ସ୍ଵାମୀ ଓ ଝିଅର ନିଖୋଜ ପରେ ବେସାହାରାରେ ଶାନ୍ତିଲତା – କଳାହାଣ୍ଡି

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର )କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମରେ ରହନ୍ତି ଶାନ୍ତିଲତା ନାଗ। ଦୀର୍ଘ ଦିନରୁ ନିଖୋଜ ସ୍ଵାମୀ ଓ ପରେ ନିଖୋଜ ଝିଅର ବାଟକୁ ଅନେଇ ଆଖିର ଲୁହକୁ ଓଦା ପଣତରେ ପୋଛି ପୋଛି ଦିନ କାଟୁଛନ୍ତି।ଜୀବନ ଜଞ୍ଜାଳରେ ଶାନ୍ତିର ରାହା ଖୋଜୁଛନ୍ତି ଏବେ ଶାନ୍ତିଲତା।ଘରେ ରୋଜଗାର ର ମାଧ୍ୟମ କିଛି ନ ଥିବାରୁ ସରକାରଙ୍କ ୧ଟଙ୍କିଆ ଚାଉଳରେ ପରିବାରର ୫ଗୋଟି ସଦସ୍ୟଙ୍କ ପ୍ରତିପୋଷଣ କଷ୍ଟକର ହୋଇଛି । ଶାନ୍ତି ଲତାଙ୍କ ସ୍ଵାମୀ ସନ୍ତୋଷ ନାଗ ଆଜକୁ ୩ବର୍ଷ ହେଲା ଘର ଛାଡ଼ି କୁଆଡେ ଚାଲିଯାଇଛନ୍ତି।ସେହି ଦିନୁ ସ୍ଵାମୀଙ୍କ ପତା ମିଳୁ ନାହିଁ।ଘରେ ମା ସହ ବଡ଼ଝିଅ ଲିଲି ନାଗ(୨୮),ଝିଲି ନାଗ(୨୫),ରିତାଞ୍ଜଳି ନାଗ(୨୦), ବିନ୍ଦିଆ ନାଗ(୧୮) ଓ ଦୁଇ ପୁଅ ରହିଆସୁଥିବା ବେଳେ ଗତ ଜାନୁଆରୀ ୨୪ ତାରିଖ ଠାରୁ ରିତାଞ୍ଜଳି ନାଗ କୁଆଡେ ନିଖୋଜ ହେବା ଘଟଣା ପରିବାର ପ୍ରତି ନଳିତା ବୋଝ ପାଲଟିଛି। ସ୍ଵାମୀ ଓ ଝିଅର ନିଖୋଜ ପରେ ରୋଜଗାର ଶୂନ୍ୟ ପରିବାର ଏବେ ସରକାରୀ ସହାୟତା ସହ ନିଖୋଜ ବ୍ୟକ୍ତିଙ୍କ ଅନୁସନ୍ଧାନ ପାଇଁ ଆକୁଳ ନିବେଦନ କରିଛନ୍ତି।

ନିଖୋଜ ରିପୋର୍ଟ ନର୍ଲା ଥାନାରେ ଲିଖିତ ଭାବରେ ଦିଆଯିବା ସହ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭେଟିଛନ୍ତି। ତେବେ ଏଥିରେ କୈ।ଣସି ସୁଫଳ ପାଇ ନାହାଁନ୍ତି।ବଡ଼ ଝିଅର ବାହାଘର ଠିକ୍ ହୋଇଥିଲା ଯାହା ଫଳରେ ବାହାଘର ପାଇଁ ଜମି ବିକ୍ରି କଲେ।ପରେ ରୋଜଗାରିଆ ବାପା ଘରଛାଡ଼ି ପଳାଇବାରୁ ଜମି ବିକ୍ରି ଟଙ୍କାରେ ବାହାଘର କରିବେ କ’ଣ ? ପରିବାର ପୋଷିବାରେ ସବୁ ଟଙ୍କା ତକ ଶେଷ ହୋଇଗଲା ବୋଲି କୋହ ଭରା କଣ୍ଠରେ ମା ଶାନ୍ତିଲତା କହିଛନ୍ତି।ମଝିଆ ଝିଅ ରିତାଞ୍ଜଳିର ନିଖୋଜକୁ ୧୮ ଦିନ ପୁରିଥିବା ବେଳେ ଝିଅ ବିକ୍ରି ରେକେର୍ଟ ହାତରେ ହୁଏତ ନିଜ ଝିଅକୁ ହରାଇ ବସିଥିବା ସନ୍ଦେହ କରୁଛନ୍ତି । ବର୍ତମାନ କଳାହାଣ୍ଡି ଜିଲ୍ଲାରେ ଝିଅ ମାନଙ୍କୁ ବିଭିନ୍ନ ରେକେର୍ଟ ମାଧ୍ୟମରେ ଚୋରା ଚାଲାଣ କରାଯାଇ ଅନ୍ୟତ୍ର ମୋଟା ଅଙ୍କରେ ବିକ୍ରି କରାଯାଉଛି ।

ଏହି ରେକେର୍ଟ କାର୍ଯ୍ୟରେ ଉତ୍ତର ପ୍ରଦେଶ, ବିହାର ଅଞ୍ଚଳରୁ କିଛି ସନ୍ଦେହୀ ଯୁବକ ଆସି ନର୍ଲା, ସର୍ଗିଗୁଡା ଗ୍ରାମରେ ଘରଭାଡା ଦେଇ କମ୍ବଳ,ଚଦର, ପୋଷାକ ବିକ୍ରି କରିବା ବାହାନାରେ ଏସବୁ କାର୍ଯ୍ୟ କରୁଥିବା ଜନସାଧାରଣରେ ଚର୍ଚ୍ଚା ହେଉଥିବାରୁ ଝିଅର ନିଖୋଜ ଘଟଣାକୁ ନେଇ ସନ୍ଦେହର କଳାବାଦଲ ଘନୀଭୂତ ହୋଇ ରହିଛି। ଏଥିପାଇଁ ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେଇ ବେସାହାରା ପରିବାର ପ୍ରତି ସହଯୋଗର ହାତ ବଢ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version