ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଦେଶାତ୍ମବୋଧ ସଂଗୀତ କାର୍ଯ୍ୟକ୍ରମ

ଭୁବନେଶ୍ୱର (ଓଡିଶା ତାଜା ନିଉଜ) ଜୟଦେବ ଭବନଠାରେ 27-1-2020 :- ରାଜ୍ୟସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଗତକାଲି ସଂଧ୍ୟାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦେଶାତ୍ମବୋଧ ସଂଗୀତ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।

‘ଆର୍ଯ୍ୟଭୂମି ମାତୃଭୂମି ଜନ୍ମଭୂମି ଭାରତ…. ସଂଗୀତଠାରୁ ଆରମ୍ଭ କରି ଉତ୍କଳମଣି ଗୋପବନ୍ଧୁଙ୍କ ‘ମିଶୁ ମୋର ଦେହ ଏ ଦେଶ ମାଟିରେ’ ଓ ପରେ ପରେ ‘ ଏ ମେରେ ୱତନ କି ଲୋଗୋଁ’, ‘ମା ତୁଝେ ସଲାମ’, ‘ସୁନୋ ଗାନର ସେ ଦୁନିଆଁ ବାଲୋଁ’, ୟହାଁ କଦମ୍ କଦମ୍ ପର ଧରତୀ ବଦଲେ ରଙ୍ଗ୍ ..ଇତ୍ୟାଦି ଗୋଟିଏ ପରେ ଗୋଟିଏ ଅନେକଗୁଡିଏ ମନମୁଗ୍ଧକାରୀ ଦେଶାତ୍ମବୋଧ ସଂଗୀତ ଭେଟି ଦେଇଥିଲେ ବିଶିଷ୍ଟ ସଂଗୀତଜ୍ଞ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ୍ ଓ ତାଙ୍କର ସାଥୀଗଣ । ପବିତ୍ର ଗଣତନ୍ତ୍ର ଦିବସର ଶୁଭ ଅବସରରେ ଆୟୋଜିତ ଏହି ଦେଶାତ୍ମବୋଧ ସଂଗୀତ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କୁ ଆଲ୍ଲାଦିତ କରିଥିଲା ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଂଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ପ୍ରମୁଖ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀଯୁକ୍ତ ପାଲିତଙ୍କ ସହିତ ଶ୍ରୀ ରନ୍ଦିପ ପାଲିତ୍‌, ବନ୍ଦୀଶ ପାଲିତ୍‌, ବିଦ୍ୟୁତ୍ ପ୍ରଭା ପାଲିତ୍‌, ନନ୍ଦିନୀ ପାଲିତ୍‌, ସିଦ୍ଧାନ୍ତ ଶତପଥୀ, ରିତିକା ରିମ୍‌ଝିମ୍ ନାୟକ, ୟଶ ମହାନ୍ତି, ଶାଶ୍ୱତୀ ନାରାୟଣୀ ଆଚାର୍ଯ୍ୟ, ଯଶସ୍ୱିନୀ ନାୟକ ପ୍ରମୁଖ କଣ୍ଠଶିଳ୍ପୀ ଦେଶାତ୍ମବୋଧ ସଂଗୀତ ପରିବେଷଣ କରିଥିଲେ ।

Exit mobile version