ଭେଜାଲ ସାମଗ୍ରୀ ବିକ୍ରୀ କରୁଥିବା ବ୍ୟବସାୟୀଙ୍କ ଆଡ୍ଡା ପାଲଟିଛି  ପାରଳଖେମୁଣ୍ଡି ସହର

ଓଡିଶା ତାଜା ନ୍ୟୁଜ୍  (୨୩ ଜାନୁଆରୀ ,ଶନିବାର )ପାରଳାଖେମୁଣ୍ଡି :-ଗଜପତିି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ନକଲି ଓ ଭେଜାଲ ସାମଗ୍ରୀ ତିଆରି ଓ ବିକ୍ରୀର ପେଣ୍ଠସ୍ଥଳୀ ପାଲଟିଛି । ପାରଳା ବଜାରରେ ଭେଜାଲ ଓ ନକଲି ସାମଗ୍ରୀର କାରବାର ବିଶେଷ ଭାବେ ବୃଦ୍ଧି ପାଇଛି । ଗଜପତି ଜିଲ୍ଲା ମହକୁମା ପାରଳା ସହରର କେତେକ ନ୍ୱେସ୍ତ ସ୍ୱାର୍ଥକାରୀ ବ୍ୟବସାୟୀ ଅତ୍ୟନ୍ତ ଗୋପନୀୟ ଭାବେ ଭେଜାଲ ଓ ନକଲି ସାମଗ୍ରୀ ତିଆରି କରୁଛନ୍ତି । ଏଥି ସହ ମୁଖ୍ୟତଃ ପଡୋଶୀ ଆନ୍ଧ୍ରରୁ ପ୍ରତ୍ୟେକ ଦିନ ପାରଳା ସହରକୁ ବିଭିନ୍ନ ବସ,ଘରୋଇ କାର,ମିନି ଟ୍ରକ,ଅଟୋ ଆଦି ବିଭିନ୍ନ ଯାନବାହାନରେ ବହୁ ଭେଜାଲ ସାମଗ୍ରୀ ଆସୁଛି । ଏଗୁଡିକୁ ସ୍ୱାର୍ଥନ୍ୱେଷୀ ବ୍ୟବସାୟୀ ନିଜ ନିଜର ଚୋରା ଗୋଦାମରେ ଗଚ୍ଛିତ ରଖୁଛନ୍ତି । ସୁଚିନ୍ତିତ ଭାବେ ଛୋଟ ଛୋଟ ଖୁଚୁରା ଦୋକାନରୁ ଆରମ୍ଭ କରି ବଡ ବଡ ହୋଲସେଲ ଦୋକାନ ପର୍ଯ୍ୟନ୍ତ ଏହି ଭେଜାଲ ଓ ନକଲି ସାମଗ୍ରୀ ଗୁଡିକୁ ଚାଲାଣ କରି ସାଧାରଣଙ୍କୁ ବିକ୍ରୀ କରାଯାଉଛି । କେବଳ ପାରଳାଖେମୁଣ୍ଡି ସହରର ଦୋକାନ ବଜାର ନୁହେଁ ଏହି ସ୍ୱାର୍ଥନ୍ୱେଷୀ ବ୍ୟବସାୟୀମାନେ ସମଗ୍ର ଗଜପତି ଜିଲ୍ଲାର ସମସ୍ତ ଦୋକାନ ବଜାରକୁ ଭେଜାଲ ଓ ନକଲି ସାମଗ୍ରୀ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ଚାଲିଛନ୍ତି । ମୋଟା ମୋଟି ଭାବେ କହିବାକୁ ଗଲେ ପାରଳା ସହର ନକଲି ଓ ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି । ନାମୀଦାମୀ କମ୍ପାନୀର ସାମଗ୍ରୀ ଠାରୁ ଏହି ଦୁଇ ନମ୍ବର ନକଲି ସାମଗ୍ରୀ ସ୍ଥାନୀୟ ଅଞ୍ଚଳରେ ଅଧିକ ବିକ୍ରୟ ହେଉଛି । ସେହିପରି ଭୋଜି ଋତୁରେ ନକଲି ସାମଗ୍ରୀର ବିକ୍ରୟ ବଢିଥାଏ ।

ପାରଳାଖେମୁଣ୍ଡିରେ ବହୁ ହୋଲ୍‌ସେଲ ଦୋକାନ ବଜାରର ଗୋଟିଏ ସ୍ଥାନରେ ବ୍ୟବସାୟ କରୁଥିବା ବେଳେ ଅନ୍ୟସ୍ଥାନରେ ବଡ ବଡ ଚୋରା ଗୋଦାମ କରି ଗୋଦାମରେ ଭେଜାଲ ସାମଗ୍ରୀ ରଖିଛନ୍ତି । ଖାଇବା ତେଲରୁ ଆରମ୍ଭ କରି ଅଟା,ବିଭିନ୍ନ ରକମର ଡାଲି,ଗୁଟଖା,ହଳଦୀ ଗୁଣ୍ଡ, ବେଆଇନ ସାମଗ୍ରୀ ଘୁଟୁକା, ଲଙ୍କା ଗୁଣ୍ଡ,ଘିଅ,ସବୁ ପ୍ରକାର ମସଲା ଗୁଣ୍ଡ,ବିଭିନ୍ନ ରକମର ସାବୁନ,ଲୁଗା ସଫା ପାଉଡର୍ ଓ ବିଭିନ୍ନ ଲିକ୍ୟୁଇଡ୍ ‌,ପାଣି ବୋତଲ, ବିଭିନ୍ନ କିସମର କୁଲ ଡ୍ରିଙ୍କ୍‌ସ୍‌, ଆଇସ୍‌କ୍ରିମ୍‌, ଫିନାଇଲ, ଡେଟଲ, ଗ୍ଲୁକୋଜ ଓ ହରଲିକ୍ସ ପ୍ୟାକେଟ ଆଦି ସହ କେତେକ ଔଷଧପତ୍ର ଆଦିର ମଧ୍ୟ ଭେଜାଲ ଓ ନକଲି କରି ଏଠାରେ ଅବାଧ ବିକ୍ରୀ ଚାଲିଛି । ଏହିି ଭେଜାଲ ସାମଗ୍ରୀ ପ୍ୟାକେଟ ଦେଖିବାକୁ ଅବିକଳ ନାମୀଦାମୀ କମ୍ପାନୀର ପ୍ୟାକେଟ ଭଳି । ଏଠାରେ ସ୍ମରଣ ଯୋଗ୍ୟ, ପାରଳା ସହରରୁ ପୋଲିସ ନକଲି ଗୁଟଖା ତିଆରି କାରବାର ରେ ଦୁଇ ଜଣ ବଡ ବ୍ୟବସାୟୀଙ୍କୁ ଗିରଫ କରିଥିଲେ । ତଥାପି ଏଠାରେ କାହାକୁ ସେପରି ଭୟ ଥିବା ଦେଖା ଯାଉନାହିଁ । ସ୍ପଷ୍ଟ ଦିବାଲୋକରେ ନକଲି ଭେଜାଲ ସାମଗ୍ରୀର ବ୍ୟାପକ ବିକ୍ରୀ ଚାଲିଛି । ଛୋଟରୁ ବଡ ଦୋକାନ ଯାଏଁ ବିଭିନ୍ନ ସାମଗ୍ରୀ କିଣାରେ ଜିଏସଟି ବିଲ୍ ନଦେଇ କେବଳ ଏକ ସାଦା କାଗଜରେ କଲମରେ ସାମଗ୍ରୀର ନାଁ ନଲେଖି କେବଳ ଦରର ଟଙ୍କାକୁ ହିସାବ କରି ଠକି ପଇସା ଆଦାୟ କରୁଛନ୍ତି । ଏହି ଭେଜାଲ ସାମଗ୍ରୀ ଗୁଡିକୁ ବ୍ୟବସାୟୀମାନେ ଅସଲି ସାମଗ୍ରୀ ଭଳି ଦର ନିଅନ୍ତି । ଏଗୁଡିକର କୌଣସି ସ୍ୱାଦ ନ ଥାଏ । ଭେଜାଲ ସାମଗ୍ରୀ ଖାଇବା ଦ୍ୱାରା ଲୋକେ ବହୁ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲା ପ୍ରଶାସନ,ପୋଲିସ ଓ ଯୋଗାଣ ବିଭାଗ ସୁଚିନ୍ତିତ ଭାବେ ଏଥି ନେଇ ଚଢାଉ କରି ଖାନତଲାସି କଲେ ବହୁ ରହସ୍ୟ ଲୋକଲୋଚନକୁ ଆସିପାରିବ ।   ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version