ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୧ ଉପଲକ୍ଷେ ପ୍ରସ୍ତୁତି ବୈଠକ ; ପରେଡ୍‌ରେ ଯୋଗ ଦେବେ ୧୮ଟି ଦଳ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର )ଭୁବନେଶ୍ୱର :- ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୨୧ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସଞ୍ଜିବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରେଡ୍‌, ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ବିଜୁଳି ଯୋଗାଣ, ଡାକବାଜି ବ୍ୟବସ୍ଥା, ପିଇବା ପାଣି, ସାନିଟାଇଜେସନ, ଫାଷ୍ଟଏଡ୍‌ ଏବଂ ଆଞ୍ଚୁଲାନ୍‌ସ ସେବା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା । ଚଳିତ ସାଧାରଣତନ୍ତ୍ର ଦିବସରେ ମାନ୍ୟବର ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଚଳିତ ସାଧାରଣତନ୍ତ୍ର ଦିବସରେ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ମୋଟ ୧୮ଟି ସଶସ୍ତ୍ର ବାହିନୀ ପରେଡ୍‌ରେ ଅଂଶଗ୍ରହଣ କରିବେ । ବେସାମରିକ ବାହିନୀ, ମହାବିଦ୍ୟାଳୟ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ପ୍ୟାରେଡ୍‌ରେ ସାମିଲ କରାଯିବ ନାହିଁ ।

ଜି.ଇ.ଡି ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଣ ସହ ପୂର୍ତ୍ତ ବିଭାଗ ପକ୍ଷରୁ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ, ବିଧାନସଭା କୋଠା, ଜୟଦେବ ଭବନ ଏବଂ କମିଶନରେଟ୍‌ ପୋଲିସ ଭବନକୁ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରିବାକୁ ନିଷ୍ପତ୍ତି ହୋଇଛି ।ସଚିବାଳୟ ମାର୍ଗସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଷ୍ଟେଟ୍‌ ବ୍ୟାଙ୍କ କାର୍ଯ୍ୟାଳୟ, ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ, ପି.ଏମ୍‌.ଜି., ଇଡ୍‌କୋ, ବି.ଡି.ଏ., ଓ.ଏମ୍‌.ସି. ଏବଂ ଇ ପିକଲ ଆଦି କୋଠା ରଙ୍ଗିନ୍‌ ଆଲୋକରେ ସଜାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜି ବ୍ୟବସ୍ଥା, ପ୍ୟାରେଡ୍‌ ସ୍ଥଳର ସାଜସଜ୍ଜା ଏବଂ ପ୍ରସାରଣ ବ୍ୟବସ୍ଥା ତୁଲାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ସାନିଟାଇଜେସନ ଏବଂ ପିଇବା ପାଣି ବ୍ୟବସ୍ଥା ଲାଗି ବି.ଏମ୍‌.ସି. କୁ ଦାୟିତ୍ୱ ଦିଆଯାଇଛି । କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଫାଷ୍ଟଏଡ୍‌ ସୁବିଧା ଥାଇ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । କୋଭିଡ୍‌ କଟକଣା ହେତୁ କମନ୍‌ ଫିଡ୍‌ ଜରିଆରେ ଏହି ରାଜ୍ୟସ୍ତରୀୟ ଉତ୍ସବର ସିଧା ପ୍ରସାରଣ ଲାଗି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯିବ । ତେବେ ଚଳିତ ବର୍ଷ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଅତିଥି, କୋଭିଡ୍‌ ଯୋଦ୍ଧା, ଆଗଧାଡ଼ିର କୋଭିଡ୍‌ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯିବ । ଜନସାଧାରଣ ଏହି ରାଜ୍ୟସ୍ତରୀୟ ଉତ୍ସବର ସିଧା ପ୍ରସାରଣ ଟେଲିଭିଜନ୍‌ ମାଧ୍ୟମରେ ଦେଖି ପାରିବେ ।

କୋଭିଡ୍‌ କଟକଣା ଦୃଷ୍ଟିରୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଲୋକନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଜ୍ଞାପନ ମେଢ଼ ଆଦିକୁ ସ୍ଥଗିତ ରଖିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି । ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଡିଜି ଫାୟାର ସର୍ଭିସ୍‌ ଶ୍ରୀ ସତ୍ୟଜିତ ମହାନ୍ତି, ପୋଲିସ କମିଶନର ଶ୍ରୀ ସୁଧାଶୁଂ ଷଡଙ୍ଗୀ, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା, ବିଏମ୍‌ସି କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।

Exit mobile version