ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଜିଲ୍ଲାପାଳଙ୍କ ଦ୍ଵାରା ଜନଜାତି ସଂଗ୍ରହାଳୟର ଶୁଭ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର )ଢେଙ୍କାନାଳ :-  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଜିଲ୍ଲା ଶ୍ରୀ ବଳଦେବଜୀଉ ମନ୍ଦିର ନିକଟ ରେ ଏକ ଜନଜାତି ଶିକ୍ଷା ସାଧନ କେନ୍ଦ୍ର ତଥା ଜନଜାତି ସଂଗ୍ରହାଳୟ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଅଛି । ଏହି ଉତ୍ସବରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ଦିନରେ ଏହି ଜନଜାତି ସାଧନ କେନ୍ଦ୍ରରେ ଆନୁସାଙ୍ଗିକ ବ୍ୟବସ୍ଥା କରାଯିବ । ଜିଲ୍ଲାର ସମସ୍ତ ଜନଜାତି ମାନଙ୍କର ପରମ୍ପରା, ସାମାଜିକ ଚାଲି ଚଳନ, ଭାଷା, ସଂସ୍କୃତି ଆଦି ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଜନସାଧାରଣ ଜାଣି ପାରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ଏବଂ ଏହି ସଂଗ୍ରହାଳୟ ଗବେଷକଙ୍କ ପାଇଁ ମଧ୍ୟ ଏକ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ କର୍ତ୍ତବ୍ୟ ପରାୟଣତା, ନିଷ୍ଠା ଓ ଶିକ୍ଷାର ଗୁଣାତ୍ମକ ବିକାଶ ନିମନ୍ତେ ପାଟଳାର ପ୍ରଧାନ ଶିକ୍ଷକ ଶ୍ରୀ ଧନେଶ୍ଵର ସାହୁଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ ।

ବିଭିନ୍ନ ଜନଜାତି ଗୋଷ୍ଠୀ ସଦସ୍ୟ ମାନଙ୍କ ଠାରୁ ସେମାନଙ୍କ ମାତୃଭାଷାରେ ସଂଗୃହିତ କୋମଳମତି ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ପତ୍ରିକା ” ସୃଜନୀ ” କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଶୁଭ ଉଦଘାଟନ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ସ୍ଵାଗତ ଭାଷଣ ଦେଇ ଆଜିର ଦିନ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ପାରିବ ବୋଲି କହିଥିଲେ । ଏହି ସଂଗ୍ରହାଳୟରେ ବିଭିନ୍ନ ଜନଜାତିଙ୍କ ଦ୍ଵାରା ବ୍ୟବହୃତ ହୋଇଥିବା ଶିକାର ଉପକରଣ, ଗୃହ ଉପକରଣ, ମାଛଧରା ଯନ୍ତ୍ର,ବାଦ୍ୟ ଯନ୍ତ୍ର, ଅଳଙ୍କାର, ଜଙ୍ଗଲ ଜାତ ଦ୍ରବ୍ଯ,ଡୋକ୍ରା ସାମଗ୍ରୀ ଆଦି ସହିତ ବିଭିନ୍ନ ଜନଜାତି ଭାଷା ଉପରେ ପର୍ଯ୍ୟବେଷିତ ପୁସ୍ତକ ରଖାଯାଇଛି । ଏହି ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୀତାଂଶୁ ଶେଖର ଦାସ, ଜନଜାତି ଶିକ୍ଷା ସଂଯୋଜିକା ସୁଶ୍ରୀ ସୁଭାଷିନୀ ସାହୁ, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର, ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ସମସ୍ତ ବ୍ଲକର ଜନଜାତି ଶିକ୍ଷକ ଶିକ୍ଷୟିତ୍ରୀ, ଜିଲ୍ଲାର ବିଭିନ୍ନ ଅଞ୍ଚଳର ଜନଜାତି ସଂପ୍ରଦାୟର ପୁରୁଷ ଓ ମହିଳାମାନେ ଓ ସମଗ୍ର ଶିକ୍ଷାର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ( ରିପୋର୍ଟ , ଅମର ରଞ୍ଜନ ଦାସ )

Exit mobile version