ମହିଳାଙ୍କ ସୁରକ୍ଷା ପାଇଁ ନୂଆ ପ୍ରୟାସ :  ଗଞ୍ଜାମ ପୋଲିସକୁ ମିଳିଲା ରେଡ୍‌ କଲର ସ୍କୁଟି

ଓଡିଶା ତାଜା ନ୍ୟୁଜ୍  (୧୩ ଜାନୁଆରୀ ବୁଧବାର ) ଛତ୍ରପୁର :-  ମହିଳାଙ୍କୁ ସୁରକ୍ଷା ଓ ସହାୟତା ନିମନ୍ତେ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏହିକ୍ରମରେ ନିର୍ଭୟା ଯୋଜନାରେ ରାଜ୍ୟ ପୋଲିସକୁ ୫ ଶହ ସ୍କୁଟି ଯୋଗାଇ ଦିଆଯାଇଛି । ଯଦି କେହି ମହିଳା ରାସ୍ତାରେ ଯିବା ବେଳେ ଅସୁରକ୍ଷିତ ମନେ କରନ୍ତି , ସେମାନେ ପୋଲିସକୁ ଯୋଗାଯୋଗ କଲେ ମହିଳା ପୋଲିସ କର୍ମଚାରୀ ସଙ୍ଗେ ସଙ୍ଗେ ସ୍କୁଟିରେ ଯାଇ ସେଠାରେ ପହଞ୍ଚିବେ । ଗଞ୍ଜାମ ଜିଲାରେ ପୋଲିସକୁ ୩୨ ସ୍କୁଟି ଦିଆଯାଇଛି । ସେଥିମଧ୍ୟରୁ ବ୍ରହ୍ମପୁର ପୋଲିସ ଜିଲାକୁ ୧୧ ଓ ଗଞ୍ଜାମ ପୋଲିସ ଜିଲାକୁ ୨୧ଟି ସ୍କୁଟି ଆସିଛି । ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହିରୋ ମୋଟର୍ସର ଜଣେ କର୍ମଚାରୀ ୧୧ଟି ସ୍କୁଟି ଏସ୍‌ପି ପିନାକ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ । ସହର ଓ ଗ୍ରାମାଞ୍ଚଳ ରେ ଥିବା ପ୍ରତ୍ୟେକ ଥାନାକୁ ଗୋଟିଏ ଗୋଟିଏ ସ୍କୁଟି ଦିଆଯିବ

 

ଏବଂ ଏଥିରେ ଦକ୍ଷ ମହିଳା ପୋଲିସ କର୍ମଚାରୀମାନେ ପାଟ୍ରୋଲିଂ କରିବେ । ସେହିପରି ଛତ୍ରପୁର ପୋଲିସ ପଡ଼ିଆଠାରେ ଗଞ୍ଜାମ ପୋଲିସ ଜିଲାର ୨୧ ଥାନାର ମହିଳା ପୋଲିସଙ୍କୁ ଏହି ସ୍କୁଟି ଦିଆଯାଇଛି । ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ, ଅଶୋକ କୁମାର ମହାନ୍ତି, ଡିଏସ୍‌ପି ସାମୁଏଲ ପ୍ରଧାନ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି, ସରଜେଣ୍ଟ ସଞ୍ଜୟ କୁମାର ବାରିକ, ପୋଲିସ କନଷ୍ଟେବଳ ଓ ହାବିଲଦାର ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ, ସମ୍ପାଦକ ବ୍ରଜମୋହନ ଜେନା, ଏ. ରାବଣା ରାଓ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version