ଜାତୀୟ ସଡ଼କ ସୁରକ୍ଷା ପାଳନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ଢେଙ୍କାନାଳ :- ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ମାସ ୧୭ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ହେବାକୁ ଥିବା ଜାତୀୟ ସଡକ ସୁରକ୍ଷା ପାଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆସନ୍ତା ୧୮ ତାରିଖରୁ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ପର୍ଯ୍ୟାୟ କ୍ରମେ ପରିକ୍ରମା କରିବ ।

ସାଇନ୍ ବୋର୍ଡ,ଲିଫଲେଟ୍, ୱାଲ୍ ପେଣ୍ଟିଂ,ଷ୍ଟିକରିଂ ମାଧ୍ୟମରେ ସଚେତନ କରାଯିବ । ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକରେ ସ୍ଫିଡ୍ ଲିମିଟର ସୁବ୍ୟବସ୍ଥା ହେବ । ସମସ୍ତ ବସ୍, ଟ୍ରକ ଅଟୋ ଆଦିର ଚାଳକମାନଙ୍କୁ ଶିବିର ମାଧ୍ୟମରେ ସଚେତନ କରାଯାଇ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଚାଳକମାନଙ୍କ ଚକ୍ଷୁ ପରୀକ୍ଷା କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି । ଦୁର୍ଘଟଣା ରୋକିବା ଓ ସଚେତନ ସୃଷ୍ଟି କରିବା ପାଇଁ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଆଞ୍ଚଳିକ ପରିବହନ ଏବଂ ପୋଲିସ ମିଳିତ ଭାବେ ଚେକିଂ କରିବେ ବୋଲି ଜଣାଯାଇଛି ।

ସମସ୍ତେ ସଚେତନ ହେଲେ ସଡ଼କ ଦୁର୍ଘଟଣା ବହୁ ମାତ୍ରାରେ ରୋକାଯାଇ ପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମାଝୀ ସଡ଼କ ସୁରକ୍ଷା ପାଳନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଅପାତ୍ତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଐରା ର କର୍ମକର୍ତ୍ତା ସୁରେଶ ପଣ୍ଡା, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଡିଏସପି ଯୋଗେଶ୍ଵର ଓରାମ୍ ଓ ଅନ୍ୟ ପୋଲିସ ଅଧିକାରୀ ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। (ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version