ଦାରିଦ୍ର‌୍ୟ ଦୂରୀକରଣର ଦାୟିତ୍ୱ ଶିକ୍ଷାର୍ଥୀଙ୍କ ଉପରେ ନ୍ୟସ୍ତ : ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ

ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ଭୁବନେଶ୍ୱର :- ଦେଶର ଦାରିଦ୍ର‌୍ୟ ଦୂରୀକରଣ ଦାୟିତ୍ୱ ଶିକ୍ଷାର୍ଥୀଙ୍କ ଉପରେ ନ୍ୟସ୍ତ । ଏସମ୍ପର୍କରେ ବେଦାନ୍ତ ରିସୋର୍ସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଇଂଟରନ୍ୟାଶନାଲ ମ୍ୟାନେଜମେଂଟ୍ ଇନଷ୍ଟିଚ୍ୟୁଟ୍‌(ଆଇଏମ୍‌ଆଇ) ଭୁବନେଶ୍ୱରର ୮ମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ କହିଛନ୍ତି । ସଦ୍ୟ ଶିକ୍ଷାସମାପ୍ତ କରିଥିବା ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ଆଧୁନିକ ଭାରତର ଆଲୋକ ବର୍ତିକା ସଦୃଶ ସେମାନେ କାର୍ଯ୍ୟ କରିବ । ନୂଆ ଭାରତ ଗଠନରେ ଷ୍ଟାର୍ଟ ଅପ୍ ଏବଂ ଉଦ୍ୟୋଗୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ଅବସରରେ ଶିକ୍ଷାବିତ୍‌, ବରିଷ୍ଠ ସରକାରୀ କର୍ମଚାରୀ, କର୍ପୋରେଟ୍ ଜଗତର ବିଶିଷ୍ଟ ବ୍ୟକ୍ତି, ଆଇଏମ୍‌ଆଇ ଭୁବନେଶ୍ୱର ପ୍ରଶାସନିକ ବୋର୍ଡ ଏବଂ ଆର୍‌ପି-ସଞ୍ଜିବ୍ ଗୋଏଙ୍କା ( ଆର୍‌ପିଏସ୍‌ଜି) ଗ୍ରୁପ୍‌ର ଅଧିକାରୀ ଆଦି ୫୦୦ରୁ ଅଧିକ ଗଣମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ବେଦାନ୍ତ ରିସୋର୍ସ ଲିମିଟେଡ୍ ପୃଥିବୀର ଅଗ୍ରଣୀ ତୈଳ ଏବଂ ଗ୍ୟାସ୍ ତଥା ମେଟାଲ କମ୍ପାନୀ ।

ଏହା ତୈଳ, ଗ୍ୟାସ୍‌, ଜିଙ୍କ୍‌, ଲିଡ୍‌, ସିଲଭର, କପର, ଆଇରନ୍ ଓର. ଷ୍ଟିଲ୍‌, ଆଲୁମିନିୟମ୍ ଏବଂ ପାୱାର କାରବାର ଭାରତ, ଦକ୍ଷିଣ ଆଫ୍ରିକା, ନାମ୍ବିଆ ଏବଂ ଅଷ୍ଟ୍ରେଲିଆରେ ଜାରି ରଖିଛି । ଏହି ଅବସରରେ ଅନୀଲ ଅଗ୍ରୱାଲ ଭର୍ଚୁଆଲ୍ ଭାବେ ଯୋଗଦେଇ ଉଚ୍ଚକୋଟୀର ଦୀକ୍ଷାନ୍ତ ଭାଷଣ ଉପସ୍ଥାପନ କରିଥିଲେ । ଅତି ଭାବଗର୍ଭକ ଭାବେ ସେ ଶିକ୍ଷାର୍ଥୀଙ୍କୁ ନିଜ ପ୍ରେରଣାଦାୟୀ ଅଭିଭାଷଣ ମାଧ୍ୟମରେ ଉତ୍ସାହିତ କରିବାର ଉଦ୍ୟମ କରିଥିଲେ । ‘ଆଧୁନିକ ଭାରତର ଆଲୋକ ବର୍ତିକା’ ଭାବେ ସେ ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କୁ ଅଭିହିତ କରିଥିଲେ । ନିଜ କାର୍ଯ୍ୟକ୍ଷେତ୍ରରେ ଉତ୍ସାହିତ ମନୋଭାବ ପୋଷଣ କରୁଥିବା କମ୍ପାନୀରେ ଯୋଗଦେବା ଲାଗି ସେ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ନୂଆ ଭାରତ ଗଠନରେ ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ । ଷ୍ଟାର୍ଟ-ଅପ୍‌ଗୁଡ଼ିକ ଶିକ୍ଷାର୍ଥୀମାନଙ୍କ ପାଇଁ ନୂତନ ମନ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ । ଷ୍ଟାର୍ଟ-ଅପ୍‌ରେ ବିପୁଳ ସୁଯୋଗ ରହିଛି ।

ଏଭଳି ସ୍ଥିତି ସେ ଜୀବନକାଳ ମଧ୍ୟରେ ପୂର୍ବରୁ କେବେ ଦେଖି ନ ଥିବା ସୂଚନା ଦେଇଥିଲେ । ଏଥିରେ ପ୍ରାଇଭେଟ୍ ନିବେଶ, ସରକାରୀ ସହାୟତା ଏବଂ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଫଳରେ ଜଣେ ଚାକିରି ନ ଖୋଜି ଷ୍ଟାର୍ଟ-ଅପ୍ ଦ୍ୱାରା ଅନ୍ୟମାନଙ୍କୁ ନିଯୁକ୍ତି ଯୋଗାଇ ଦେଇପାରିଥାନ୍ତି । ଏହା ସହିତ ସେ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରି ଏକ୍ଷେତ୍ରରେ ଆଇଏମ୍‌ଆଇ ଭୁବନେଶ୍ୱରକୁ ବହୁବିଧ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ଅବସରରେ ସେ ଶିକ୍ଷାର୍ଥୀମାନଙ୍କୁ ନମ୍ର-ସାଧୁତା ଏବଂ ଜିଜ୍ଞାଷାକୁ ଗୁରୁତ୍ୱଦେବାକୁ ପରାମର୍ଶ ଦେଇଥିଲେ । ତାଙ୍କର ଏହି ୩ ମନ୍ତ୍ରକୁ ଉପସ୍ଥିତ ଶିକ୍ଷାର୍ଥୀମାନେ ବେଶ୍ ପ୍ରଶଂସା କରିଥିଲେ । ସେ ନିଜେ କିଭଳି ପ୍ରାରମ୍ଭିକ ପର୍ଯ୍ୟାୟରେ ସଂଘର୍ଷ ମଧ୍ୟରେ କ୍ୟାରିୟର ଆରମ୍ଭ କରିଥିଲେ ସେ ସମ୍ପର୍କରେ ଶିକ୍ଷାର୍ଥୀଙ୍କୁ ଅବଗତ କରାଇଥିଲେ । ତେଣୁ କେବେ ଭୟଭୀତ ନ ହୋଇ ନିଜ ହୃଦୟର କଥା ଶୁଣି କାର୍ଯ୍ୟ କରିବାକୁ ଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଥିଲେ । ଦେଶରେ ଜାରି ରହିଥିବା ଜ୍ଞାନକୌଶଳର ବିକାଶ ଏବଂ ଭାରତୀୟ ଶିକ୍ଷାର୍ଥୀଙ୍କ ଜନ୍ମଗତ ଦକ୍ଷତା ଯୋଗୁ ଭାରତର ଭବିଷ୍ୟତ ଉଜ୍ଜଳମୟ ହେବ ବୋଲି ସେ କହିଛନ୍ତି ।

ଭାରତ ସରକାର ଡିଜିଟାଲିକରଣକୁ ପ୍ରାଧାନ୍ୟ ଦେଉଥିବାବେଳେ ତୁମ ମାନଙ୍କ ଭଳି ଶିକ୍ଷାର୍ଥୀ କାହିଁକି ବିଶ୍ୱର ବିକଶିତ ଜ୍ଞାନକୌଶଳ ଥିବା ଦେଶ ଭଳି ଭାରତକୁ ପରିଣତ କରି ପାରିବେ ନାହିଁ ବୋଲି ସେ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସେ ସାମ୍ପ୍ରତିକ ସରକାରୀ ନୀତି ଉପରେ ଗୁରୁତ୍ୱାରୋପ କରି ଏହା କିଭଳି ବ୍ୟବସାୟକୁ ସହଜ କରିଛି ଏବଂ ଦେଶରେ ଏମ୍‌ଏସ୍‌ଏମ୍‌ଇ ଇକୋ ସିଷ୍ଟମ ପ୍ରସ୍ତୁତି କରିବା କ୍ଷେତ୍ରରେ ସହାୟତା ପ୍ରଦାନ କରୁଛି ତାହା ସୂଚିତ କରିଛନ୍ତି । ଭାରତରେ କିଭଳି ନୂଆ ଇକୋସିଷ୍ଟମ ବିକାଶ ହୋଇ ପାରିବ ସେ ସମ୍ପର୍କରେ ସେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ, ଯଦି ତୁମ ପାଖରେ ଉପଯୁକ୍ତ ବୃହତ୍ ଚିନ୍ତାଧାରା ରହିଛି ତେବେ ବହୁବିଧ ବାଟ ଏବଂ ସହାୟତା ପ୍ରଣାଳୀ ତୁମକୁ ସଫଳ କରିବାକୁ ସକ୍ଷମ ହୋଇପାରିବ । ବହୁ ଶିଳ୍ପର ଘରୋଇ କରଣ ଦ୍ୱାରା ସରକାର ନୂତନ ସୁଯୋଗ ସୃଷ୍ଟି କରି ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଉପସ୍ଥାପିତ ହୋଇଥିବା ଭାରତକୁ ୫ ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେଉଛନ୍ତି । ଯୁବବର୍ଗ ଜ୍ଞାନକୌଶଳର ବିକାଶ ମାଧ୍ୟମରେ ଆମଦାନୀ ସମସ୍ୟାର ସଫଳ ସମାଧାନ କରିପାରିବେ ବୋଲି ସେ କହିଛନ୍ତି । ପ୍ରାକୃତିକ ସମ୍ପଦରେ ଭରପୂର ଦେଶ ଭାବେ ଭାରତ ପୃଥିବୀରେ ପରିଚିତି ହାସଲ କରିଥିଲେ ମଧ୍ୟ ଆମେ ପ୍ରାକୃତିକ ସମ୍ପଦର ଆମଦାନୀ କରୁଛେ । ଭାରତ ବିକଶିତ ଦେଶ ଭାବେ ଏକ ଡମ୍ପିଂ ଗ୍ରାଉଣ୍ଡଭାବେ ପରିଣତ ହୋଇଛି ।

ଯୁବବର୍ଗ ନୂଆ ବଜାର ସୃଷ୍ଟି କରି ଭାରତର ଆର୍ଥିକ ବ୍ôୟସ୍ଥାକୁ ସୁଦୃଢ଼ କରିବାକୁ ସକ୍ଷମ ହେବେ । ଯାହାଫଳରେ ସାରା ଦୁନିଆ ଆମ ବିକାଶ ର ଜୟଯାତ୍ରା ଦେଖି ପାରିବ । ଓଡ଼ିଶାରେ ରାଜ୍ୟର ଏବଂ ଲୋକଙ୍କ ଦକ୍ଷତା ଏବଂ ସୁଯୋଗକୁ ଦୃଷ୍ଟିରେ ରଖି ବେଦାନ୍ତ ବୃହତ୍ ନିବେଶକ ଭାବେ ୫୦,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛି । ଯାହାଦ୍ୱାରା କମ୍ପାନୀର କାର୍ଯ୍ୟ ଜାରି ରହିଥିବା ଝାରସୁଗୁଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ଆର୍ଥିକ ସାମାଜିକ ବିକାଶ ସମ୍ଭବ ହୋଇ ପାରିଛି । ପୃଥିବୀର ବୃହତ୍ ଆଲୁମିନିୟମ୍ କମ୍ପେ୍ଲକ୍ସ୍‌, ଆଲୁମିନା ରିଫାଇନାରୀ ଏବଂ ପାୱାର ପ୍ଲା୍ ସ୍ଥାପନ ଦ୍ୱାରା ବେଦାନ୍ତ ୪ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିୟୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛି । ଦେଶର ସଦସ୍ୟତମ ଗ୍ରାଜୁଏଟ୍ କିଭଳି ନିଯୁକ୍ତି ପ୍ରଦାନକାରୀ ଭାବେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ କାର୍ଯ୍ୟ କରି ନୂଆ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ ତାହା ଅନୀଲ ଅଗ୍ରୱାଲ କହିଛନ୍ତି ।

ବେଦାନ୍ତ ଏହି କ୍ଷେତ୍ରରେ ରହିଥିବା ସୁଯୋଗକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସହଯୋଗୀ ଆଲୁମିନିୟମ୍ ପାର୍କ ସ୍ଥାପନ ପାଇଁ ୧୦,୦୦୦କୋଟି ଟଙ୍କାର ନିବେଶ କରୁଛି । ଏହାଦ୍ୱାରା ରାଜ୍ୟର ୧୦୦ରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ସହିତ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ । ସମାଜକୁ ଫେରାଇବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା କମ୍ପାନୀ ଭାବେ ବେଦାନ୍ତ ଓଡ଼ିଶାର ସାମାଜିକ କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବନଜୀବିକା ଏବଂ ଭିତିଭୂମି ବିକାଶ କ୍ଷେତ୍ରରେ ନିବେଶ କରିବା ଜାରି ରଖିଛି । ଏହାଦ୍ୱାରା ପ୍ରତିବର୍ଷ ରାଜ୍ୟର ବହୁ ଦୁର୍ଗମ ଗ୍ରାମ ଉପକୃତ ହୋଇପାରୁଛନ୍ତି । ଦେଶରୁ ଦାରିଦ୍ର‌୍ୟ ଦୂରୀକରଣ ଏବଂ ବିକାଶ ଧାରା ଜାରି ରଖିବା ପାଇଁ ବେଦାନ୍ତ ପକ୍ଷରୁ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟ ଅବ୍ୟାହତ ରହିଛି । ଲୋକଙ୍କୁ ସ୍ୱଚ୍ଛ ପିଇବା ପାଣି, ପରିମଳ ବ୍ୟବସ୍ଥା, ବିଦ୍ୟୁତିକରଣ, ଶିକ୍ଷା, ଜରୁରିକାଳୀନ ମେଡ଼ିକାଲ ସେବା, ଆମ୍ବୁଲାନ୍ସ୍‌, ରାସ୍ତା ନିର୍ମାଣ ଆଦି ବହୁବିଧ କାର୍ଯ୍ୟ ବେଦାନ୍ତ ପକ୍ଷରୁ ସମ୍ପନ୍ନ ହେଉଛି ।

Exit mobile version