ଆଦିବାସୀମେଳାର ୧୦ମ ସଂଧ୍ୟା ମନ ମୋହିଲେ ଶିଶୁ କଳାକାର : ୪୨ଲକ୍ଷର କାରବାର

ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର 5.2.2020 :- ଆଦିବାସୀମେଳାର ୧୦ମ ସଂଧ୍ୟାରେ କୋରାପୁଟ ଓ କୁଚିଣ୍ଡା ଅଂଚଳର ଜନଜାତି କଳାକାରଙ୍କ ପାରମ୍ପରିକ ବାଦ୍ୟ ସହିତ ରିଂଜୋଡ଼ି, ଢେମ୍‌ସା ତଥା କରମା ନୃତ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଆଇ.ଟି.ଡି.ଏ. କୋରାପୁଟର ଢେମସା ନୃତ୍ୟ ଓ ପାରମ୍ପରିକ ଆଦିବାସୀ ନୃତ୍ୟ, ଆଇ.ଟି.ଡି.ଏ. କୁଚିଣ୍ଡାର କିସାନ ନୃତ୍ୟ ଓ ଫାଶିମାଲ ଆଦିବାସୀ ପିଲାଙ୍କ ନୃତ୍ୟ, ଏବଂ ପୂର୍ବଦିନ ଭଳି କିସ୍‌ର ଆଦିବାସୀ ଛାତ୍ରଛାତ୍ରୀଙ୍କ ନୃତ୍ୟ ମେଳାର ଦର୍ଶକଙ୍କୁ ବି ମୁଗ୍ଦ କରିଥିଲା । ଏଥି ସହିତ ଦଶମ ଦିନରେ ମେଳା ପରିସରରେ ୪୨ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର କାରବାର ହୋଇଥିବା ମେଳାର ମେଳା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ । ମଙ୍ଗଳବାର ଦିନ ମେଳାକୁ ପାଖପାଖି ଏକ ଲକ୍ଷ ଦର୍ଶକ ଆସିଥିବାବେଳେ ଖାଦ୍ୟମେଳାରେ ୭ଲକ୍ଷ ଟଙ୍କାର କାରବାର ହୋଇଛି ।

ଏଥି ସହିତ ଦର୍ଶକମାନେ ମେଳା ପରିସରରେ ଥିବା ଆଦିବାସୀ ହାଟରୁ ମନ ପସନ୍ଦର ଜନଜାତି ସାମଗ୍ରୀମାନ ଖରଦ କରିଥିଲେ । ଏଥି ମଧ୍ୟରେ ଆଦିବାସୀ ମାନଙ୍କର ହାତ ତିଆରି ଆଦିବାସୀ ଅଳଙ୍କାର, ଫୁଲ ଝାଡ଼ୁ, ପାମ୍ପଡ଼, ବଢ଼ି, ଆଚାର, ମାଣ୍ଡିଆ ମିଶ୍ଚର, ମସଲା ଜାତ ଦ୍ରବ୍ୟ, ଖଲି, ଦନା, ବିଭିନ୍ନ ପ୍ରକାର ଗୃହ ସାମଗ୍ରୀ ସହିତ ବାଉଁଶ ତିଆରି ବିଭିନ୍ନ ହସ୍ତଶିଳ୍ପ ଆଦି ରହିଛି । ସେହିଭଳି ଦଶମ ସଂଧ୍ୟାରେ ଜାପାନ, ଥାଇଲ୍ୟାଣ୍ଡ, ଆଫଗାନିସ୍ଥାନ, ଇରାନ୍‌, ପୋଲାଣ୍ଡ, ନାଇଜେରିଆ ଭଳି ବାହାର ଦେଶରୁ ଅନ୍ୟୁନ ୧୦୦ ଜଣ ବିଦେଶୀ ପର୍ଯ୍ୟଟକ ଭ୍ର୍ରମଣ କରିବା ସହ ଆଦିବାସୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନନ୍ଦର ସହ ଉପଭୋଗ କରିବା ସହ ଆଦିବାସୀ ଗ୍ରାମକୁ ବୁଲି ଆନନ୍ଦ ନେଉଥିବା ଦେଖିବାକୁ ମିଳିଥିଲା । ମେଳା ପରିସରରେ ଆମ୍ବୁଲାନ୍ସ, ପିଇବା ପାଣି, ମେଡ଼ିକାଲ, ପୋଲିସ୍‌, ଅଗ୍ନି ନିର୍ବାପକ, କପଡ଼ା ବ୍ୟାଗ୍‌, ଏଟିଏମ୍‌, ବୁଲାବୁଲି ପାଇଁ ପ୍ରଶସ୍ତ ରାସ୍ତା ଜାନବାହାନ ରଖିବା ପାଇଁ ନିର୍ଦ୍ଧାରିତ ସ୍ଥାନର ବ୍ୟବସ୍ଥା କରାଯାଇଥିବା ଡକ୍ଟର ଓତା ସୂଚନା ଦେଇଛନ୍ତି ।

Exit mobile version