ଦିନିକିଆ ସଦଭାବନା ପଦଯାତ୍ରା ପାଇଁ ପିସିସିର ପ୍ରସ୍ତୁତି ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ଭୁବନେଶ୍ୱର :- ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକ ପୂର୍ତି ଓ ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତି ଅବସରରେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଆସନ୍ତା ମାର୍ଚ୍ଚ୧୩ ତାରିଖ ଦିନ ଏକ ଦିନିକିଆ ‘ସଦ୍‌ଭାବନା ପଦଯାତ୍ରା’ର ଆୟୋଜନ କରାଯାଉଛି । ଏହି ଅବସରରେ ଆଜି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅଜିତ୍ ମଙ୍ଗରାଜ, ପୁରୀ ଜିଲ୍ଲା ସେବାଦଳ ମୁଖ୍ୟ ସଂଗଠକ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ପ୍ରମୁଖ ଯୋଗଦେଇ ପଦଯାତ୍ର ସଂପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ନିଷ୍ପତି ଅନୁସାରେ ୧୩ ତାରିଖ ଦିନ ସକାଳ ୭ ଘଟିକା ସମୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗାନ୍ଧୀ ସ୍ମାରକୀ ପିଠ ତଥା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ବେରବୋଇ ଠାରୁ ଶୁଭାରମ୍ଭ କରାଯିବ ।

ଏହି ପଦଯାତ୍ରାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗଦେବେ । ଏହି ଦିନ ସନ୍ଧ୍ୟାବେଳେ ପଦଯାତ୍ରା ଦାଣ୍ଡମୁକୁନ୍ଦପୁର ଠାରେ ପହଂଚିବା ପରେ ଏକ ସାଧାରଣ ସଭା ହୋଇ ପଦଯାତ୍ରା ସମାପ୍ତ ହେବ । ମହାତ୍ମା ଗାନ୍ଧୀ ଓଡ଼ିଶାର ଯେଉଁ ଯେଉଁ ସ୍ଥାନକୁ ଆଗମନ କରିଛନ୍ତି ସେଠାରେ ପରବର୍ତୀ ସମୟରେ ଅନୁରୂପ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ପିସିସି ସଭାପତି କହିଛନ୍ତି । ଏହି ପଦଯାତ୍ରା ଏବଂ ସାଧାରଣ ସଭା କାର୍ଯ୍ୟକ୍ରମରେ ଗାନ୍ଧିପ୍ରେମୀ, ଗୋପବନ୍ଧୁ ପ୍ରେମୀ ଓ କଂଗ୍ରେସ ପ୍ରେମୀ ଜନସାଧାରଣ ବହୁଳ ସଂଖ୍ୟାରେ ଯୋଗଦେଇ ସଦ୍‌ଭାବନା ପଦଯାତ୍ରାକୁ ସଫଳ କରିବା ପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ଉମାବଲ୍ଲଭ ରଥ, ଜ୍ଞାନଦେବ ବେଉରା, ମାନସ ଚୌଧୁରୀ, ବିଶ୍ୱଜିତ୍ ଦାଶ, ଜାନକୀ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବିପିନ ଦାସ, ପୂର୍ଣ୍ଣ ସ୍ୱାଇଁ, ବିଶ୍ୱ ଦାଶ, ସୁବ୍ରତ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ହଳଧର ସେଠୀ, ଯୋଗୀନାଥ ବାହୁ ବଳେନ୍ଦ୍ର, ଲଲାଟେନ୍ଦୁ ଦାସ, ଅମୀୟ ପଟ୍ଟନାୟକ, ଜ୍ୟୋତିଷ ସାହୁ ଏମଡି ସାହାଦୁଲ୍ଲା, କୈଳାସ ସାହୁ, କୁଳମଣି ସାହୁ ଏବଂ ପୁରୀ ଜିଲ୍ଲାର ଅଧିକାଂଶ ବ୍ଲକ ସଭାପତିଙ୍କ ସମତେ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Exit mobile version