ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ ; ୨୬ ଲକ୍ଷ ୪୮ ହଜାର ୪୭୪ ମେଟ୍ରିକ ଟନ୍‌ ଧାନ ସଂଗ୍ରହ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ଭୁବନେଶ୍ୱର :- ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାର ପ୍ୟାକ୍ସ/ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ ଦ୍ୱାରା ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ୍‌ ଧାନସଂଗ୍ରହ କାର୍ଯ୍ୟ କରାଯାଉଥିବାବେଳେ ଆଜି ସୁଦ୍ଧା ମୋଟ ୨୬ ଲକ୍ଷ ୪୮ ହଜାର ୪୭୪ ମେଟି୍ରକ୍‌ ଟନ୍‌ ଧାନସଂଗ୍ରହ କରାଯାଇଛି । ଏହା ଗତ ବର୍ଷ ଆଜି ଦିନ ସୁଦ୍ଧା ଖରିଫ୍‌ ଧାନସଂଗ୍ରହ ଠାରୁ ୨୪ ପ୍ରତିଶତ ଅଧିକ । ଗତ ବର୍ଷ ଆଜିର ତାରିଖ ସୁଦ୍ଧା ମୋଟ ୨୧ ଲକ୍ଷ ୩୦ ହଜାର ୧୯୯ ମେଟି୍ରକ୍‌ ଟନ ଧାନସଂଗ୍ରହ ହୋଇଥିଲା । ଧାନ ସଂଗ୍ରହ କାର୍ଯ୍ୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ଓ ବ୍ୟବସ୍ଥିତ ଭାବେ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦାୟିତ୍ୱରେ ଥିବା ଅଧିକାରୀମାନେ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରି ଧାନ ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ଦ୍ୱାରା ନାମ ପଞ୍ଜୀକୃତ କରିଥିବା ଚାଷୀଙ୍କ ଠାରୁ ପି-ପାସ୍‌ ଜରିଆରେ ଏବଂ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ଖରିଫ୍‌ ଧାନସଂଗ୍ରହ କରାଯାଉଛି ।

ଏଥି ସହିତ ମଣ୍ଡିରେ ସାମାଜିକ ଦୂରତ୍ୱ ଓ ସମସ୍ତ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନ କରି ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଅଦ୍ୟାବଧି ଅଧିକ ଧାନସଂଗ୍ରହ ହୋଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରୁ ବରଗଡ଼ରେ ୬,୩୧,୧୧୯ ମେଟି୍ରକ ଟନ, ବଲାଙ୍ଗୀର ୨,୧୪,୩୪୦ ମେଟି୍ରକ୍‌ ଟନ୍‌, କଳାହାଣ୍ଡିରେ ୩,୨୪,୧୧୯ ଟନ, କୋରାପୁଟରେ ୧,୯୧,୦୩୦ ମେଟି୍ରକ ଟନ, ନୂଆପଡ଼ାରେ ୧,୦୪,୪୬୫ ମେଟି୍ରକ ଟନ, ସମ୍ବଲପୁରରେ ୩,୨୨,୭୨୪ ଟନ, ସୁବର୍ଣ୍ଣପୁର ୨,୨୩,୬୧୫ ଟନ ଓ ନବରଙ୍ଗପୁର ଜିଲ୍ଲାରେ ୯୭,୩୩୧ ମେଟି୍ରକ୍‌ ଟନ ଧାନସଂଗ୍ରହ ହୋଇଛି । ଚଳିତ ଖରିଫ୍‌ ଧାନ ବିକି୍ର ନିମନ୍ତେ ରାଜ୍ୟରେ ମୋଟ ୧୪ ଲକ୍ଷ ୯୯ ହଜାର ୬୬୧ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଥିବାବେଳେ ଅଦ୍ୟାବଧି ୧୪ ଲକ୍ଷ ୩୯ ହଜାର ୭୬୬ ଜଣଙ୍କ ନାମ ଯାଞ୍ଚ କରାଯାଇଛି । ଆଜି ସୁଦ୍ଧା ୪ ଲକ୍ଷ ୨୩ ହଜାର ୬୫୮ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରି କରିଛନ୍ତି ।

Exit mobile version