୧୧ ଦିନରେ ଆଦିବାସୀ ମେଳା ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କଫି କିଣିବାକୁ ଆଗ୍ରହ

ଓଡ଼ିଶା ତାଜା ନ୍ୟୁଜ (୫ ଫେବୃଆରୀ ଶୁକ୍ରବାର )ଭୁବନେଶ୍ୱର :- ଦକ୍ଷିଣ ଭାରତର କେତେକ ରାଜ୍ୟ ବିଶେଷ କରି କେରଳ ଓ ତାମିଲନାଡୁରେ କଫି ଚାଷ ଲୋକଙ୍କ ରୋଜଗାରର ଏକ ପ୍ରଧାନ ମାଧ୍ୟମ ରୂପେ ଗଣାଯାଏ । ଏହି ଦୁଇ ରାଜ୍ୟର ବ୍ୟାପକ ଅଂଚଳରେ କଫି ଚାଷ କରାଯିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ମାତ୍ର ଓଡ଼ିଶାର ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜନଜାତି ବର୍ଗ କଫି ଚାଷ କରି ଆତ୍ମନିର୍ଭରଶୀଳତା ପଥରେ ଯେ ଅଗ୍ରସର ହୋଇପାରନ୍ତି, ତାହା କଳ୍ପନାତୀତ ଥିଲା । କିନ୍ତୁ କୋରାପୁଟର ଜନଜାତି ଆଜି କଫି ଚାଷ କ୍ଷେତ୍ରରେ କେବଳ ସଫଳତା ହାସଲ କରିନାହାନ୍ତି, ସେମାନଙ୍କ ଦ୍ୱାରା ଉତ୍ପାଦିତ କଫିର ଚାହିଦା ଦେଶ ବିଦେଶରେ ବୃଦ୍ଧି ପାଉଛି ।

ସେମାନେ ନିଜ ଦ୍ୱାରା ଉତ୍ପାଦିତ କଫିକୁ ପ୍ୟାକେଟରେ ଭର୍ତି କରି ତାକୁ ବଜାରକୁ ବିକ୍ରି ପାଇଁ ପଠାଉଛନ୍ତି । ଫଳରେ ସେମାନେ ବେଶ୍ ଦୁଇ ପଇସା ଆୟ କରିବାକୁ ସକ୍ଷମ ହେଉଛନ୍ତି । ସାରା ବିଶ୍ୱରେ ସ୍ୱଚ୍ଛଳ ବର୍ଗର ବ୍ୟବସାୟୀ ଗୋଷ୍ଠୀ ଓ ବଡ଼ ଚାଷୀ କଫି ଚାଷ ସହିତ ସଂପୃକ୍ତ ଥିବା ବେଳେ କୋରାପୁଟ ରେ ଗରିବ ଆଦବାସୀ କଫି ଚାଷ କରି ସଫଳତା ପାଇବା ଏକ ନିଆରା ଉଦାହରଣ ସୃଷ୍ଟି କରିଛି । ଜନଜତି ବର୍ଗର ଲୋକଙ୍କୁ କଫିଚାଷ ଦିଗରେ ଆଗେଇବା ପାଇଁ ସହାୟତାର ହାତ ବଢ଼ାଇଛି ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟି.ଡି.ସି.ସି.) । କୋରାପୁଟ କଫିର ଚାହିଦା ଓ ଗ୍ରହଣୀୟତା କିପରି ବୃଦ୍ଧି ପାଇଛି, ତାହାର ନିଛକ ପ୍ରମାଣ ଦେଖିବାକୁ ମିଳୁଛି ରାଜଧାନୀ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏ ବର୍ଷର ଆଦିବାସୀ ମେଳାରେ ।

ଏହି ମେଳା ପରିସରରେ ଖୋଲିଥିବା ‘ଆଦିବାସୀ କଫି ହାଉସ୍‌’ ନାମକ ଷ୍ଟଲରେ ଗ୍ରାହକମାନେ ଆଦିବାସୀ ମାନଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ୟାକେଟ୍‌ରେ ଭର୍ତର୍ି ହୋଇ ବିକ୍ରି ହେଉଥିବା କଫି କିଣିବାକୁ ଭିଡ ଜମାଉଛନ୍ତି । ସଂସ୍ଥା ପକ୍ଷରୁ ୧୦୦ ଗ୍ରାମ୍ ଓ ୨୫୦ ଗ୍ରାମ୍ ଓଜନର ପ୍ୟାକେଟ୍ ପ୍ରସ୍ତୁତ ହୋଇଛି । କୋରାପୁଟ କଫିର ଗୁଣାତ୍ମକ ମାନ ଓ ସ୍ୱାଦ ଅନ୍ୟ କଫି ତୁଳନାରେ ଅଧିକ ହୋଇଥିବାରୁ ଏହାକୁ ନେବା ପାଇଁ ଦର୍ଶକଙ୍କ ଆଗ୍ରହ ବଢ଼ୁଛି ଆଦିବାସୀ କଫି ହାଉସ୍ ପକ୍ଷରୁ ୨୦୧୯ ମସିହାରୁ କଫି କାରବାର ଆରମ୍ଭ ହୋଇଥିବା ବେଳେ ଦୁଇବର୍ଷ ମଧ୍ୟରେ ଏହା ଉଲ୍ଲେଖନୀୟ ସଫଳତା ପାଇ ପାରିଛି ।

ଏହି ଷ୍ଟଲରେ କଫି ପ୍ୟାକେଟ୍ ଗୁଡିକ କେବଳ ବିକ୍ରି ହେଉନାହିଁ, ଏହାର ପ୍ରସ୍ତୁତ ପ୍ରଣାଳୀ ଓ ଗୁଣାତ୍ମକ ମାନ ସମ୍ପର୍କରେ ଦର୍ଶକଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଦିଆଯାଉଛି । ଆଦିବାସୀ ମେଳା ଆଜି ଏକାଦଶ ଦିନରେ ପହଁଚିଥିବା ବେଳେ କାରବାର ମଧ୍ୟ ବେଶ୍ ବୃଦ୍ଧି ପାଇଥିବାର ଲକ୍ଷ୍ୟ କରାଯାଉଛି । ଅପରାହ୍ନରେ ବହୁ ଲୋକ ମେଳା ପରିସରକୁ ଆସି ନିଜର ଚାହିଦା ଅନୁଯାୟୀ ଘରକରଣା ସାମଗ୍ରୀ କ୍ରୟ କରିଥିଲେ । ଖାଦ୍ୟ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ନ ଥିଲେ ମଧ୍ୟ ଦର୍ଶକମାନଙ୍କ ଆଗ୍ରହକୁ ଏହା ଅଟକାଇ ପାରି ନଥିଲା ।

Exit mobile version