
ଓଡ଼ିଶା ତାଜା ନ୍ୟୁଜ (୧୯ ମାର୍ଚ୍ଚ ଶୁକ୍ରବାର ) ଭୁବନେଶ୍ୱର :- କୃଷି, ଗୋପାଳନ ଓ କୁଟୀର ଶିଳ୍ପ ହେଉଛି ଭାରତୀୟ ଅର୍ଥନୀତିର ଆଧାର । ଯାହାର ପ୍ରତୀକ ହେଉଛନ୍ତି ହଳଧର, ଗୋପାଳ ଓ ସୁଭଦ୍ରା । ଏହାର ଅଭିବୃଦ୍ଧି ହେବା ଦରକାର ଏବଂ ଏ କ୍ଷେତ୍ରରେ ସରକାରଙ୍କ ଭୂମିକା ବେଶ୍ ଉତ୍ସାହପ୍ରଦ । ଗ୍ରାମ୍ୟ ଅର୍ଥନୀତିର ସୁଦୃଢ଼ୀକରଣ ଓ କୃଷିର ଉନ୍ନତି ଦେଶର ଅର୍ଥନୈତିକ ବିକାଶଧାରାରେ ପ୍ରାଥମିକତା ପାଇବା ଦରକାର । କୃଷକଙ୍କ ପ୍ରତ୍ୟେକ ଉତ୍ପାଦ ଜାତୀୟ ଉତ୍ପାଦ ଭାବରେ ଗ୍ରହଣ କରିବା ଉଚିତ । ଗ୍ରାମ୍ୟ ସ୍ୱରାଜ୍ୟର ସ୍ୱପ୍ନକୁ ସଂକଳ୍ପରେ ପରିଣତ କରି ଆଗେଇବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଆଜି ” କୃଷି ଓଡ଼ିଶା-୨୦୨୧ “ର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ କୃଷକଙ୍କ ପ୍ରତ୍ୟେକ ଉତ୍ପାଦର ଜାତୀୟକରଣ ଭାବଧାରାରେ ଗ୍ରହଣ କରିବା ଆବଶ୍ୟକ ।
କୃଷକଙ୍କ ପାଇଁ ସହଜ ଋଣ ବ୍ୟବସ୍ଥା, ନିୟନ୍ତ୍ରଣମୁକ୍ତ ପରିବେଶ, ବଜାର ସୁବିଧା ଓ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉ । ରାଜ୍ୟ ସରକାରଙ୍କ କାଳିଆ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ସେ ଚାଷରେ ବିବିଧତା ଆଣିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ମିଶନ ଶକ୍ତି ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଜୀବନକୁ ସଶକ୍ତ କରିଛି । ଏଥିରେ ଏକ କୋଟି ମହିଳାଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏକ ସୁସ୍ଥ କ୍ରିୟାଶୀଳ ପରିବେଶ ପାଇଁ ବ୍ୟକ୍ତିର ମର୍ଯ୍ୟାଦା ଓ ସମ୍ମାନକୁ ଅଗ୍ରାଧିକାର ଦେବାକୁ ରାଜ୍ୟପାଳ ପ୍ରଫେସର ଲାଲ କହିଥିଲେ ।
