ଅବସର ପ୍ରାପ୍ତ ସିବିଆଇ ସ୍ୱତନ୍ତ୍ର ବିଚାରପତି ଭିକାରୀ ଚରଣ ରାଉତଙ୍କ ଉପନ୍ୟାସ ପୁସ୍ତକ “ଗୋଧୂଳି ପ୍ରୟାସ” ଉନ୍ମୋଚନ କଲେ ବାଚସ୍ପତି ଡ଼ଃ. ସୂଯର୍ୟ ନାରାୟଣ ପାତ୍ର

ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର ଭୁବନେଶ୍ୱର :- ଅବସର ପ୍ରାପ୍ତ ସିବିଆଇ ସ୍ୱତନ୍ତ୍ର ବିଚାରପତି ଭିକାରୀ ଚରଣ ରାଉତଙ୍କ ଲିଖିତ ଉପନ୍ୟାସ ପୁସ୍ତକ “ଗୋଧୂଳି ପ୍ରୟାସ” ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ.ସୂଯର୍ୟ ନାରାୟଣ ପାତ୍ରଙ୍କ ଦ୍ୱାରା ବିଧାନସଭା କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି । ଉପନ୍ୟାସଟି ଜୀବନ ଦର୍ଶନ, ଯୌବନର ଆହ୍ୱାନ, ଦେଶ ପ୍ରେମ, ସର୍ବଧର୍ମ ସମନ୍ୱୟ ତଥା ସାମାଜିକ ସମ୍ପର୍କର ଦାର୍ଶନିକ ତତ୍ତ୍ୱ ଆଦି ଉପରେ ଆଧାରିତ ହୋଇଛି ଏବଂ ଏହା ଓଡ଼ିଆ ସାହିତ୍ୟ ଭଣ୍ଡାର ପାଇଁ ଅନ୍ୟତମ ଉପହାର ବୋଲି ଉନ୍ମୋଚନ ଅବସରରେ ଡ଼ଃ. ପାତ୍ର କହିଛନ୍ତି । ଏଥି ସହିତ ଅବସର ପ୍ରାପ୍ତ ବିଚାରପତିଙ୍କ ପରିଣତ ବୟସର ଏହା ବହୁ ଅଭିଜ୍ଞତା ସମ୍ପନ୍ନ ଏକ ଜୀବନ ଧର୍ମୀ ଦସ୍ତାବିଜ ବୋଲି ମଧ୍ୟ ବାଚସ୍ପତି ଡ଼ଃ. ପାତ୍ର ଅଭିହିତ କରିଛନ୍ତି ।

ଏହି ଉନ୍ମୋଚନ ଉତ୍ସବରେ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଔପନ୍ୟାସିକ ଶ୍ରୀ ରାଉତଙ୍କ ଆଇନଜୀବୀ ଜୀବନର ସାହିତ୍ୟ ଉପରେ ପଡିଥିବା ପ୍ରଭାବ ତଥା ବିଚାରପତୀୟ ବୃତ୍ତିରେ ସାହିତ୍ୟର ସମ୍ୱେଦନଶୀଳତା ଓ ମାନବବାଦୀ ଆହ୍ୱାନର ମଧ୍ୟ ପ୍ରଭାବ ସମ୍ପର୍କରେ ଅବତାରଣା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ବାହାଦୂର ପାଟସାହାଣୀ ଶ୍ରୀ ରାଉତଙ୍କ ଅନ୍ୟାନ୍ୟ ରଚନା ଯଥା କବିତା ସଙ୍କଳନ ‘ସବୁଜ ବଳୟ’ ଗଳ୍ପ ସଂକଳନ ‘ସମାଧି ମନ୍ଦିରରେ ଜୀବାତ୍ମା’, ‘ଭିନ୍ନ ଦିଗନ୍ତ ଓ ଅନ୍ୟାନ୍ୟ ଗଳ୍ପ’, ‘ଆଶାର ଆକାଶ’, ଇଂରାଜୀ କବିତା ସଙ୍କଳନ ‘ବ୍ଲୁ ହରାଇଜନ୍’, ‘ଲାଇଫ ଆଣ୍ଡ ଲ’ ସମ୍ପର୍କରେ ସୂଚନା ଦେଇଥିଲେ । ଉକ୍ତ ଉପନ୍ୟାସ ପୁସ୍ତକ ପ୍ରକାଶକ ଲେଙ୍କା ପ୍ରକାଶନର ସ୍ୱତାଧିକାରୀ ସୁଧାକର ଲେଙ୍କା ଏହି ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଔପନ୍ୟାସିକ ଶ୍ରୀ ରାଉତଙ୍କୁ ଜଣେ ସଫଳ ଲେଖକ ବୋଲି ଅଭିହିତ କରିଥିଲେ ।

ତାଙ୍କ ପ୍ରକାଶନ ମାଧ୍ୟମରେ ଶ୍ରୀ ରାଉତଙ୍କ ବହୁ ଆଦୃତ ପୁସ୍ତକ ‘ଆଧୁନିକ ଭାରତରେ ପୋଲିସର ଭୂମିକା’, ‘ମାନବିକ ଅଧିକାର ଆଇନ୍’ ଓଡ଼ିଶାରେ ଚହଳ ପକାଇଛି ବୋଲି ବର୍ଣ୍ଣନା କରିଥିଲେ । ଉନ୍ମୋଚନ ଉତ୍ସବରେ ଔପନ୍ୟାସିକ ଶ୍ରୀରାଉତ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ଯେ, କବିତା, ଗଳ୍ପ, ପ୍ରବନ୍ଧ ରଚନାର ସଫଳତା ପରେ ଉପନ୍ୟାସ ପାଇଁ ଏକ ଅବଶାଷ ଥିଲା, ତେଣୁ ଜୀବନରେ ସାଉଁଟି ଥିବା କେତେକ ସତ୍ୟ ଘଟଣାରେ କଳ୍ପନା ବର୍ଣ୍ଣନା ଦେଇ ସଖପାଠ୍ୟ କରିବାକୁ ଚେଷ୍ଟା କରିଛୁ । ପ୍ରକାଶ ଥାଉକି, ଶ୍ରୀରାଉତଙ୍କର ଏକ କବିତା ଢେଙ୍କାନାଳ ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମରେ ସ୍ଥାନିତ ହେବାର ଗୌରବଲାଭ କରିଛି । ଏହି ଉତ୍ସବରେ ପ୍ରଫେସର ତାରାପ୍ରସନ୍ନ ଶତପଥୀ, ସରୋଜ ଶତପଥୀ, ଡ଼ ଅଜିତ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିବାବେଳେ ‘ବିଶ୍ୱ ଓଡ଼ିଶା’ର ସମ୍ପାଦକ ମନୋଜ ମନ୍ମୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version