ଆଦିବାସୀମେଳାରେ ପ୍ରବଳ ଜନସମାଗମ ସାତ ଦିନରେ ଆସିଛନ୍ତି ୭ଲକ୍ଷରୁ ଅଧିକ ଦର୍ଶକ : କାରବାର ସାଢେ ୩କୋଟି

ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର 2.2.2020 :- : ଆଦିବାସୀମେଳାକୁ ଛୁଟିଛି ଲୋକଙ୍କ ସୁଅ । ସାତ ଦିନରେ ୭ଲକ୍ଷରୁ ଅଧିକ ଦର୍ଶକ ମେଳା ବୁଲିବାକୁ ଆସିଥିବାବେଳେ କାରବାର ମଧ୍ୟ ସାଢେ ତିନିକୋଟି ଟଙ୍କାକୁ ଟପିଗଲାଣି । ମେଳାର ୭ମ ସଂଧ୍ୟାରେ ରେକର୍ଡ ସଂଖ୍ୟକ ଦେଢ ଲକ୍ଷ ଲୋକ ଆସିଥିବାବେଳେ ଆଗାମୀ ଦିନରେ ଜନସମାଗମ ବଢିବାର ଆଶା କରାଯାଉଛି । ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ସହିତ ଆଦିବାସୀ ହାଟ ଓ ଜନଜାତି କଳାକାରଙ୍କ କାରୁକାର୍ଯ୍ୟ ଗୁଡିକର ସିଧା ପ୍ରଦର୍ଶନ ଲୋକଙ୍କୁ ମେଳାକୁ ଆସିବାର ପ୍ରମୁଖ ଆକର୍ଷଣ ପାଲଟିଥିବାବେଳେ ପ୍ରଥମଥର ପାଇଁ ଆଦିବାସୀମେଳାରେ ଆୟୋଜିତ ହୋଇଥିବା ଜାତୀୟ ଜନଜାତି ଖାଦ୍ୟ ମହୋତ୍ସବରେ ସର୍ବାଧିକ ଗହଳି ରହୁଥିବା ସୂଚନା ଦେଇଛନ୍ତି ମେଳା ଦାୟିତ୍ୱରେ ଥିବା ଓଡିଶା ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଡକ୍ଟର ଅଖିଳ ବିହାରୀ ଓତା । ଡକ୍ଟର ଓତା କହିଛନ୍ତି ଯେ ଗତବର୍ଷ ଆଦିବାସୀ ମେଳାକୁ ପ୍ରାୟ ୧୧ଲକ୍ଷ ଲୋକ ଆସିଥିବାବେଳେ ଚଳିତବର୍ଷ ମେଳାରେ ଜନସମାଗମ ପୂର୍ବରୁ ସବୁ ରେକର୍ଡକୁ ଅତିକ୍ରମ କରିଯିବ ବୋଲି ଆଶା କରାଯାଉଛି । ସେହିଭଳି ତିନିଦିନ ଧରି ଚାଲୁଥିବା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ମଧ୍ୟ ମେଳାରେ ଦର୍ଶକକଙ୍କୁ ବାନ୍ଧି ରଖିଛି ।

ସପ୍ତମ ସଂଧ୍ୟାରେ ମହାରାଷ୍ଟ୍ରର ପର୍‌ନି ନୃତ୍ୟ, ଗୁଜୁରାଟର ଗାମିତି ନୃତ୍ୟ ଏବଂ ଡୁଙ୍ଗରଦେବ ନୃତ୍ୟ, ସିକିମର ତାମଙ୍ଗ୍‌ ନୃତ୍ୟ, ହିମାଚଳ ପ୍ରଦେଶ, ମଣିପୁରର ଡାପାଚୋନ୍ ହର୍ଣ୍ଣବିଲ୍ ନୃତ୍ୟ, ନାଗାଲ୍ୟାଣ୍ଡର ହାଣ୍ଡୁ ନୃତ୍ୟ, ଅରୁଣାଚଳ ପ୍ରଦେଶର ଏମେରେଲୋ ନୃତ୍ୟ, ଆସାମର ଝୁମର ନୃତ୍ୟ, ସମେତ ଓଡ଼ିଶାର ଧୁରୁଆ ଜନଜାତିଙ୍କ ବିର୍‌ଲୀ ନୃତ୍ୟ ପରିବେଷଣ ଖୁବ୍ ଚିତ୍ତାକର୍ଷକ ହୋଇଥିଲା । ପ୍ରାୟ ଅଢେଇ ଘଣ୍ଟା ଧରି ଦର୍ଶକମାନେ ଏହି ନୃତ୍ୟକୁ ଉପଭୋଗ କରିଥିଲେ । ଏଥି ସହିତ ଜନଜାତି ହାଟରେ ମିଳୁଥିବା ଆଦିବାସୀ ମାନଙ୍କର ହାତ ତିଆରି ଫୁଲ ଝାଡ଼ୁ, ବଢ଼ି, ଆଚାର, ମାଣ୍ଡିଆ ମିଶ୍ଚର, ମସଲା ଜାତ ଦ୍ରବ୍ୟ, ଖଲି, ଦନା, ବିଭିନ୍ନ ପ୍ରକାର ଗୃହ ସାମଗ୍ରୀ ସହିତ ବାଉଁଶ ତିଆରି ବିଭିନ୍ନ ହସ୍ତଶିଳ୍ପ ଇତ୍ୟାଦିକୁ ଲୋକେ ଅଧିକ ଭାବେ ଖରିଦ କରୁଛନ୍ତି । ବାରିପଦାରୁ ଆସୁଥିବା ଛୋଟ ଆଳୁ ଓ ରାୟଗଡାର ହଳଦୀକୁ ବି ଲୋକେ ଅଧିକ ପସନ୍ଦ କରୁଛନ୍ତି । ମେଳାରେ କୌଣସି ପ୍ରକାର ଦୁର୍ଘଟଣା ଏଡାଇବାକୁ ଏଥର ୭୦ଟି ସିସିଟିଭି ଖଞ୍ଜାଯାଇଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ଅଘଟଣା ଘଟିନାହିଁ । ସେହିଭଳି ଖାଦ୍ୟ ମେଳାରେ ପରିଷ୍କାର ପରିଚ୍ଛନ୍ନତା ସହିତ ଦର୍ଶକମାନେ ଯେଭଳି ଉନ୍ନତମାନର ଖାଦ୍ୟ ପାଇବେ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଚଳିତ ବର୍ଷର ଆଦିବାସୀ ମେଳାକୁ ବହୁ ପରିମାଣରେ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ସପ୍ତମ ସଂଧ୍ୟାରେ ଜର୍ମାନ, ୟୁରୋପ, ଜାପାନ, ନେଦରଲ୍ୟାଣ୍ଡ, ରୁଷିଆ, ସିଙ୍ଗାପୁର ଭଳି ବାହାର ଦେଶରୁ ଅନ୍ୟୁନ ୧୬୦ ଜଣ ବିଦେଶୀ ପର୍ଯ୍ୟଟକ ଭ୍ର୍ରମଣ କରିବା ସହ ଆଦିବାସୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନନ୍ଦର ସହ ଉପଭୋଗ କରିବା ସହ ପ୍ରତି ଷ୍ଟଲରୁ ଷ୍ଟଲକୁ ବୁଲି ଆନନ୍ଦ ନେଇଥିଲେ ।

Exit mobile version