ବାଲେଶ୍ୱର ଟାଉନ୍ ଥାନାର ; ତତ୍କାଳୀନ ଆଇଆଇସି ସରୋଜିନୀ ନାଏକ – ଫେରାର ୭ ମାସ ପରେ ଆତ୍ମସମର୍ପଣ

ଓଡ଼ିଶା ତାଜା ନ୍ୟୁଜ (୨,ଫେବ୍ରୁଆରି,ମଙ୍ଗଳବାର ) ବାଲେଶ୍ୱର :-  ୭ ମାସ ଧରି ଫେରାର ହେବା ପରେ ଶେଷରେ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବାଲେଶ୍ୱର ଟାଉନ୍ ଥାନାର ତତ୍କାଳୀନ ଆଇଆଇସି ସରୋଜିନୀ ନାଏକ । ଜମିଜମା ମାମଲାରେ ଲାଞ୍ଚ ନେଇଥିବା ନେଇ ଗତ ଜୁଲାଇରେ ସରୋଜିନୀଙ୍କ ନାଁରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ । କିନ୍ତୁ ମାମଲା ରୁଜୁ ପରେ ଫେରାର ହୋଇଯାଇଥିଲେ ସରୋଜିନୀ ।

ଗତ ଜୁଲାଇ ୧ ତାରିଖରେ ଏକ ଜମିଜମା ବିବାଦର ସମାଧନ ପାଇଁ ବାଲେଶ୍ୱର ଟାଉନ ଥାନାର ତତ୍‌କାଳୀନ ସବ୍‌ ଇନ୍ସପେକ୍ଟର ବିମଳ କର ଜଣେ ଦଲାଲଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ  । ଏହି ଘଟଣାରେ ଉଭୟ ଗିରଫ ହୋଇ ଜେଲ୍‌ ଯାଇଥିଲେ ।

ଏହା ପରଠୁ ଆଇଆଇସି ସରୋଜିନୀ ନାୟକଙ୍କୁ ଖୋଜି ପାଉ ନ ଥିଲେ ଭିଜିଲାନ୍ସ ଅଧିକାରୀ । ଏପରିକି ସେ ଫୋନ୍ ଉଠାଉ ନ ଥିବା ବେଳେ ଅନେକ ସମୟରେ ତାଙ୍କ ମୋବାଇଲ୍ ବନ୍ଦ ରହୁଥିବା କହିଥିଲେ ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି । ଦୀର୍ଘ ଦିନ ପରେ ଆଜି ସରୋଜିନୀ ଆତ୍ମସମର୍ପଣ କରିଛନ୍ତି । (ଦୀପ୍ତିମାନ ପତି, ବାଲେଶ୍ୱର) 

Exit mobile version