କରୋନାକୁ ପୂରିଲାଣି ବର୍ଷେ। ତଥାପି ଶତପ୍ରତିଶତ ସ୍ବାଭାବିକ ହୋଇପାରିନି ଟ୍ରେନ୍‌ ଚଳାଚଳ

ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ଢେଙ୍କାନାଳ :-  କରୋନାକୁ ପୂରିଲାଣି ବର୍ଷେ, ତଥାପି ଶତପ୍ରତିଶତ ସ୍ବାଭାବିକ ହୋଇପାରିନି ଟ୍ରେନ୍‌ ଚଳାଚଳ । ହାତଗଣତି ରେଳ ସେବା ଯୋଗାଉଥିବାବେଳେ ଟ୍ରାକ୍‌ରେ ଗଡ଼ିନି ପାସେଞ୍ଜର ଟ୍ରେନ୍ ‌। ଏବେ ଅଧିକ ଶକ୍ତିଶାଳୀ ହୋଇ କୋଭିଡ୍‌ ବାହୁଡ଼ିଥିବାବେଳେ ଶସ୍ତା ଏବଂ ଜରୁରୀ ସେବା ଯୋଗାଉଥିବା ଏଭଳି ଟ୍ରେନ୍‌ କେବେ ଚାଲିବ ତାହାକୁ ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ଅନ୍ୟପଟେ ଦୀର୍ଘଦିନ ଧରି ବନ୍ଦ ରହିବା ଏବଂ ପରିଚାଳନା ଅଭାବରୁ ଅବହେଳିତ ହୋଇପଡ଼ିଥିବା ପାସେଞ୍ଜର ରହଣି ଷ୍ଟେଶନଗୁଡ଼ିକ ଅସାମାଜିକଙ୍କ ଆଡ୍ଡା ପାଲଟିଲାଣି  । ଢେଙ୍କାନାଳ ସହର ଉପକଣ୍ଠ ଶ୍ୟାମାଚରଣପୁରସ୍ଥିତ ପାସେଞ୍ଜର ହଲ୍ଟ ଏହାର ସଦ୍ୟତମ ଉଦାହରଣ ।

ଢେଙ୍କାନାଳ ଜିଲା ଏବଂ ସହରବାସୀଙ୍କ ଟ୍ରେନ୍‌ ଯାତ୍ରାକୁ ଅଧିକ ସୁଗମ କରିବା ଲାଗି ୨୭ ବର୍ଷ ତଳେ କାର୍ଯ୍ୟକ୍ଷମ ହୋଇଥିଲା ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ । ଏହି ଷ୍ଟେଶନରେ ପୁରୀ-ତାଳଚେର, ତାଳଚେର-ପୁରୀ, ଅନୁଗୋଳ-ପୁରୀ, ପୁରୀ-ଅନୁଗୋଳ, ରାଉରକେଲା-ପୁରୀ, ପୁରୀ-ରାଉରକେଲା ଆଦି ପାସେଞ୍ଜର ଟ୍ରେନ୍‌ ରହଣି କରିଥାଏ। ଭୁବନେଶ୍ୱରରେ କାର୍ଯ୍ୟରତ ୭୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଦୈନନ୍ଦିନ ସକାଳ ସାଢ଼େ ୭ଟାରେ ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ୍‌ରେ ଯାଇଥାନ୍ତି । ସନ୍ଧ୍ୟା ସାଢ଼େ ୭ଟାରେ ପୁଣି ଉକ୍ତ ଟ୍ରେନ୍‌ରେ ଫେରିଥାନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଚାକିରି କରୁଥିବା ଜିଲାର ଚାକିରିଆଙ୍କ ଲାଗି ଏହି ପାସେଞ୍ଜର ହଲ୍ଟର ଗୁରୁତ୍ୱ ଅନେକ ।

ଗତବର୍ଷ ମାର୍ଚ୍ଚରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଥିଲା । ଅନ୍‌ଲକ୍‌ ପରେ ହାତଗଣତି ଦୂରଗାମୀ ଟ୍ରେନ୍‌ ଚଳାଚଳ କରୁଛି । ଅଦ୍ୟାବଧି ପାସେଞ୍ଜର ଟ୍ରେନ୍‌ ଚାଲୁ ନ ଥିବାରୁ ବର୍ଷେ ହେଲା ଏହି ଷ୍ଟେଶନ ଯାତ୍ରୀଙ୍କ ସେବାରେ ଆସୁନାହିଁ । ଟିକେଟ୍‌ କାଉଣ୍ଟରରେ ତାଲା ଝୁଲୁଛି । ବିଶ୍ରାମାଗାର ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଅନ୍ୟପଟେ ବାଧ୍ୟ ହୋଇ ଦୈନିକ ଟ୍ରେନ୍‌ ଉପରେ ନିର୍ଭରଶୀଳ ଯାତ୍ରୀମାନେ ଅଧିକ ଭଡ଼ା ଦେଇ ବସ୍‌ରେ ଯାଉଛନ୍ତି । ଗାଡ଼ିରେ ଅସମ୍ଭାଳ ଭିଡ଼ ଯୋଗୁ ସିଟ୍‌ ନ ପାଇ ଠିଆ ହୋଇ ଯାତ୍ରା କରିବାକୁ ପଡୁଛି । ଧୀରେ ଧୀରେ ସବୁ କିଛି ସ୍ବାଭାବିକ ହେଉଥିବାବେଳେ ସରକାରଙ୍କ ପକ୍ଷଣୁ ପାସେଞ୍ଜର ଟ୍ରେନ୍‌ ଚଳାଚଳକୁ ଅନୁମତି ଦିଆଯାଉନାହିଁ, ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । (ଢେଙ୍କାନାଳ,ରିପୋର୍ଟ୍/ଅମର ରଞ୍ଜନ ଦାସ।)

Exit mobile version