ଆର. ସୀତାପୁର ଠାରେ ଚାଷୀଙ୍କ ଠାରୁ ମଣ୍ଡିରେ ଧାନ ନକିଣିବା ପ୍ରତିବାଦରେ ରାସ୍ତା ରୋକ୍

ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି ,ରବିବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଆର ସୀତାପୁର ଠାରେ ଚାଷୀଙ୍କ ଠାରୁ ମଣ୍ଡିରେ ଧାନ ନକିଣିବା ପ୍ରତିବାଦରେ ଜିଲ୍ଲା ବିଜେପି କୃଷକମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ବରେ ଆର ସୀତାପୁର ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ଯାଳୟ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬ (A) କୁ ଶତାଧିକ ଚାଷୀଙ୍କ ଦ୍ବାରା ରାସ୍ତାରୋକ କରାଯାଇଥିଲା । ଶ୍ରୀ ପାଳ ଆର ସୀତାପୁର ମଣ୍ଡିରେ ଚାଷୀମାନଙ୍କୁ ଧାନ ବିକ୍ରୟ କରାଯିବା ପାଇଁ ଟୋକେନ୍ ପ୍ରଦାନ କରାଯାଇଛି ।କିନ୍ତୁ ମଣ୍ଡି ଧାନ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ମଣ୍ଡଳର ସମ୍ପାଦକ ମିଲର୍ ପାଖକୁ ଧାନ ଦେବାକୁ ପଠାଉଛି । ମିଲର୍ ପାଖକୁ ଚାଷୀ ଗଲେ ସେମାନଙ୍କୁ ଧାନ ସଂଗ୍ରହ ପାଇଁ ଦିଆଯାଇଥିବା ଧାର୍ଯ୍ଯ ଲକ୍ଷ୍ୟ ପୂରଣ ହୋଇଯାଇଛି କହୁଛନ୍ତି । ଯାହାଫଳରେ କି ଚାଷୀମାନେ ବ୍ଲକ ଠାରୁ ଜିଲ୍ଲାସ୍ତର ପଯ୍ୟନ୍ତ ରହିଥିବା ବିଭିନ୍ନ କାର୍ଯ୍ୟାଳୟକୁ ବାରମ୍ବାର ଯାଉଛନ୍ତି ।

ତାଙ୍କର ଗୁହାରୀ କେହି ଶୁଣୁନାହାନ୍ତି । ଧାନର ଏଫ୍ଏକ୍ୟୁଉ ମାନ ଯାଞ୍ଚ କରିବା ନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ସମ୍ପାଦକଙ୍କୁ ଏକ ଯନ୍ତ୍ର ପ୍ରଦାନ କରାଯାଉଛି କିନ୍ତୁ ସେ ଯାଞ୍ଚ କରିବା ପରିବର୍ତ୍ତେ ମିଲର୍ ହାତରେ ଦେଖି ଧାନର ମାନ ନିଷ୍ପତି ନେଉଛନ୍ତି ବୋଲି ଶ୍ରୀ ପାଳ ଅଭିଯୋଗ କରିଛନ୍ତି । ଏଥିମଧ୍ୟରେ ୧୫ରୁ ଉର୍ଦ୍ଧ ଚାଷୀଙ୍କ ଟୋକେନ୍ ଅବଧି ଶେଷ ହୋଇଯାଇଛି ବୋଲି ଗଣମାଧ୍ୟମକୁ ଶ୍ରୀ ପାଳ କହିଛନ୍ତି । ଗୁରାଣ୍ଡି ଥାନା ପୋଲିସ , ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଓ ସହକାରୀ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା ।ରାସ୍ତାରୋକ ଯୋଗୁଁ ବହୁସମୟ ଧରି ପାରଳାଖେମୁଣ୍ଡି ରୁ ମୋହନା , ରାମଗିରି ଜିଲ୍ଲାର ଅନେକ ଅଞ୍ଚଳକୁ ଯାତାୟାତ କରୁଥିବା ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା  ( ରିପୋର୍ଟ  – ଗରୁଡ଼ ଧ୍ଵଜ ଚୌଧୁରୀ ) 

Exit mobile version