ଦୁର୍ଦ୍ଦିନରେ ବୁଣାକାର ପରିବାର

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର )ହିଞ୍ଜିଳିକାଟୁ :- ବହୁ ଘାତ ପ୍ରତିଘାତ ମଧ୍ୟରେ କୌଳିକ ବୃତିକୁ ଆଦରି ନେଇ ଲୁଗା ବୁଣି ପରିବାର ପ୍ରତିପୋଷଣ କରି ଆସୁଥିବା ବୁଣାକାର ମାନଙ୍କ ଦୁଃଖ କହିଲେ ନସରେ । ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବା ଯୋଗୁଁ ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବହୁ ଗ୍ରାମାଂଚଳରେ ବସବାସ କରୁଥିବା ବୁଣାକାର କାରିଗରଙ୍କ ଭାଗ୍ୟ ସୂତା ଖିଅରେ ଝୁଲୁଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି । କୌଳିକ ବୃତିକୁ ବଂଚାଇ ରଖି ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବହୁ ଗ୍ରାମାଂଚଳର ଯେଉଁ କେତେକ ହସ୍ତତନ୍ତ କାରିଗର ଦିନରାତି କଠିନ ପରିଶ୍ରମ କରି ସୂତାଲୁଗା ଉତ୍ପାଦନରେ କାର୍ଯ୍ୟ କରୁଛନ୍ତି ସେମାନେ ନାନା ସମସ୍ୟାରେ ଜର୍ଜରିତ ହୋଇ କାଳାତିପାତ କରୁଥିବା ଦେଖିବାକୁ ମିଳିଛି ।
ହସ୍ତତନ୍ତ କାରିଗରଙ୍କ ହାତର ସ୍ୱର୍ଶରେ ବିଭିନ୍ନ କିସମର ସମ୍ବଲପୁରୀ ଲୁଗା ପ୍ରସ୍ତୁତ ହୋଇ ହିଂଜିଳିକାଟୁ ଅଂଚଳର ଶୋଭା ବର୍ଦ୍ଧନ କରୁଛି । ଯାହାର ଆଦର ସାରା ରାଜ୍ୟରେ ରହିଛି । ତେବେ ହସ୍ତତନ୍ତ କାରିଗରଙ୍କୁ କମ୍ ପାରିଶ୍ରମିକ ମିଳୁଥିବାରୁ ଏମାନଙ୍କ ଅବସ୍ଥା ଦିନକୁ ଦିନ ଦୁର୍ବିସହ ହେବାକୁ ଲାଗିଲାଣି । ଫଳରେ ଶହ ଶହ ବୁଣାକାର ପରିବାର ଏବେ ନିଜ କୌଳିକ ବୃତିରୁ ଦୂରେଇ ଯାଉଛନ୍ତି । ପ୍ରୋତ୍ସାହନର ଅଭାବ ଓ ଆର୍ଥିକ ସଙ୍କଟ ଯୋଗୁଁ ହସ୍ତତନ୍ତ ବୁଣାକାରମାନେ ଅନ୍ୟ ରୋଜଗାର ପନ୍ଥା ଅପଣାଇବାକୁ ବାଧ୍ୟ ହେଉଛନ୍ତି । ପୂର୍ବପୁରୁଷ ଅମଳରୁ ଚାଲି ଆସିଥିବା ଏହି ପରମ୍ପରା ଏବେ ନାନା କାରଣରୁ ବନ୍ଦ ହେବାକୁ ବସିଛି । ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ସାରୁ, ମକରଝୋଳ, ସମରଝୋଳ, ଦୁର୍ବନ୍ଧ, କଂଚୁରୁ, ପୋଡ଼ିଙ୍ଗି, କଂଟେଇକୋଳି, ଶ୍ରଦ୍ଧାପୁର, ବେଲଗାଁ, ଗଣ୍ଡଳା ସମେତ କେତେକ ଗ୍ରାମଂଚଳରେ ଏହି ହସ୍ତତନ୍ତ ବୁଣାକାର ମାନେ ରହୁଛନ୍ତି । କିଛି ବର୍ଷ ପୂର୍ବେ ବିଭିନ୍ନ ଗ୍ରାମାଂଚଳରେ ହସ୍ତତନ୍ତ ଲୁଗା ଉତ୍ପାଦନ ପାଇଁ ବହୁ ତନ୍ତ ରହିଥିଲା । ମାତ୍ର ଦିନକୁ ଦିନ ଏହା ହ୍ରାସ ପାଇବାକୁ ବସିଲାଣି ।
ହିଂଜିଳିକାଟୁ ପୌରାଂଚଳରେ ୫ ଟି ହସ୍ତତନ୍ତ ଥିଲା ବେଳେ ଦୁର୍ବନ୍ଧ ଗ୍ରାମରେ ୫ ଟି, ଶ୍ରଦ୍ଧାପୁର ଗ୍ରାମରେ ୧୦ ଟି, କଂଚୁରୁ ଗ୍ରାମରେ ୮ ଟି, କଂଟେଇକୋଳି ଗ୍ରାମରେ ୧୨ ଟି, ପୋଡ଼ିଙ୍ଗି ଗ୍ର।।ମରେ ୫ ଟି, ମକରଝୋଳ ଓ ନୁଆଁ ମକରଝୋଳ ଗ୍ରାମରେ ୨୦ ଟି ହସ୍ତତନ୍ତ ରହିଛି । ହସ୍ତତନ୍ତ ପରିବାର ବର୍ଗଙ୍କ ୩ ଜଣ ସଦସ୍ୟ କଠିନ ପରିଶ୍ରମ କରି ଲାଗିଲେ ପ୍ରାୟ ଦିନକୁ ଗୋଟିଏ କିମ୍ବା ଦୁଇ ଦିନରେ ସର୍ବାଧିକ ୩ ଟି ଲୁଗା ଉତ୍ପାଦନ କରାଯାଇଥାଏ । ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବାରୁ ହସ୍ତତନ୍ତ କାରିଗର ମାନେ ଲୁଗା ଉତ୍ପାଦନ ପାଇଁ ଆଗଭଳି ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ହସ୍ତତନ୍ତ ପରିବାର ମାନେ କମ୍ ପାରିଶ୍ରମିକ ପାଉଥିବା ଯୋଗୁଁ ଏହାକୁ ବୃତି ରୂପେ ନେଇ ପରିବାର ପ୍ରତିପୋଷଣ କରିବା ସହଜ ସାଧ୍ୟ ହେଉନାହିଁ । କଠିନ ପରିଶ୍ରମରେ ଯାହା କିଛି ଲାଭ ହେଉଛି ସେଥିରେ କେବଳ ହସ୍ତତନ୍ତ କରିଗରଙ୍କ ତେଲ ଲୁଣର ସଂସାର ଚାଲୁଛି । ପୂର୍ବପୁରୁଷ ଅମଳରୁ ବୁଣାକାର ମାନେ ସୁତାକୁ ବିଭିନ୍ନ ଛନ୍ଦରେ ଛନ୍ଦିତ କରି ବୁଣୁଥିବା ବିଭିନ୍ନ ବସ୍ତ୍ର କେବଳ ମଣିଷର ଲଜ୍ଜା ନିବାରଣ କରେ ନାହିଁ ବରଂ ବ୍ୟକ୍ତି ଓ ଜାତି ଆଧାରରେ ଦେଇଥାଏ ସ୍ୱତନ୍ତ୍ର ମାନ୍ୟତା ।
ଐତିହସମ୍ପନ୍ନ ବୟନ କଳାକୁ ଯୁଗ ଯୁଗ ଧରି ବଂଚାଇ ଆସିଥିବା ବୁଣାକାର ଆଜି ଦାରିଦ୍ର୍ୟର କଷାଘାତରେ ଜର୍ଜରିତ । ରାଜ୍ୟର ନିର୍ମାଣ ଶ୍ରମିକଙ୍କ ପାଇଁ ଅନେକ ଯୋଜନା ହେଲେ ବିଶ୍ୱ ଦରବାରରେ ଓଡ଼ିଆ ଜାତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ଏହି ବୁଣାକାରଙ୍କୁ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ଭଳି । ମେସିନରେ ଉତ୍ପାଦିତ ବସ୍ତ୍ର ଅପେକ୍ଷା ସ୍ୱାଭାବିକ ଭାବେ ହାତବୁଣା ଲୁଗାର ଦର ଅଧିକ ରହୁଥିବାରୁ ଏହାର ବିକ୍ରିବଟା କମିବାରେ ଲାଗିଛି । ସେହିପରି ଗତ କରୋନା ସମୟରେ ବିଭିନ୍ନ ଶ୍ରମିକଙ୍କୁ ସରକାର ଆର୍ଥିକ ପ୍ରୋତ୍ସାହନ ଦେଇଥିବା ବେଳେ ବୁଣାକାରଙ୍କ ପାଇଁ କିଛି ସହାୟତା ବ୍ରବସ୍ଥା ନଥିଲା । ବୁଣାକାର ମାନଙ୍କର ଏପରି ସ୍ଥିତି ଦେଖି ବୁଣାକାରର ପରିବାରର ଯୁବପିଢି ଏବେ ନିଜର କୌଳିକ ବୃତିରୁ ମୁହଁ ଫେରାଇ ଦେଇ ଅନ୍ୟ କୌଳିକ ବୃତି ବା ଦାଦନ ଖଟିବା ସକାଶେ ପଡ଼ୋଶୀ ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ପ୍ରମୁଖ ରାଜ୍ୟ ମୁହାଁ ହେଉଛନ୍ତି । ଯଦ୍ୱାରା ସ୍ଥାନୀୟ ଅଂଚଳର ବୁଣାକାର ମାନଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଲାଣି । ଏଭଳି ସ୍ଥିତି ଆଗାମୀ ଦିନରେ ଲାଗି ରହିଲେ ସ୍ଥାନୀୟ ଅଂଚଳରୁ ହସ୍ତତନ୍ତ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବେ ଲୋପ ପାଇଯିବ ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଏ ଦିଗରେ ସରକାର ହସ୍ତତନ୍ତ କାରିଗର ମାନଙ୍କ ପ୍ରତି ଧ୍ୟାନ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ହସ୍ତତନ୍ତ କାରିଗର ମାନେ ଦାବି ଜଣାଇଛନ୍ତି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )