ଆଚାର୍ଯ୍ୟ ହରିହରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ; ଓଡିଆ ଭାଷା ବିଶ୍ୱ ବିଦ୍ୟାଳୟ ଆଚାର୍ଯ୍ୟ ହରିହରଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି – ମନ୍ତ୍ରୀ ରଘୁନନ୍ଦନ ଦାସ

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର ) ଭୁବନେଶ୍ୱର :- ଆଚାର୍ଯ୍ୟ ହରିହର ସାଧାରଣ ମଣିଷ ହୋଇ ମଧ୍ୟ ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱରୁ ରହି ସମାଜର ବିକାଶ, ଅଶିକ୍ଷା ଓ କୁସଂସ୍କର ବିରୁଦ୍ଧରେ ସଂଗ୍ରାମ ଏବଂ ସ୍ୱାଧୀନତା ଆନ୍ଦୋଳନ ପାଇଁ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତାକୁ ଆପଣେଇଥିଲେ । ସେହି ସତ୍ୟବାଦୀର ବକୁଳ ବନବିଦ୍ୟାଳୟଠାରେ ଓଡିଶା ବିଶ୍ୱ ବିଦ୍ୟାଳୟର ନିର୍ମାଣ ଶୈଳୀ(ଡିଜାଇନ୍‌)କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବକୁଳ ବନ ବିଦ୍ୟାଳୟର ସେହି ଋଷି ପ୍ରତୀମ ଆଚାର୍ଯ୍ୟ ହରିହର ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହିତ ପଂଚସଖାମାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଜି ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ୧୪୩ ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି ।

ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଓ ଭୁବନେଶ୍ୱର ସ୍ଥିତ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଆନୁକୂଲ୍ୟରେ ଉଭୟ ମଂଚ ଓ ଭର୍ଚୁୁଆଲ ବ୍ୟବସ୍ଥାରେ ଆଜି ସଂଧ୍ୟାରେ ଜୟଦେବ ଭବନଠାରେ ଆୟୋଜିତ ଆଚାର୍ଯ୍ୟ ହରିହରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀରେ ପ୍ରାରମ୍ଭରେ ଅତିଥିମାନେ ଏହି ପୁଣ୍ୟାତ୍ମାଙ୍କ ପ୍ରତି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ସରଳ ଜୀବନ ଯାପନର କାହାଣୀ ଉପସ୍ଥାପନ କରି ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁରରେ ଜନ୍ମଗ୍ରହଣ କରି ସମାଜ ପାଇଁ ଆଚାର୍ଯ୍ୟଙ୍କ କାର୍ଯ୍ୟ ଓ ତ୍ୟାଗ ଯୁଗେ ଯୁଗେ ତାଙ୍କୁ ଆଦର୍ଶ କରି ରଖିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ଆଚାର୍ଯ୍ୟ ହରିହର ଭୂଦାନ, ନାରୀଶିକ୍ଷା ଓ ଶିକ୍ଷାର ବିକାଶ ଏବଂ ରାଜନୈତିକ ଓ ସାମାଜିକ ସଂସ୍କାରର ବାର୍ତା ପ୍ରଦାନ କରୁଥିଲେ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ ଆଚାର୍ଯ୍ୟ ହରିହର ଓ ବକୁଳ ବନର ପଂଚ ସଖା ମାନେ ଯେପରି ଦେଶ ଓ ସମାଜ ପାଇଁ କଣ୍ଟକିତ ପଥରେ ଯାଇ ଅତୁଳନୀୟ ସେବା ଓ ତ୍ୟାଗର ନିଦର୍ଶନ ଛାଡି ଯାଇଛନ୍ତି, ତାହା ସମସ୍ତଙ୍କ ପାଇଁ ଅନୁକରଣୀୟ ହୋଇଛି ବୋଲି ପ୍ରକାଶ କରିଥିଲେ ।

ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡଃ. ଗିରିଶ ପ୍ରସାଦ ସ୍ୱାଇଁ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କୁ ଶ୍ରୀ ଅରବିନ୍ଦଙ୍କ ସହ ତୁଳନା କରିଥିଲେ । ଆଚାର୍ଯ୍ୟ ହରିହର ଋଷି ପରି ଥିଲେ ମଧ୍ୟ ଶିକ୍ଷା ପ୍ରଦାନ ଦ୍ୱାରା କିପରି ଦେଶରେ ସ୍ୱାଧୀନତା ସଂଗ୍ରାମ ଓ ସମାଜରେ ବୈପ୍ଳବିକ ପରିବର୍ତନ ଅଣାଯାଏ, ତାହାର ଜ୍ୱଳନ୍ତ ଉଦାହରଣ ଆଚାର୍ଯ୍ୟ ଥିଲେ ବୋଲି ମୁଖ୍ୟବକ୍ତା ଡଃ. ସ୍ୱାଇଁ ପ୍ରକାଶ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଆଚାର୍ଯ୍ୟ ହରିହରଙ୍କ ବାଗ୍ମିତା, ସାଂଗଠନିକ ଦକ୍ଷତା ଓ ଆଦର୍ଶ ଶିକ୍ଷକତାର ବାଣୀ ଆମ ସମସ୍ତଙ୍କ ଜୀବନରେ ସ୍ଫୁଲିଙ୍ଗ ସୃଷ୍ଟିକରୁବୋଲି ପ୍ରକାଶ କରିଥିଲେ । ସୂଚନା ଅଧିକାରୀ ପ୍ରମିଳା ମାଝି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀ ଭାଗବତ ପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ ।

Exit mobile version