍ୱରରେ ଦୁଇଜଣ ବିଦେଶୀ ଫେରନ୍ତା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି । ତେବେ ଦେଶରେ ଓ ରାଜ୍ୟରେ କରୋନା ଧୀରେ ଧୀରେ କାୟାବିସ୍ତାର କରୁଛି । ରାଜ୍ୟରେ କରୋନା ଗ୍ରାଫ ମଧ୍ୟ ଉପରମୁହାଁ ହୋଇଛି । ପ୍ରତିଦିନ ବଢୁଥିବା ଏଇ କରୋନା ସଂମିତଙ୍କ ସଂଖ୍ୟା ପୁଣି ଚିନ୍ତା ବଢାଇଛି । ଯାହାଫଳରେ ପୁଣି କଟକଣା ଫେରିଛି ।

Exit mobile version