ମା’ ସାଜିଲା ଝିଅର ହତ୍ୟାକାରୀ

ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ) ବାଲେଶ୍ୱର :- ପରିବାରର ସମ୍ମାନ ପାଇଁ ଖୋଦ୍‌ ଜନ୍ମକଲା ମା’ ସାଜିଲା ଝିଅର ହତ୍ୟାକାରୀ। ବାଲେଶ୍ବର ସଦର ଥାନା ନଗ୍ରମ ଅଞ୍ଚଳରେ ଜଣେ ମହିଳାଙ୍କ ରକ୍ତଭିଜା ମୃତଦେହ ଜବତ ପୁଲିସ କରିଛି lଯୋଜନା ମୁତାବକ ନିଜ ଝିଅକୁ ସୁପାରି ଦେଇ ହତ୍ୟା କରିବା ଅଭିଯୋଗରେ ମା’ ସୁକାନ୍ତି ଗିରି (୫୮) ଓ ପ୍ରମୋଦ ଜେନା ଓରଫ କାଟିଛୁଆ (୩୨)କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟତମ ଅଭିଯୁକ୍ତ ରେପିଷ୍ଟ୍‌ ଓ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଥିବାବେଳେ ହତ୍ୟାକାଣ୍ଡରେ ବ୍ୟବହୃତ କାର, ଇଟା, ଫ୍ୟାନ୍‌, ବେଲ୍ଟ ଆଦି ଜିନିଷକୁ ପୁଲିସ ଜବତ କରିଛି  

ହତ୍ୟାକାଣ୍ଡର ଶିକାର ହୋଇଥିବା ଶିବାନୀ ଗିରି (୩୮) ଆଜିକୁ ୧୦ ବର୍ଷ ହେଲା ସ୍ବାମୀଙ୍କୁ ଛାଡ଼ି ନିଜ ମା’ଙ୍କ ପାଖରେ ରହୁଥିଲେ । ଏଠାରେ ରହିବା ବେଳେ ସେ ଏକ ଚା’ ଦୋକାନ କରିଥିଲେ। ହେଲେ ଚା’ ଦୋକାନରେ ଚ‌ୋରା ମଦ ବ୍ୟବସାୟ କରୁଥିବା ଜାଣିବା ପରେ ମା’ ସୁକାନ୍ତି ଏହାକୁ ବିରୋଧ କରିଥିଲେ । ଘରେ ଶିବାନୀଙ୍କର ଦୁଇ ବଢ଼ିଲା ଝିଅ ଥିବାବେଳେ ସେମାନେ କଲେଜ୍‌ରେ ଭଲପାଠ ମଧ୍ୟ ପଢୁଥିଲେ। ପରିବାରର ସମ୍ମାନ ଓ ଝିଅଙ୍କ ଭବିଷ୍ୟତ ଦୃଷ୍ଟିରୁ ମଦ ବ୍ୟବସାୟକୁ ବନ୍ଦ କରିବାକୁ କହିଥିଲେ ମା ସୁକାନ୍ତି । କିନ୍ତୁ ଶିବାନୀ କାହା କଥା ଶୁଣିନଥିଲେ । ଝିଅର ଏଭଳି ଚାଲିଚଳଣି, ଔଦ୍ଧତ୍ୟପୂର୍ଣ୍ଣ କଥା ମା’ଙ୍କ ଆଖିରେ ଯାଇନଥିଲା । ଅପରନ୍ତୁ ତାଙ୍କର ସାମାଜିକ ସମ୍ମାନ କ୍ଷୁର୍ଣ୍ଣ ହୋଇଥିଲା ।

ତେଣୁ ସବୁଦିନ ପାଇଁ ଝିଅକୁ ରାସ୍ତାରୁ ହଟାଇବା ପାଇଁ ଗତ ୨ ମାସ ପୂର୍ବରୁ ସେ ଯୋଜନା କରିଥିଲେ । ଏଥିପାଇଁ ଝିଅ ସହ ବେଶୀ ମିଳାମିଶା କରୁଥିବା ସ୍ଥାନୀୟ ଅଞ୍ଚଳର ଡ୍ରାଇଭର ପ୍ରମୋଦ ସହ ଡିଲ୍‌ କରିଥିଲେ ଏବଂ ହତ୍ୟା ପାଇଁ ୫୦ ହଜାର ଟଙ୍କା ସୁପାରି ଦେବେ ବୋଲି କହିଥିଲେ । ପ୍ରମୋଦଙ୍କୁ ଏହି କାମରେ ସହଯୋଗ କରିବା ଲାଗି ରେପିଷ୍ଟ ଓ ଅନ୍ୟ ସହଯୋଗୀଙ୍କ ସହ ଆଲୋଚନା କରିଥିଲେ । ଶିବାନୀଙ୍କୁ ହତ୍ୟା ପାଇଁ ପ୍ରମୋଦ ଅଗ୍ରିମ ୮ହଜାର ଟଙ୍କା ନେଇଥିବାବେଳେ କାମ ସରିବା ପରେ ବାକି ୪୨ ହଜାର ଟଙ୍କା ନେବାକୁ କଥା ଛିଣ୍ଡିଥିଲା । ଯୋଜନା ମୁତାବକ ରାତିରେ ଶିବାନୀ ଦୋକାନ ବନ୍ଦ କରିବା ପରେ ପ୍ରମ‌ୋଦ, ରେପିଷ୍ଟ ଏବଂ ଅନ୍ୟ ଜଣେ ସହଯୋଗୀ କାର୍‌ ନେଇ ଶିବାନୀଙ୍କ ଦୋକାନ ପାଖରେ ପହଞ୍ଚିଥିଲେ  ।

ସେଠାରେ ୪ ଜଣ କାରରେ ପ୍ରଚୁର ମଦ ପିଇଥିଲେ । ଶିବାନୀଙ୍କୁ ମାତ୍ରାଧିକ ନିଶା ହେବା ପରେ ସେମାନେ ତାଙ୍କୁ ନଗ୍ରମସ୍ଥିତ ବେଲନାଳ ପାଖ ପୋଲ ନିକଟକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ମୁଣ୍ଡକୁ ଇଟାରେ ଛେଚି ନିର୍ମମ ଭାବେ ହତ୍ୟା କରିବା ପରେ ପୋଲ ତଳକୁ ଫୋପାଡ଼ି ଦେଇଥିଲେ । ପଚରାଉଚରା ବେଳେ ପ୍ରମୋଦ ହତ୍ୟାକାଣ୍ଡର ସମସ୍ତ ଘଟଣା ମାନିଯାଇଥିଲା । ପ୍ରକାଶଥାଉକି, ନଗ୍ରମ ବେଲନାଳରେ ଶିବାନୀଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ହଳଦୀପଦା ଫାଣ୍ଡିକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ହଳଦୀପଦା ଫାଣ୍ଡି ପୁଲିସ ଓ ସଦର ଏସ୍‌ଡିପିଓ ପ୍ରଭାସ ପାଲ ପହଞ୍ଚି ମୃତଦେହକୁ ଜବତ କରିଥିଲେ ।(ଦୀପ୍ତିମାନ ପତି, ବାଲେଶ୍ବର)

Exit mobile version