ବନରକ୍ଷୀ ଯୋଗୁଁ ଦନ୍ତା ହାତୀ ଆକ୍ରମଣରୁ ମୁକ୍ତି ପାଇଲେ ମୁନା

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର ) ବୁଗୁଡା :- ଦନ୍ତାହାତୀ ଓ ବନରକ୍ଷୀ ମୁହାଁ ମୁହିଁ । ଦନ୍ତାହାତୀ ଦଳିଦେବା ପାଇଁ ପାଦ ଟେକି ଥିଲେ ମଧ୍ୟ ଖାକି ପୋଷାକ ଓ ଚିହ୍ନା ମୁହଁ ଦେଖି ବୋଧହୁଏ ବନରକ୍ଷୀଙ୍କୁ ଆକ୍ରମଣ ନକରି ଫେରିଯାଇଥିଲ । ଦନ୍ତାର ଦୟାରୁ ହାତୀର ପାଦତଳୁ ରକ୍ଷା ପାଇଗଲେ ବନରକ୍ଷୀ ମୁନା ଦାସ । ଏହି ଘଟଣା ଘଟିଛି ଜାନୁଆରୀ ୩ ତାରିଖ ଦିନ ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଭାଗବାନପୁର ସେକ୍ସନ ତାଳସର ବିଟର ୭ନଂ କିରିଆମ୍ବା ସଂରକ୍ଷିତ ଜଙ୍ଗଲର ଅନ୍ଧାରୀ ନାଳ ନିକଟରେ। ଅନ୍ଧାରୀ ନାଳ ନିକଟରେ ବନବିଭାଗ ପକ୍ଷରୁ ଚାଲିଛି ଜଙ୍ଗଲ କାମ । ଘଟଣା ସ୍ଥଳରୁ ମାତ୍ର ୨୦ ମିଟର ଦୁରତାରେ ପରିଦର୍ଶନ କରୁଛନ୍ତି ଦକ୍ଷିଣ ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା । ଶ୍ରୀ ବେହେରାଙ୍କ ସାଥିରେ ଅଛନ୍ତି ଏସିଏଫ ଶଙ୍କର୍ଷଣ ବେହେରା, ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ଓ ଭାବବାନପୁର ବନପାଳ । ଏହି ଅଞ୍ଚଳରେ ଏକ ଦନ୍ତାହାତୀ ଏକାକୀ ରହିଥିବା ବେଳେ ବହୁଥର ସେହି ଦନ୍ତାହାତୀକୁ ଦେଖିଛନ୍ତି ଯୁବ ବନରକ୍ଷୀ ମୁନା ଦାସ । ଦନ୍ତା ହାତୀ ମଧ୍ୟ ବହୁଥର ଦେଖିଛି ବନରକ୍ଷୀ ମୁନା ଦାସଙ୍କୁ ।

ମାତ୍ର କେବେବି ଦନ୍ତା ଆକ୍ରମଣ କରିନାହିଁ ବନରକ୍ଷୀ ମୁନାଙ୍କୁ। ହାତୀ ଜାଣିଥିଲାଯେ ବନରକ୍ଷୀ ମୁନା ମୋର ଶତୃ ନୁହଁ ବରଂ ମିତ୍ର । ରବିବାର ଦିନ ଅଳ୍ପ ଦୂରରେ ହାତୀକୁ ଦେଖି କୌଣସି ବ୍ୟକ୍ତି ଗାଡି ହର୍ଣ୍ଣ ବଜାଇବା ଯୋଗୁଁ ହାତୀଟି ଜଙ୍ଗଲ ଆଡକୁ ଶିଘ୍ର ଚାଲି ଆସୁଥିବାବେଳେ ହତାତ୍ ଅନ୍ଧାରୀ ନାଳ ନିକଟରେ ବନରକ୍ଷୀ ମୁନା ଦାସ ସହ ମୁହାଁମୁହିଁ ହୋଇଥିଲା । ହାତୀକୁ ଦେଖି ବନରକ୍ଷୀ ଦୌଡ଼ି ପଳେଇ ଯିବା ବଳେ ତଳେ ପଡିଯାଇଥିଲେ । ଦନ୍ତାହାତୀ ପାଦ ଟେକି ମୁନା ଦାସଙ୍କୁ ଦଳି ଦେବାକୁ ଯାଉଥିବା ବେଳେ ମୁନାଙ୍କ ଖାକି ପୋଷାକ ଓ ମୁହଁକୁ ଦେଖିଲାପରେ ବନରକ୍ଷୀ ତାହାର ଶତୃ ନୁହେଁ ଭାବି ମୁନାଙ୍କୁ ନଦଳି ପାଦ ଫେରାଇ ଚାଲିଯାଇଥିଲା। ମୁନାର ପାଟି ଶୁଣି ଡିଏଫଓ ଶ୍ରୀ ବେହୁରାଙ୍କ ସମେତ ସମସ୍ତ ଅଧିକାରୀ, କର୍ମଚାରୀ ଓ ଶ୍ରମିକମାନେ ଘଟଣା ସ୍ଥଳକୁ ଯାଇ ତଳେ ପଡି ସାମାନ୍ୟ ଆହତ ହୋଇଥିବା ମୁନା ଦାସଙ୍କୁ ଉଦ୍ଧାର କରି ବୁଗୁଡା ମେଡ଼ିକାଲକୁ ନେଇ ପ୍ରାଥମିକ ଚିକିତ୍ସା ପରେ ଫେରିଥିଲେ । ପୃଥିବୀ ପୃଷ୍ଟର ଶ୍ରେଷ୍ଠ ପ୍ରାଣୀ ମନ୍ୟୁଷ, ସାମାନ୍ୟ ଲୋଭ ପାଇଁ ଏହି ଶ୍ରେଷ୍ଠ ପ୍ରାଣୀ ଯେଉଁ ସବୁ ଅଘଟଣ ଘଟାଉଛି ଏହି ବନ୍ୟ ପ୍ରାଣୀ ଦନ୍ତାହାତୀ ଠାରୁ ବହୁତ ଶିଖିବାର ଅଛି ଏଥିରେ ଦ୍ବିମତ ନାହିଁ । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version