ଏଟିଏମ୍ କାଉଂଟରରେ ସୁରକ୍ଷା କର୍ମୀ ନିୟୋଜନ ଦାବି

ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି ,ରବିବାର ) ହିଞ୍ଜିଳିକାଟୁ  :- ହିଂଜିଳିକାଟୁ ପୌରାଂଚଳ ସମେତ ଏହାର ନିକଟବର୍ତିି ଅଂଚଳରେ ଥିବା ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାଂଉଟର ଗୁଡ଼ିକରେ ୨୪ ଘଂଟିଆ ସୁରକ୍ଷା କର୍ମୀ ନିୟୋଜନ କରିବା ଦିଗରେ ବିଭିନ୍ନ ବ୍ୟାଙ୍କ କର୍ତୁପକ୍ଷ ପଦକ୍ଷେପ ନେବାକୁ ଦାବି ହେଉଛି । ସହର ମଧ୍ୟରେ ଥିବା ବହୁ ଏଟିଏମ୍‌ କାଂଉଟରରେ ସୁରକ୍ଷା କର୍ମୀ ନଥିବା ଯୋଗୁଁ ଏଟିଏମ ଉପରେ ନିର୍ଭର କରୁଥିବା ବିଭିନ୍ନ ବ୍ୟାଙ୍କର ଜମାକାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ହିଂଜିଳିକାଟୁ ସହର ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୪ ଟି ଏଟିଏମ କାଉଂଟର, ଏକ୍ସିସ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଡ଼ିସିବି ବ୍ୟାଙ୍କ, ପଂଜାବ ନ୍ୟାସନାଲ ବ୍ୟାଙ୍କ ସମେତ ନିକଟବର୍ତି ଅଂଚଳରେ ବିଭିନ୍ନ ବ୍ୟାଙ୍କର ଏଟିଏମ ଗୁଡ଼ିକ ରହିଛି । ସହର ମଧ୍ୟରେ ଥିବା ଏସବିଆଇ ଓ ୟୁନିୟନ ବ୍ୟାଙ୍କ ଏଟିଏମ କାଉଂଟରକୁ ଛାଡ଼ିଦେଲେ ଅନ୍ୟ କୌଣସି ଏଟିଏମ କାଉଂଟର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ନଥିବା ଦେଖିବାକୁ ମିଳୁଛି । ଫଳରେ ସୁରକ୍ଷା ବ୍ୟବସ୍ଥା ନଥିବାଏଟିଏମ କାଉଂଟର ଗୁୂଡ଼ିକରୁ ଟଙ୍କା ଉଠାଣ କରିବାକୁ ଗ୍ରାହକ ମାନେ ଉଚିତ ମଣୁ ନାହାନ୍ତି ।

ଅପର ପକ୍ଷରେ କେତେକ ଏଟିଏମ କାଉଂଟରରେ ଯାନ୍ତ୍ରିକ ତୃଟି, ଲିଙ୍କ ଫେଲ୍ ଓ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ସମୟରେ ଟଙ୍କା ଉଠାଣ କ୍ଷେତ୍ରରେ ନାନା ସମସ୍ୟା ସୃଷ୍ଟି ହେଉଛି । ଗୋଟିଏ ଏଟିଏମ କାଉଂଟର ମଧ୍ୟକୁ ଥରକେ ଏକାଧିକ ବ୍ୟକ୍ତି ପ୍ରବେଶ ନକରିବାର ନିୟମ ଥିବା ବେଳେ ଥରକେ ଏକାଧିକ ବ୍ୟକ୍ତି ପ୍ରବେଶ କରୁଥିବା ଅଭିଯୋଗ ହେଉଛି । ଏଟିଏମ କାଉଂଟର ଗୁଡ଼ିକରେ ସୁରକ୍ଷା କର୍ମୀ ନିୟୋଜିତ ନଥିବାର ସୁଯୋଗ ନେଇ ଗତ ବର୍ଷ କେହି ଦୁବୃର୍ତ ସହରର ଅତ୍ୟନ୍ତ ସମ୍ବେଦନଶୀଳ ଅଂଚଳ ଭାବେ ପରିଚିତ ବିଜୁ ପଟ୍ଟନାୟକ ଛକ ସ୍ଥିତ ଏକ୍ସିସ ବ୍ୟାଙ୍କ ଏଟିଏମ କାଉଂଟରରେ ପଶି ଧାରୁଆ ଅସ୍ତ୍ରରେ ଭାଙ୍ଗି ଲୁଟ୍ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇ ଫେରିଥିବା ଜଣାପଡ଼ିଥିବା ବେଳେ ସହର ଠାରୁ ମାତ୍ର ୨ କିଲୋମିଟର ଦୁର ଶ୍ୟାମଳାଇ ଛକର ଏକ ଏଟିଏମ କାଉଂଟରକୁ କେହି ଦୁବୃର୍ତ ଭାଙ୍ଗିଥିଲେ ମଧ୍ୟ ଲୁଟ କରିବାରେ ସଫଳ ହୋଇ ପାରିନଥିଲେ । ବ୍ୟାଙ୍କ ଉଚ୍ଚ କର୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ ହିଂଜିଳିକାଟୁ ଅଂଚଳର ସମସ୍ତ ଏଟିଏମ କାଉଂଟର ଗୁଡ଼ିକରେ ସୁରକ୍ଷା କର୍ମୀ ନିୟୋଜିତ କରି ଜମାକାରୀ ମାନେ ଯେପରି ନିର୍ଭୟରେ ଟଙ୍କା ଉଠାଣ କରିପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version