ଭ୍ରାମ୍ୟମାଣ ଶିବିରରେ ୩୦ ଅନାଥ ଶିଶୁ ଚିହ୍ନଟ

ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର )ହିଞ୍ଜିଳିକାଟୁ :- ରାଜ୍ୟ ସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗ ଅଧିନ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ରାଜ୍ୟରେ ଥିବା ପିତୃମାତୃ ହୀନ ଶିଶୁଙ୍କ ସାମୁହିକ ବିକାଶ ସକାଶେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଶିବିରରେ ଅନାଥ ଶିଶୁ ଚିହ୍ନଟ କରଣ କାର୍ଯ୍ୟକ୍ରମ।କଅଁଳ ବୟସରେ ନିଜ ପିତା ଓ ମାତାଙ୍କୁ ହରାଇ ଅଭିଭାବକ ମାନଙ୍କ ଠାରୁ ସ୍ନେହ ଶ୍ରଦ୍ଧା ପାଇ ସେମାନଙ୍କ ପାଖରେ ରହୁଥିବା ଏହି ଅନାଥ ଶିଶୁଙ୍କ ସାମୁହିକ ବିକାଶ ସହିତ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହି ବହୁମୂଲ୍ୟ ସାମାଜିକ ପଦକ୍ଷେପକୁ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଅନାଥ ଶିଶୁଙ୍କୁ ଚିହ୍ନଟ କରି ଶିକ୍ଷା , ସ୍ୱାସ୍ଥ୍ୟ ଓ ଧନ୍ଦା ମୂଳକ ଯୋଜନାରେ ସାମିଲ କରି ସେମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିବ୍ଳକ ଓ ପୌରାଞ୍ଚଳରେ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଅନାଥ ଶିଶୁ ଚିହ୍ନଟ କାର୍ଯ୍ୟକ୍ରମ । ଏହି ଉପଲକ୍ଷେ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ଉକ୍ତ କାର୍ଯ୍ୟକ୍ରମ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ସଂଯୋଜନାରେ ସମିତି ସଭା ଗୃହରେ ଆୟୋଜିତ ହୋଇଥିଲା ।

ମୂଖ୍ୟ ଅତିଥି ରୂପେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,ତହସିଲଦାର ପ୍ରଭାତ କୁମାର ପରିଡା,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ଜିଲ୍ଲା ଶିଶୁ ଯତ୍ନ ଅଧିକାରୀ ଶରତ ଚନ୍ଦ୍ର ମହାରଣା ଓ ସଦସ୍ୟ ହରିହର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ତହସିଲଦାର ପ୍ରଭାତ କୁମାର ପରିଡା ବୁରୁପଡା ଗ୍ରାମର ୩ ଅନାଥ ଶିଶୁଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ଥଇଥାନ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ନିକଟରେ ଅବଗତ କରାଇବା ସମ୍ପର୍କରେ ସୂଚନା ଦେଇଥିଲେ । ଏଥିପାଇଁ ଅନାଥ ଶିଶୁଙ୍କ ଅଧିକାରକୁ ସୁନିଶ୍ଚିତ କରିବା, ସେମାନଙ୍କ ଥଇଥାନ ସହ ସୁଖ ଦୁଃଖ ଓ ଭବିଷ୍ୟତ ବିକଶିତ କରାଇବାରେ ରାଜ୍ୟ ସରକାରଙ୍କ ଭୂମିକା ଓ ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ପ୍ରଥମ ପର୍ଯ୍ୟାୟରେ ପୌରାଞ୍ଚଳ ଓ ବ୍ଳକରେ ଚିହ୍ନଟ ହୋଇଥିବା ୩୩ଜଣ ଅନାଥ ଶିଶୁଙ୍କ ସ୍ଥିତି ନିର୍ଣ୍ଣୟ କରିବା ପରେ ଦ୍ଵିତୀୟ ପର୍ଯ୍ୟାୟରେ ଅନୁସନ୍ଧାନ କରି ଅନ୍ତିମରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିଶୁ ଯତ୍ନ ଅଧିକାରୀ ଶ୍ରୀ ମହାରଣା ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ଓ ପୌରାଞ୍ଚଳରୁ ବହୁ ଅନାଥ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କ ସହ ସୁପର ଭାଇଜର ଓ ଅଙ୍ଗନବାଡି, ସହାୟିକା ଉପସ୍ଥିତ ଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version