
ଓଡ଼ିଶା ତାଜା ନ୍ୟୁଜ୍ (୬ ଜାନୁଆରୀ ବୁଧବାର ) ନୂଆଦିଲ୍ଲୀ/ଭୁବନେଶ୍ୱର :- ବିଦ୍ୟାପୁରୀ ପ୍ରକାଶନର ପ୍ରତିଷ୍ଠାତା ଓ ପ୍ରଖ୍ୟାତ ପ୍ରକାଶକ ଏବଂ ବିତରକ ସ୍ଵର୍ଗତଃ ପୀତାମ୍ବର ମିଶ୍ର, ବହୁଗୁଣ ସଂପନ୍ନ ଏକ ଅନୁଷ୍ଠାନ ଥିଲେ ବୋଲି ତାଙ୍କର ୯୧ତମ ଜନ୍ମ ଜୟନ୍ତୀ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧା ସୁମନ ଅର୍ପଣ ସମୟରେ ମତ ପ୍ରକାଶ କରିଛନ୍ତି | ଶ୍ରୀ ମିଶ୍ର ଜଣେ ପ୍ରବଳ ପ୍ରଜ୍ଞା ପ୍ରଗଳଭା ପ୍ରକାଶକ ଭାବରେ ଜାତୀୟ ଓ ଆନ୍ତର୍ଜାତୀକ ସ୍ତରରେ ସ୍ୱୀକୃତି ଓ ଆଦୃତି ଲାଭ କରିଥିବା ବରେଣ୍ୟ ବକ୍ତା ମାନେ ଉଲ୍ଲେଖ କରିଛନ୍ତି | ଟରୋଣ୍ଟୋରେ ଅବସ୍ଥାପିତ ଶ୍ରୀ ମିଶ୍ରଙ୍କର ଜାମାତା ସୁନାମଧନ୍ୟ ସାହିତ୍ୟିକ ଡ଼ଃ ତନ୍ମୟ ପଣ୍ଡା ଏବଂ ଝିଅ ଲବଧପ୍ରତିଷ୍ଠ ଲେଖିକା ଡ଼ଃ ସୁନନ୍ଦା ମିଶ୍ର ପଣ୍ଡା ତଥା ପରିବାରବର୍ଗଙ୍କ ଦ୍ୱାରା ଅନଲାଇନ ଯୋଗେ ଆୟୋଜିତ ଏକ ଆନ୍ତର୍ଜାତୀକ ସ୍ମୃତି ସମାରୋହରେ ଦେଶ ବିଦେଶର ଶତାଧୀକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିବା ଦେଖାଯାଇଥିଲା | ଇଣ୍ଟରନେଟ ମଞ୍ଚରେ ବିଶ୍ୱଭରି ପୀତାମ୍ବର ବାବୁଙ୍କର ପ୍ରିୟଜନ ଓ ପ୍ରଶଂସକ ମାନେ ସାମିଲ ହୋଇ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଅନୁଭୂତି ବେଶ ମର୍ମସ୍ପର୍ଶୀ ଥିଲା | ସମାବେଶକୁ ଭିଡ଼ିଓ କନଫରେନସିଂ ଜରିଆରେ ସମ୍ବୋଧନ କରି ମୁଖ୍ୟ ଅତିଥି ସାଂସଦ ଭର୍ତ୍ତୃହରି ମହତାବ, ପୀତାମ୍ବର ମିଶ୍ର ଜଣେ ଉତ୍କୃଷ୍ଟ ପ୍ରକାଶକ ଓ ଉତ୍ତମ ବିତରକ ଥିଲେ ବୋଲି ଦର୍ଶାଇ, ତାଙ୍କ ସହିତ ବିତିଥିବା ବହୁ ଅନ୍ତରଙ୍ଗ ମହୁର୍ତ୍ତର ସ୍ମୃତିଚାରଣ କରିଥିଲେ |ବିଶେଷକରି ଓଡ଼ିଶାର ପ୍ରକାଶନ ଜଗତର ଆଦିପୁରୁଷ, ଶ୍ରୀ ମିଶ୍ର ତାଙ୍କର ଉତ୍ତୁଙ୍ଗ ପ୍ରତିଭା ଏବଂ ଅଭୂତପୂର୍ବ ପାରଦର୍ଶିତା ଯୋଗୁଁ ଶ୍ରେଷ୍ଠତ୍ଵ ହାସଲ କରିବାକୁ ସକ୍ଷମ ହୋଇଥିଲେ ବୋଲି ଶ୍ରୀ ମହତାବ ଦର୍ଶାଇଥିଲେ |ବୟୋଜ୍ୟେଷ୍ଠ ସାହିତ୍ୟିକା ମନୋରମା ମହାପାତ୍ର, ପୀତାମ୍ବର ମିଶ୍ର ଜଣେ କର୍ମଯୋଗୀ ଓ ସାର୍ଥକ ବ୍ୟକ୍ତିତ୍ୱ ଥିଲେ ବୋଲି ବର୍ଣ୍ଣନା କରିଥିଲେ | ନିଜର ଅସାଧାରଣ ଅଧ୍ୟବସାୟ, ଅନନ୍ୟ ନିଷ୍ଠା, ଅସମ୍ଭବ ସହିସ୍ନୁତା, ଅଦମ୍ୟ ଆତ୍ମପ୍ରତ୍ୟୟ, ଅଭୁତ ଭଗବତ ବିଶ୍ଵାସ, ଅମାୟିକ ହୃଦୟସଂପନ୍ନ, ଏକାନ୍ତ ଶ୍ରଦ୍ଧାଶୀଳ ଓ ଅସାମାନ୍ୟ ଶାଳୀନତା ଯୋଗୁଁ ଶ୍ରୀ ମିଶ୍ର ପ୍ରତିବନ୍ଧକର ପାହାଡ଼ମାଳିକୁ ଅସୁମାରୀ ସୁଯୋଗର ଭଣ୍ଡାରରେ ପରିଣତ କରିପାରିଥିଲେ ବୋଲି ଶ୍ରୀମତୀ ମହାପାତ୍ର ସୁଚାଇଥିଲେ | ପୀତାମ୍ବର ମିଶ୍ରଙ୍କର ଜନ୍ମମାଟି ପଞ୍ଚପଲ୍ଲୀ ଗ୍ରାମର ନିକଟସ୍ଥ ନିବାସୀ ପଦ୍ମଶ୍ରୀ ଡ଼ଃ ପ୍ରତିଭା ରାୟ, ଶ୍ରୀ ମିଶ୍ର ବିଦ୍ୟାପୁରୀର ବିଦ୍ୟାପତି ଏବଂ ତାଙ୍କ ଅଂଚଳର ଗର୍ବ,ଗୌରବ ତଥା ବରପୁତ୍ର ଥିଲେ ବୋଲି ଉଲ୍ଲେଖ କରିଥିଲେ | ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସକ ସଚୀବ ତରୁଣକାନ୍ତି ମିଶ୍ର,ସଦାସର୍ବଦା ଏକ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ପୀତାମ୍ବର ମିଶ୍ର ତାଙ୍କ ଜୀବନରେ ଶତ ସମସ୍ୟାକୁ ସାମନା କରିବା ସତ୍ୱେ ନିଜର ଆତ୍ମସମ୍ମାନକୁ ସୁରକ୍ଷିତ ରଖି ଅବିଶେଷରେ ସିଦ୍ଧି ଓ ସାର୍ଥକତା ପ୍ରାପ୍ତ କରିଥିଲେ ବୋଲି କହିଥଲେ | ପ୍ରତିଷ୍ଠିତ ସାହିତ୍ୟିକା ଶୈଳରାଣୀ ମିଶ୍ର,ସେ ସକାରାତ୍ମକ ସ୍ଵଜନଶୀଳତାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ଦର୍ଶାଇଥିଲେ |

