ସମସ୍ତ ଜିଲ୍ଲାର ପେଟ୍ରୋଲ ପମ୍ପରୁ ହୋର୍ଡିଂ ଖୋଲିବ ଯୁବ କଂଗ୍ରେସ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ନାଁରେ ଜୁଲମ ବନ୍ଦ କରିବାକୁ ୭ ଦିନର ମହଲତ ଦେଲା ଯୁବ କଂଗ୍ରେସ

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ଭୁବନେଶ୍ୱର :-  ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଂଜନ ଲେଙ୍କା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଅହେତୁକ ମୂଲ୍ୟବୃଦ୍ଧିକୁ ରୋକିବାକୁ ଯୁବ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଦାବି କରାଯିବା ସହ ୫ ଦିନର ମହଲତ ଦିଆଯାଇଥିଲା । କିନ୍ତୁ ସରକାର ଦାବି ଶୁଣିବା ତ ଦୂରର କଥା ପେଟ୍ରୋଲ, ଡିଜେଲ୍‌ ଦର ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସମେତ ଅନ୍ୟନ୍ୟା ମନ୍ତ୍ରୀମାନେ ଗଣମାଧ୍ୟମକୁ ହାସ୍ୟାସ୍ପଦ ବିବୃତି ଦେଉଛନ୍ତି । ଗତ ୭ ବର୍ଷ ଭିତରେ ଡିଜେଲ ଟିକସ କେନ୍ଦ୍ର ବଢ଼ାଇଛି ୭୯୩ ପ୍ରତିଶତ ଓ ରାଜ୍ୟ ବଢ଼ାଇଛି ୧୧୦ ପ୍ରତିଶତ । ସେହିପରି ପେଟ୍ରୋଲ ଦରରେ କେନ୍ଦ୍ର ବଢ଼ାଇଛି ୨୪୭.୪୧ ପ୍ରତିଶତ ଓ ରାଜ୍ୟ ବଢ଼ାଇଛି ୯୭.୫୪ ପ୍ରତିଶତ । ପ୍ରତ୍ୟେକ ଦିନ ପେଟ୍ରୋଲ, ଡିଜେଲର ଦର ବଢ଼ି ଚାଲିଛି । ଓଡିଶା ପ୍ରଦେଶ ଯୁବ କଂଗ୍ରେସ ତୈଳ ଦର ବୃଦ୍ଧିକୁ ବିରୋଧ କରି ଆନ୍ଦୋଳନ, ବିକ୍ଷୋଭ, ସାଇକେଲ୍‌ ଯାତ୍ରା ଜରିଆରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିବାଦ କରିଛି ।

୫ ଦିନ ପୂର୍ବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଅଭିମୁଖେ ମୋଟର ସାଇକେଲ, କାର୍‌ ଇତ୍ୟାଦି ଠେଲି ଠେଲି ନେଇ ତାଙ୍କୁ ଭେଟିବାକୁ ଯୁବ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଇଥିଲା ଏବଂ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଦରବୃଦ୍ଧି ନିୟନ୍ତ୍ରଣ କରିବାକୁ ୫ ଦିନର ମହଲତ ଦିଆଯିବା ସହ ଜନସାଧାରଣଙ୍କ ଟିକସ ପଇସାରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗାଯାଇଥିବା ହୋର୍ଡିଂ ଖୋଲିବାକୁ ଚେତାବନୀ ମଧ୍ୟ ଦେଇଥିଲା । କିନ୍ତୁ ୫ଦିନ ପୁରି ଯାଇଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଜି ଦର କମାଇବା ପରିବର୍ତେ ଦର ବଢ଼ାଇ ଚାଲିଛନ୍ତି । ଦେଶର ୬ ଟି ସହରରେ ପେଟ୍ରୋଲ ଦର ସେଂଚୁରୀ ମାରିଲାଣି, ଆମ ରାଜ୍ୟର ମାଲକାନାଗିରିରେ ପେଟ୍ରୋଲ ଦର ୯୬ ଟଙ୍କାରେ ପହଂଚିଲାଣି । କେନ୍ଦ୍ର ସରକାର ତୈଳ ଦର ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବାରୁ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ ଲିଟର ପିଛା ୪ ଟଙ୍କା କମାଇଛନ୍ତି ।

ସେହିପରି କଂଗ୍ରେସ ଶାସିତ ରାଜସ୍ଥାନ ସରକାର ମଧ୍ୟ ୨ ପ୍ରତିଶତ ଟିକସ କମାଇଛନ୍ତି । ଓଡିଶାରେ ଶାସନଗାଦିରେ ବସିଥିବା ବିଜେଡି ସରକାର ମାତ୍ରାଧିକ ଟିକସ ନେଇ ଦର ବୃଦ୍ଧି କରିବାରେ ସହାୟକ ହେଉଛନ୍ତି । ତେଣୁ ଉଭୟ ସରକାର ଟିକସ ନାମରେ ଜନସାଧାରଣଙ୍କୁ ଶୋଷି ନିଜ ଦଳୀୟ ପାଣ୍ଠିକୁ ବୃଦ୍ଧି କରିବାରେ ଲାଗିଛନ୍ତି ବୋଲି ଡଃ ଲେଙ୍କା ଅଭିଯୋଗ କରିଛନ୍ତି । ଜନସାଧାରଣଙ୍କ ହିତ ଦୃଷ୍ଟିରୁ ତାଙ୍କ ଟିକସ ପଇସାରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ସରକାର ଲଗାଇଥିବା ହୋର୍ଡିଂକୁ ଯୁବ କଂଗ୍ରେସ ପକ୍ଷରୁ ଆସନ୍ତା କାଲିଠାରୁ ଖୋଲାଯିବ ବୋଲି ଡଃ ଲେଙ୍କା ପ୍ରକାଶ କରିଛନ୍ତି । ବର୍ତମାନ ପରିସ୍ଥିତିରେ କ୍ଷୁଦ୍ର, ମଧ୍ୟମ ବ୍ୟବସାୟୀ ଠିକ୍‌ଭାବେ ଅଂଟା ସଳଖି ନଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ କମିଶନର ହୋଲ୍ଡିଂ ଟ୍ୟାକ୍ସ ଆଦାୟ ନାଁରେ ଜୁଲମ କରିବା ଆରମ୍ଭ କରିଛନ୍ତି । ଏହାକୁ ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ୭ ଦିନ ଭିତରେ ବିଏମ୍‌ସି କମିଶନର ହିଟଲରୀ ଶାସନ ପଦ୍ଧତି ନ ବଦଳାଇଲେ ବିଏମ୍‌ସି ଅଫିସ୍‌କୁ ଯୁବ କଂଗ୍ରେସ ପକ୍ଷରୁ ଅଚଳ କରିଦିଆଯିବ ବୋଲି ଡଃ ଲେଙ୍କା ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ମହମ୍ମଦ ଅଲିମ୍‌, ରାଜୀବ ପଟ୍ଟନାୟକ, ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ଅମ୍ରିତା ଦାସ, ରଂଜିତ୍ ପାତ୍ର, ଆଶୁତୋଷ ଲେଙ୍କା, ଆକ୍ୟୁବ୍ ଖାନ୍‌, ଜ୍ଞାନରଂଜନ ରାଉତ, ବିଶ୍ୱଜିତ୍ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version