ଜାତୀୟ ଇ-ବିଧାନ ପ୍ରୟୋଗ କର୍ମଶାଳା ବାଚସ୍ପତିଙ୍କ ଦ୍ୱାରା ଉଦ୍‌ଘାଟିତ

ଡିଜିଟାଲ ବ୍ୟବସ୍ଥାରେ ପରିଚାଳିତ ହେବ ବିଧାନସଭା

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଫେବୃଆରୀ ସୋମବାର ) ଭୁବନେଶ୍ୱର :- ବିଧାନ ସଭାର ସମସ୍ତ ଗୃହକାର୍ଯ୍ୟ ଡିଜିଟାଲ ବ୍ୟବସ୍ଥାରେ ପରିଚାଳିତ ହେବା ନେଇ ଏକ ୨ ଦିନିଆ ଜାତୀୟ ଇ-ବିଧାନ ପ୍ରୟୋଗ କର୍ମଶାଳା ଓଡିଶା ବିଧାନସଭା ନୂଆ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଛି । ଏହି କର୍ମଶାଳାକୁ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍‌ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ବାଚସ୍ପତି ଡଃ ପାତ୍ର କହିଲେ ଯେ, ଏଣିକି ବିଧାନସଭାର ସମସ୍ତ ଗୃହ କାର୍ଯ୍ୟର ବିବରଣୀ, ମାନ୍ୟବର ରାଜ୍ୟପାଳଙ୍କ ବଜେଟ ଅଭିଭାଷଣ, ରାଜ୍ୟ ବଜେଟ୍‌, ଅର୍ଥନୈତିକ ସର୍ବେକ୍ଷଣ ଆଦି ଜାତୀୟ ଇ-ବିଧାନ ଆପ୍ଲିକେସନ ବ୍ୟବସ୍ଥାରେ କରାଯିବ । ଏଥିପାଇଁ ଡିଜିଟାଲ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରାଯାଉଛି । ଏହି ବ୍ୟବସ୍ଥାରେ ସମସ୍ତ ତାରକା ଚିହ୍ନିତ, ଅଣତାରକା ଚିହ୍ନିତ ପ୍ରଶ୍ନ ଓ ଉତର ମଧ୍ୟ ଉପସ୍ଥାପିତ ହେବ । ବିଧାନ ସଭାରେ ପଚରାଯିବାକୁ ଥିବା ମାନ୍ୟବର ବିଧାୟକମାନଙ୍କର ପ୍ରଶ୍ନ ଅନ୍‌ଲାଇନ୍‌ରେ ଉପସ୍ଥାପିତ ହେବ ।

କର୍ମଶାଳାରେ ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ଜାତୀୟ ଇ-ବିଧାନ ଆପ୍ଲିକେସନ୍ସ (ନେଭା)ର ସଂଯୋଜକ ଶ୍ରୀ ଅର୍ପିତ୍ ତ୍ୟାଗୀ ଓ ଡାଟା ଆର୍କିଟେକ୍ ଶ୍ରୀ ସମୀର ଭର୍ସନୀ ଏବଂ ଓଡିଶା ଶାଖା ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌.ଆଇ.ସି)ର ନିର୍ଦ୍ଦେଶିକା ଶ୍ରୀମତୀ ସରୀତା ସାହୁ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଆପ୍ଲିକେସନ ଦ୍ୱାରା ସମସ୍ତ ବୈଧାନିକ ବ୍ୟବସ୍ଥା ସୁଚାରୁରୂପେ ସଂପାଦନ ହେବା ସହିତ, ଦସ୍ତାବିଜ୍ ଓ ସୂଚନା ସ୍ୱୟଂକ୍ରିୟ ଭାବେ ଉପଲବ୍‌ଧ ହେବ । ଦେଶରେ ସମସ୍ତ ବିଧାନ ସଭା ପାଇଁ ଏହି ଆପ୍ଲିକେସନ ବ୍ୟବସ୍ଥା କରାଯାଇଛି । ବିଧାନସଭା ପରି ଗୃହରେ ବିଭିନ୍ନ ପ୍ରସଙ୍ଗରେ ବହୁ ମାତ୍ରାରେ କାଗଜ ବ୍ୟବହାରକୁ କମାଇବା, ପରୋକ୍ଷରେ ପରିବେଶ ସୁରକ୍ଷା ଦିଗରେ ସହଯୋଗ କରିବା ଓ ବୈଷୟିକ ଜ୍ଞାନ କୌଶଳକୁ ଆପଣେଇ ବିଧାନସଭା ଗୃହ କାର୍ଯ୍ୟ ପରିଚାଳନା କରିବାରେ ଏହି କର୍ମଶାଳା ଗୁରୁତ୍ୱ ବହନ କରୁଛି ।

ଡିଜିଟାଲ ବ୍ୟବସ୍ଥାରେ ବିଧାନ ସଭାର ସମସ୍ତ ଗୃହକାର୍ଯ୍ୟ ପରିଚାଳିତ ହେବା ନେଇ ସମସ୍ତ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବା ପାଇଁ କଂପ୍ୟୁଟର ଜ୍ଞାନ କୌଶଳରେ ଦକ୍ଷ ଓ ଅଭିଜ୍ଞ କର୍ମଚାରୀମାନଙ୍କୁ ନିୟୋଜତ କରାଯାଇଛି । ଆୟୋଜିତ କର୍ମଶାଳାରେ ବିଧାନସଭା ପ୍ରଶ୍ନ ପ୍ରସ୍ତୁତି ଓ ଗୃହ କାର୍ଯ୍ୟ ପରିଚାଳନାରେ ସମ୍ପୃକ୍ତ ପଦାଧିକାରୀ, ବୈଷୟିକ ଟିମ୍ ଓ ସରକାରୀ କାର୍ଯ୍ୟାଳୟର ପ୍ରତିନିଧିମାନେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବାଚସ୍ପତିଙ୍କ ସଚିବ ଶ୍ରୀ ଦାଶରଥୀ ଶତପଥୀ, ଯୁଗ୍ମ ସଚିବ ଶ୍ରୀ ଦେବାନନ୍ଦ ଦୋରା, ଓକାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଜେନେରାଲ ମ୍ୟାନେଜର ମଧୁମିତା ରଥ, ବରିଷ୍ଠ ବୈଷୟିକ ପରାମର୍ଶଦାତା ଶ୍ରୀ ମନୋଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version