ସ୍ୱାସ୍ଥ୍ୟ ସଚେତନତା ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ ସହ ଟିମ କ୍ଲିନ ସିଟିର ସାପ୍ତାହିକ ସାମାଜିକ ସେବା ଜାରି

ଓଡ଼ିଶା ତାଜା ନ୍ୟୁଜ (୨୮ ଫେବୃଆରି,ରବିବାର ) ବ୍ରହ୍ମପୁର :- ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି(TCC) ପକ୍ଷରୁ ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ ଜାରି ରହିଛି । ଆଜି ଟିମ ପକ୍ଷରୁ ସଦସ୍ୟ ମାନେ ଭୁବନେଶ୍ୱର ସ୍ଥିତ ‘ଆମରି’ ହସ୍ପିଟାଲ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ । ସ୍ଥାନୀୟ କମାପଲି ଛକରୁ ଶୋଭାଯାତ୍ରାରେ ବାହାରି ଟାଉନ ହଲ ପର୍ଯ୍ୟନ୍ତ ଯାଇଥିଲେ । ହାତରେ ପ୍ଲା କାର୍ଡ ଧରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଚେଷ୍ଟା କରାଯାଇଥିଲା । ପରେ ଟିମ ସଦସ୍ୟ ମାନେ ସବ ରେଜିଷ୍ଟ୍ରାର ଅଫିସ ନିକଟ ରେ ଥିବା ମହାନ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ସାଂସଦ ଓ ବିଧାୟକ ସ୍ବର୍ଗତ ପଦ୍ମଶ୍ରୀ ମୋହନ ନାୟକଙ୍କ ପ୍ରତିମୂର୍ତ୍ତିକୁ ସଫେଇ କରାଯାଇଥିଲା ।

ପରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ବର୍ଗତ ନେତାଙ୍କ ସ୍ମୃତିଚାରଣ କରାଯାଇଥିଲା । ପଦ୍ମଶ୍ରୀ ମୋହନ ନାୟକ ସ୍ୱାଧୀନତା ପୂର୍ବ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ସାମିଲ ହୋଇଥିଲେ। ପରେ 1957 ଓ 1962 ମସିହାରେ ଗଞ୍ଜାମରୁ ସାଂସଦ ଭାବେ ଓ 1974 ମସିହାରେ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସ୍ବର୍ଗତ ପଦ୍ମଶ୍ରୀ ମୋହନ ନାୟକ ଜଣେ ଅଗଧାଡ଼ିର ଦଳିତ ନେତା ଥିଲେ । ପରେ ସମ୍ପ୍ରତି ଜାରି ରହିଥିବା ପ୍ରବଳ ରୌଦ୍ରତପକୁ ଦୃଷ୍ଟିରେ ରଖି ଟିମର ସଦସ୍ୟଙ୍କ ଦ୍ୱାରା ବୃକ୍ଷରେ ଜଳଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ TCC ର ବହୁ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Exit mobile version