ସୀମା ବିବାଦ ଉପରେ ଗୃହକମିଟି ବୈଠକ : ଗୃହ କମିଟି ସୀମାନ୍ତ ଗ୍ରାମକୁ ଗ୍ରସ୍ତରେ ଯିବ

ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ) ଭୁବନେଶ୍ୱର :- ଓଡ଼ିଶା ବିଧାନସଭା ଗୃହ କମିଟି ବୈଠକ ବିଧାନସଭା ନୂତନ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼ ପ୍ରଭୃତି ପଡ଼ୋଶୀ ରାଜ୍ୟ ସହ ଲାଗି ରହିଥିବା ସୀମା ବିବାଦ ଉପରେ ବିଶଦ ଆଲୋଚନା ହୋଇଥିଲା । ସୀମା ବିବାଦ ସଂପର୍କିତ ସୁପ୍ରିମକୋର୍ଟରେ ବକେୟା ଥିବା ମାମଲାର ବର୍ତ୍ତମାନ ସ୍ଥିତି ଉପରେ ବାଚସ୍ପତି ଡ. ପାତ୍ର ଜାଣିବାକୁ ଚାହିଁଥିଲେ ଏବଂ ପରବର୍ତ୍ତୀ ବୈଠକରେ ଏ ସଂପର୍କିତ ସବିଶେଷ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ନଭେଞ୍ଚର ୭, ୨୦୧୯ରିଖ ଦିନ ଗୃହକମିଟି ବୈଠକରେ ଗୃହୀତ ହୋଇଥିବା ନିଷ୍ପତ୍ତିର ଅନୁପାଳନ ବିବରଣୀ ମଧ୍ୟ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ।

ସୀମା ବିବାଦ ଥିବା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟେକ ମାସରେ ଅନ୍ତତଃ ଥରେ ସୀମା ବିବାଦ ଥିବା ପ୍ରତିପକ୍ଷ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ବୈଠକ କରି ଆଲୋଚନା କରିବାକୁ ଗୃହକମିଟି ସଦସ୍ୟମାନେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଦେଇଥିଲେ । ଏ ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ତଥ୍ୟ ରାଜସ୍ୱ ଆୟୁକ୍ତ ଏବଂ ମୁଖ୍ୟ ଶାସନ ସଚିବ ଗୃହକମିଟିକୁ ଅବଗତ କରିବେ । ବାସ୍ତବ ସମସ୍ୟା ଉ ପରେ ଅବଗତ ହେବା ପାଇଁ ଗୃହ କମିଟି ସୀମା ବିବାଦ ଥିବା କୋଟିଆ ଗ୍ରାମ ପୁଞ୍ଜ ସହ ଅନ୍ୟାନ୍ୟ ଅଞ୍ଚଳ ଗସ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗୃହ କମିଟିର ପରବର୍ତ୍ତୀ ବୈଠକରେ ରାଜସ୍ୱ ଆଇନ, ଗୃହ ଏବଂ ପଞ୍ଚାୟତିରାଜ ବିଭାଗର ସଚିବ ମାନେ ଯୋଗଦେଇ ସଂପୃକ୍ତ ଅଞ୍ଚଳରେ କିଭଳି ବିକାଶ ପ୍ରକ୍ରୀୟାକୁ ତ୍ୱରାନ୍ୱିତ ହୋଇଛି, ସେ ସଂ ପର୍କରେ ଗୃହ କମିଟିକୁ ଅବଗତ କରିବେ ।

ସୀମା ଗ୍ରାମ ଗୁଡ଼ିକର ୫ କିମି ଦୂରତା ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଆଇନଶୃଙ୍ଖଳା, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସୀମା ଗ୍ରାମର ୫ କିମି ଦୂରରେ ଥିବା ବିଦ୍ୟାଳୟ ଗୁଡ଼ିକୁ ଅପ୍‌ଗ୍ରେଡ୍‌ କରିବା ସହ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସରକାରୀ ଅନୁଦାନ ପ୍ରଦାନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମୀକ୍ଷା ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂ, ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ କିଶୋର କୁମାର ମହାନ୍ତି, ଭୂ ପିନ୍ଦର ସିଂ, ଅମର ପ୍ରସାଦ ଶତ ପଥୀ, ଅନନ୍ତ ଦାଶ, ଅଶ୍ୱିନୀ କୁମାର ପାତ୍ର, ଆଦିତ୍ୟ ମାଢ଼ି, ରାଜକିଶୋର ଦାଶଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତ ପଥୀ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version