ବାଲେଶ୍ବରର ବିଶିଷ୍ଟ ଶିଳ୍ପୀ କେଶୁଦାସଙ୍କୁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଦାୟିତ୍ବ ପ୍ରଦାନ କରିଛନ୍ତି  

  ଓଡ଼ିଶା ତାଜା ନ୍ୟୁଜ (୨୨ ଜାନୁଆରି ୨୦୨୧, ଶୁକ୍ରବାର ) ବାଲେଶ୍ୱର : – ବିଶ୍ଵବ୍ୟାପୀ ଓଡ଼ିଆ ଜାତୀୟତା ଜାଗରଣ ଅଭିଯାନ ‘ବିଶ୍ୱ ଓଡ଼ିଶା’ର ନବବର୍ଷ ସଂକଳ୍ପ କାର୍ଯ୍ୟକ୍ରମ ଏହାର ସଭାପତି ତଥା ଓଡିଶା ବିଧାନସଭା ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ‘ବିଶ୍ୱ ଓଡ଼ିଶା’ ବିଶ୍ୱବ୍ୟାପୀ ଓଡ଼ିଆଙ୍କ ମଧ୍ୟରେ ସମ୍ପର୍କ, ସମନ୍ୱୟ ରଖି ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରୁଛି ଏବଂ ଏହା ଆଗାମୀ ଦିନରେ ଓଡ଼ିଶାର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଭାଷା, ସାହିତ୍ୟ, ସଂସ୍କୃତି, ଖାଦ୍ୟପାନୀୟ, ବେଶପୋଷାକ ତଥା ପର୍ଯ୍ୟଟନକୁ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର କରିବ ବୋଲି ସିଦ୍ଧାନ୍ତ ନିଆ ଯାଇଛି । ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ପର୍ଯ୍ୟଟନ, ବିଭାଗର ଅଧ୍ୟକ୍ଷ ଓ କର୍ମକର୍ତ୍ତା ଦ୍ବାୟିତ୍ବ ବଣ୍ଟନ କରାଯାଇଥିବା ବେଳେ ‘ବିଶ୍ବ ଓଡ଼ିଶା କଳା ପରିଷଦ’ର ଅଧ୍ୟକ୍ଷ ଭାବେ ବାଲେଶ୍ବରର ବିଶିଷ୍ଟ ଶିଳ୍ପୀ କେଶୁଦାସଙ୍କୁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଦାୟିତ୍ବ ପ୍ରଦାନ କରିଛନ୍ତି ।

ଏହି ବୈଠକରେ ବିଭିନ୍ନ ବିଭାଗରେ ଦାୟିତ୍ବ ଗ୍ରହଣ କରିଥିବା ସମସ୍ତ ଅଧ୍ୟକ୍ଷ ନିଜ ନିଜର ପ୍ରସ୍ତାବ ଦେଇଥିବା ବେଳେ ‘କଳା ପରିଷଦ’ର ଅଧ୍ୟକ୍ଷ ଶିଳ୍ପୀ କେଶୁଦାସ ଓଡ଼ିଶାର ଆଦ୍ୟ, ପୁରାତନ , ପାରମ୍ପରିକ, ମୌଳିକ ଓ ଲୋକାଦୃତ ଲୋକକଳା ଝୋଟି ସର୍ବଭାରତୀୟ ସ୍ତରରେ ମାନ୍ୟତା ନ ଥିବାର କ୍ଷୋଭ ପ୍ରକାଶ କରି ବିଶ୍ବ ସ୍ତରରେ ପ୍ରତିଷ୍ଠା କରିବା ପାଇଁ ଉତ୍କଳୀୟ ଝୋଟି ଦିବସ, ଜିଆଇ ଟ୍ୟାଗ୍ ଓ ସର୍ବଭାରତୀୟ ଭୂ-ଅଳଙ୍କରଣରେ ସ୍ଥାନିତ କରିବା ପାଇଁ କାର୍ଯ୍ୟକ୍ରମ କରାଯିବା ବୋଲି ପ୍ରସ୍ତାବ ଦେଇଥିଲେ। ଏହା ଓଡ଼ିଶାର ଅସ୍ମିତାର ପ୍ରସଙ୍ଗ ହୋଇଥିବାରୁ ସମସ୍ତ କର୍ମକର୍ତ୍ତା ପ୍ରସ୍ତାବକୁ ଯଥାବିଧି ଆଗେଇ ନେବାର ସିଦ୍ଧାନ୍ତ ନେଇଥିଲେ । ନବବର୍ଷ ସଂକଳ୍ପ ଭାବରେ ଚଳିତ ୨୦୨୧ ମସିହାକୁ ‘ବିଶ୍ୱ ଓଡ଼ିଆ ସଦଭାବନା ବର୍ଷ’ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଡକ୍ଟର ପାତ୍ର ଏହାର ସ୍ମାରକ ଉନ୍ମୋଚନ କରିଥିଲେ l            (ଦୀପ୍ତିମାନ ପତି, ବାଲେଶ୍ୱର)

Exit mobile version