କୋଭିଡ୍‌ ନିୟମାବଳି ମଧ୍ୟରେ ସୋମବାର ଠାରୁ ରାଜ୍ୟରେ ଖୋଲିଲା ଅଙ୍ଗନବାଡ଼ି କେନ୍ଦ୍ର

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର ) ଭୁବନେଶ୍ୱର :- ଫେବୃଆରୀ ୧, ୨୦୨୧ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ତରଫରୁ ଫେବୃଆରୀ ମାସ ପାଇଁ ଜାରି କରାଯାଇଥିବା କୋଭିଡ ଗାଇଡ୍‌ଲାଇନ ଆଧାରରେ ଆଜି ଦୀର୍ଘ ୧୦ମାସ ପରେ ଆବଦ୍ଧ ଅଞ୍ଚଳ ବ୍ୟତୀତ ରାଜ୍ୟର ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲାଯାଇଛି । ମହିଳା ଓ ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଏସ୍‌ଓପି ଅନୁସାରେ

ଗତ ଦୁଇଦିନ ଧରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିଶୋଧନ କରାଯାଇଥିଲା । ପ୍ରତ୍ୟହ ଦିନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଅଙ୍ଗନବାଡ଼ି ଖୋଲିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରାଯାଇଛି । ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କୁ ହାତ ପରିଷ୍କାର କରି ଧୋଇବା ସହ ପାରମ୍ପରିକ ରୀତିନୀତିରେ ପୁଷ୍ପ ଦେଇ ସ୍ୱାଗତ କରାଯାଇଥିଲା । ପିଲାମାନେ ବହୁ ଦିନ ପରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଲାଭ ପାଇଁ କେନ୍ଦ୍ରକୁ ଆସିଥିବାରୁ ଅତ୍ୟନ୍ତ ଖୁସି ଥିଲେ ।

ସେମାନଙ୍କୁ କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଥିଲା । ଏହାବ୍ୟତୀତ ଆଜି ମାସର ୧ ତାରିଖ ହୋଇଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଗର୍ଭବତୀ, ପ୍ରସୂତୀ ମହିଳା ତଥା ଶିଶୁମାନଙ୍କ ପାଇଁ ଟେକ୍‌ ହୋମ୍‌ ରାସନ ବଣ୍ଟନ କରାଯାଇଥିଲା । କେତେକ ସ୍ଥଳରେ ପୂର୍ବାହ୍ନ ୧୧ଟା ପରେ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀମାନଙ୍କ ଘରେ ପହଞ୍ଚି ଶୁଖିଲା ରାସନ୍‌ ବଣ୍ଟନ କରିଥିଲେ । ଏହିସବୁ କାର୍ଯ୍ୟକ୍ରମ ସମୟରେ କୋଭିଡ୍‌ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଦର ମହକୁମା ଏବଂ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବୁଲି ଦେଖିବା ସହ ଏହାର ପରିଚାଳନା ବ୍ୟବସ୍ଥାକୁ ତଦାରଖ କରିଛନ୍ତି । ଅନେକଗୁଡ଼ିଏ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲା ମାନଙ୍କୁ ସ୍ୱାଗତ କରିବା ନିମେନ୍ତ ସାଜସଜ୍ଜା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ପିତାମାତା ଓ ଅଭିଭାବକମାନେ ଦୀର୍ଘଦିନ ପରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଥିବାରୁ ଏବଂ ଉତ୍ତମ ପରିଚାଳନା ବ୍ୟବସ୍ଥା କରାଯାଇ ଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରାୟ ସମସ୍ତ କେନ୍ଦ୍ରରେ ଅଧିକାଂଶ ଶିଶୁ ଉପସ୍ଥିତ ଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

Exit mobile version