ବଲେଶ୍ଵର ପୋଲିସର ହଟହଟ୍ଟା : ଭ୍ୟାନ ଛଡାଇ ନେଇଗଲେ ଫାଇନାନ୍ସ କର୍ମଚାରୀ

 ଓଡ଼ିଶା ତାଜା ନ୍ୟୁଜ (୧୮ ମାର୍ଚ୍ଚ ଗୁରୁବାର ) ଭୁବନେଶ୍ୱର  :-  ଅଭିଯୁକ୍ତକୁ ଧରିବାକୁ ଭୁବନେଶ୍ୱର ଆସିଥିବା ବାଲେଶ୍ୱର ପୋଲିସକୁ ଏଠାରେ ହଟହଟା ହେବାକୁ ପଡିଛି ମାସିକ କିସ୍ତି (ଇଏମ୍‌ଆଇ) ବକେୟା ଥିବାରୁ ଫାଇନାନ୍ସ କର୍ମଚାରୀ ପୋଲିସ ଠାରୁ ଭ୍ୟାନ୍‌ ଛଡ଼ାଇ ନେବାରୁ ସେମାନେ ବାଧ୍ୟହୋଇ ଅଭିଯୁକ୍ତକୁ ଧରି ଭଡ଼ା ଗାଡି଼ରେ ବାଲେଶ୍ଵର ଫେରିଥିବା ଜଣାପଡିଛି ।  ଖବର ଅନୁଯାୟୀ ବର୍ଷେ ପୂର୍ବରୁ ଏକ ଘରୋଇ ବୋଲେରୋ (ଓଡି୦୧ଭି-୮୯୬୨) ବାଲେଶ୍ୱରର ସହଦେବଖୁଣ୍ଟା ଥାନାରେ ଭଡ଼ାରେ ଲାଗିଥିଲା ।  ଗାଡି଼ର ମାଲିକ ତନ୍ମୟ କୁମାର ବେହୁରିଆ ନିଜେ ଗାଡ଼ିକୁ ଚଳାଉ ଥିଲେ । ୨୦୧୮ ଫେବ୍ରୁଆରୀରେ ‘ଏମ୍‌ ଆଣ୍ଡ ଏମ୍‌ ଫାଇନାନ୍ସସିଆଲ୍‌ ସର୍ଭିିସେସ୍‌ ଲିମିଟେଡ୍‌’ ନାମକ ସଂସ୍ଥାଠାରୁ ତନ୍ମୟ ଋଣଆଣି ଗାଡି କିଣିଥିଲେ ।  କିନ୍ତୁ ଫାଇନାନ୍ସ ସଂସ୍ଥାର ୯ ମାସ କିସ୍ତି ଦେଇନଥିଲେ ।  ଗାଡି଼ଟି ପୋଲିସ୍‌ ଡ୍ୟୁଟିରେ ଥିବାରୁ ବାଲେଶ୍ୱରରୁ ଗାଡି ଛଡାଇ ଆଣିବାକୁ ଫାଇନାନ୍ସ ସଂସ୍ଥାର କର୍ମଚାରୀ ସାହସ କରିପାରୁ ନଥିଲେ । 

ସେମାନେ ଏକାଧିକବାର ଗାଡ଼ି ଟାଣିବାକୁ ଚେଷ୍ଟାକରି ଫେଲ୍‌ ମାରିଥିଲେ । ବୁଧବାର ସହଦେବଖୁଣ୍ଟା ଥାନାର ପୋଲିସ ଟିମ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ସେହି ଗାଡିରେ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଖବର ମିଳିଥିଲା ।  ସତ୍‌ସଙ୍ଗ ବିହାରଠାରେ ସଂସ୍ଥାର କିଛି କର୍ମଚାରୀ ଗାଡି଼କୁ ଅଟକାଇବାକୁ ଚେଷ୍ଟା କରିଥିଲେ ।  କିନ୍ତୁ ପୋଲିସ ଭ୍ୟାନ୍‌ ସେଠାରେ ନଅଟକିବାରୁ ସେମାନେ ଗାଡି଼ର ପିଛା କରିଥିଲେ ।  ପୋଲିସ ଭ୍ୟାନ୍‌ ଖଣ୍ଡଗିରି ଥାନା କ୍ୟାମ୍ପସ୍‌କୁ ପଶିଥିଲା ।  କର୍ମଚାରୀମାନେ ସେଠାରେ ଗାଡ଼ିର ବକେୟା କିସ୍ତି କାଗଜପତ୍ର ଖଣ୍ଡଗିରି ଥାନା ପୋଲିସ୍‌କୁ ଦେଖାଇଥିଲେ ।  ଗାଡି଼କୁ ନିଜ ଅକ୍ତିଆରକୁ ନେବାକୁ ଦାବି ରଖିଥିଲେ ।  ପୋଲିସ ନିରୁପାୟ ହୋଇ ଗାଡି଼କୁ ସେମାନଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତକୁ ଭଡା ଗାଡିରେ ନେଇ ବାଲେଶ୍ୱର ଫେରିଥିଲେ ।

Exit mobile version