ମନ୍ଦ ଉଦ୍ଦେଶ୍ୟକୁ ସାଧିତ କରିବାକୁ ଉଦ୍ୟମ କଲା ବେଳେ ଧରାପଡ଼ିଥିଲେ ଲୋକଙ୍କ ହାତରେ – ପୁଲିସ୍ ତାଙ୍କୁ ଉଠାଇ ନେଇ ଅଟକ

ଭଦ୍ରକ ଭଣ୍ଡାରୀପୋଖରୀରେ ନ୍ୟାୟ ଦେବା ଆଳରେ ପୋଲିସର ଅସଦାଚରଣ । ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ହାବିଲଦାରଙ୍କ ପ୍ରେମ ନିବେଦନ ଓ ଅସଦାଚରଣ । ମହିଳାଙ୍କ ଅଭିଯୋଗ ପରେ ମାମଲା ରୁଜୁ, ହାବିଲଦାର ଅଟକ ।

ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ଭଦ୍ରକ :- ପୁଲିସ୍‌ ବାବୁ ଫୋନ୍‌ କରି କହୁଥିଲେ ମିଠା ମିଠା କଥା। ତା’ ପୁଣି ଅଭିଯୁକ୍ତର ସ୍ତ୍ରୀ ସହିତ। ସ୍ୱାମୀକୁ ବେଲ୍‌ରେ ବାହାର କରିଦେବାକୁ କହି ତାଙ୍କୁ ବାରମ୍ବାର ଫୋନ୍ କରି କଥା ହେଉଥିଲେ। ଏମିତିକି ତାଙ୍କୁ ଭଉଣୀ କହି ନୂଆ ସଂପର୍କ ଯୋଡ଼ି ହେଲା କହିଥିଲେ। ଆଉ ଶେଷରେ ସୁଯୋଗ ଦେଖି ତାଙ୍କ ଘରେ ହାଜର ହୋଇ ଦେଖାଇଥିଲେ ନିଜ ଅସଲି ରୂପ। ମନ୍ଦ ଉଦ୍ଦେଶ୍ୟକୁ ସାଧିତ କରିବାକୁ ଉଦ୍ୟମ କଲା ବେଳେ ଧରାପଡ଼ିଥିଲେ ଲୋକଙ୍କ ହାତରେ। ପୁଲିସ୍ ତାଙ୍କୁ ଉଠାଇ ନେଇ ଅଟକ ରଖିଛି। ଘଟଣାଟି ଭଦ୍ରକ ଜିଲ୍ଲାର। ଅଭିଯୁକ୍ତଙ୍କ ନାଁ ହରମୋହନ ନାୟକ। ସେ ଭଣ୍ଡାରିପୋଖରୀ ଥାନାରେ ହାବିଲଦାର ଭାବେ ନିଯୁକ୍ତ ହୋଇଛନ୍ତି ।

ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନାମରେ ୱାରେଣ୍ଟ ଆସିଥିଲା। ଏହା ପରେ ପୁଲିସ୍‌ ତାଙ୍କୁ ରବିବାର ରାତିରେ ଗିରଫ କରିଥିଲା । ପରେ ଗତକାଲି ତାଙ୍କୁ କୋର୍ଟ ଚାଲାଣ ପାଇଁ ନେଇଥିଲେ ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ଏପିଆର ହାବିଲଦାର ହରମୋହନ ନାୟକ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଯାଇଥିଲା।
ଜେଲ୍ ଯିବା ପୂର୍ବରୁ ଅଭିଯୁକ୍ତ ଜଣଙ୍କ ହାବିଲଦାର ହରମୋହନଙ୍କ ମୋବାଇଲରୁ ନିଜ ସ୍ତ୍ରୀ ସହ କଥା ହୋଇଥିଲେ। ସେ ଜେଲ୍‌ ଯିବା ପରେ ହରମୋହନ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ବାରମ୍ବାର ଫୋନ କରିଥିଲେ। ସେ ଫୋନ୍ କରି କହିଥିଲେ- “ମୋତେ ଭାଇ ବୋଲି ଭାବେ । ଆମ ଭିତରେ ନୂଆ ସମ୍ପର୍କ ଯୋଡ଼ି ହେଲା। ସମ୍ପର୍କକୁ ବଞ୍ଚାଇ ରଖିବା। ତୋ ବନ୍ଧା ପଡ଼ିଥିବା ସୁନାକୁ ମୁକୁଳାଇ ଆଣିବି। ତୋ ସ୍ୱାମୀକୁ ମୁକୁଳାଇବି। କାଲି ବେଲ୍‌ ହେବ। ନ ହେଲେ ପଅରଦିନ ହେବ।”
ହାବିଲଦାର ହରମୋହନ ଆହୁରି କହିଥିଲେ, ମୋ ସ୍ତ୍ରୀ ୨ ବର୍ଷ ହେଲା ମରିଯାଇଛି । ମୁଁ ତ ତୋତେ ସାହାଯ୍ୟ କରିବି। ହେଲେ ମୋ କଥା ଟିକେ ବୁଝିବୁ।

ଏହାପରେ ଗତକାଲି ମଧ୍ୟାହ୍ନରେ ଅଭିଯୁକ୍ତଙ୍କ ଘରେ ପହଞ୍ଚି ଯାଇଥିଲେ ହରମୋହନ। ଏହାପରେ ତାଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ମାତ୍ର ମହିଳା ଜଣଙ୍କ ଚିତ୍କାର କରିବାରୁ ଗ୍ରାମବାସୀ ଆସି ପହଞ୍ଚି ଯାଇଥିଲେ। ସେମାନେ ହରମୋହନଙ୍କୁ ଅଟକ ରଖି ଭଣ୍ଡାରିପୋଖରୀ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ । ଲିଖିତ ଏତଲା ପରେ ହାବିଲଦାର ହରମୋହନ ଦାୟକଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୁଲିସ୍‌ ।(ଦୀପ୍ତିମାନପତି,ବାଲେଶ୍ୱର )

Exit mobile version