ପୁଣି ଆନ୍ଧ୍ର ସରକାରଙ୍କ ଦାଦାଗିରି  ; ଆନ୍ଧ୍ର  ଓଡ଼ିଶା ସୀମାରେ ଉତ୍ତେଜନା ଓଡ଼ିଶାରେ ବସ ବାସ କରୁଥିବା ଲୋକଙ୍କ ସୁରକ୍ଷା ନେଇ ଗଜପତି ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି

ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର ) ପାରଳାଖେମୁଣ୍ଡି  :- ଆନ୍ଧ୍ର ସରକାରଙ୍କ ବିସ୍ତାରବାଦୀ ନୀତି ଦିନକୁଦିନ ବଢିବାରେ ଲାଗିଛି । ସେଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡି ହୋଇଛି । ଆନ୍ଧ୍ର ସୀମାନ୍ତରୁ ଲାଗିଛ ରହିଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ନୂଆ ବାରଘର ଗ୍ରାମରେ ଉଭୟ ରାଜ୍ୟର ଗ୍ରାମବାସୀଙ୍କ ମଧ୍ଯରେ ମୁହାମୁହିଁ ଓ ହାତାହାତି ହେବା ପରିସ୍ଥିତି ଉପୁଜିଥିଲା । ସୂଚନାଯୋଗ୍ଯ ଯେ ଗଜପତି ଜିଲ୍ଲାରେ ଗତ ତା ୧୧-୧୦-୨୦୧୮ ରିଖରେ ହୋଇଥିବା ତିତିଲି ବାତ୍ୟାରେ ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ବାରଘର ଗ୍ରାମରେ ପାହାଡ ଅତଡା ଖସି ୧୬ଜଣ ଲୋକ ପ୍ରାଣ ହରାଇଥିଲେ । ତାପରେ ରାଜ୍ୟ ସରକାର ବାରଘର ଗ୍ରାମବାସୀଙ୍କୁ ସୁରକ୍ଷିତ ଥଇଥାନ କରିବା ନିମନ୍ତେ ଆନ୍ଧ୍ରପ୍ରଦେଶକୁ ଲାଗିରହିଥିବା ଆମରାଜ୍ୟର ସୀମା ମଧ୍ଯରେ ରହିଥିବା ସରକାରୀ ଜମିରେ ଗୃହ ନିର୍ମାଣ କରିଥିଲେ । ଉକ୍ତ ସ୍ଥାନକୁ ନୂଆ ବାରଘର ଗ୍ରାମ ବୋଲି ନାମିତ କରିଥିଲେ ।

କିନ୍ତୁ ଆଜି ସେଠାରେ ଆନ୍ଧ୍ରର କଣ୍ଡାମେରା ଗ୍ରାମର ଲୋକମାନେ ଓଡିଶା ସୀମାରେ ପଶି ଜେସିବି ଲଗାଇ ରାସ୍ତା ଓ ଖେଳ ପଡିଆ ନିର୍ମାଣ କରିବା ଏବଂ ପୋଖରୀ ଖୋଳିବାକୁ ଉଦ୍ୟମ କଲାବେଳେ ନୂଆ ବାରଘର ଗ୍ରାମର ଲୋକମାନେ ତୀବ୍ର ବିରୋଧ କରିଥିଲେ । ଆନ୍ଧ୍ରର ଚିପି ପଞ୍ଚାୟତର ନବନିର୍ବାଚିତ ସରପଞ୍ଚଙ୍କ ସ୍ବାମୀ ଓ ରାୟଗଡ ବ୍ଲକ ଅଧ୍ୟକ୍ଷ ଧନେଶ୍ଵର ଭୂୟାଁ ଉପସ୍ଥିତରେ ଯୁକ୍ତିତର୍କ ଚାଲିଥିବା ବେଳେ ଉଭୟ ପକ୍ଷ ମଧ୍ଯରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ସମୟ ପରେ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ଯ ଓ ଗାରାବନ୍ଧ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଉଭୟ ପକ୍ଷକୁ ବୁଝାଇବା ସହ ନୂଆ ବାରଘର ଗ୍ରାମରେ ଆନ୍ଧ୍ର ତରଫରୁ ଚାଲିଥିବା ନିର୍ମାଣ କାର୍ଯ୍ଯ ବନ୍ଦ କରିବା ସହ ଟ୍ରାକ୍ଟର ଓ ଜେସିବିକୁ ହଟାଇଥିଲେ । ଏ ବିଷୟ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ପଚାରିବାରୁ ଖୁବଶୀଘ୍ର ଉଭୟ ରାଜ୍ୟର କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ମିଳିତ ଭାବେ ସୀମା ଚିହ୍ନଟ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି । ( ରିପୋର୍ଟ-ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version