ଜିଲ୍ଲାପାଳଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି କୋଭିଡ୍ ଟୀକା ବଣ୍ଟନର ପ୍ରସ୍ତୁତି ସମୀକ୍ଷା କଲେ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର ) ଢେଙ୍କାନାଳ :- ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ଆସି କୋଭିଡ୍ ଟୀକା ବଣ୍ଟନ ନିମନ୍ତେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପ୍ରକାଶଥାଉକି, ଆସନ୍ତା ମାସରେ କୋଭିଡ୍ ଟୀକା ଆସିବାର ସମ୍ଭାବନା ଥିବାରୁ ଏ ବାବଦରେ ଚିକିତ୍ସାଳୟ ପ୍ରାକ୍ ପ୍ରସ୍ତୁତି କରିସାରିଛି। ଜିଲ୍ଲାପାଳ ଟୀକା ଭଣ୍ଡାର ବୁଲି ଦେଖିବା ସହ ଭଣ୍ଡାରରେ ସଂରକ୍ଷଣ କ୍ଷମତା ଯାଞ୍ଚ କରି ସିରିଞ୍ଜ୍ ଓ ଅନ୍ୟାନ୍ୟ ଉପକରଣ ସଂରକ୍ଷିତ ରଖିବା ପାଇଁଁ ଡ଼୍ରାଏ ଷ୍ଟୋରେଜ୍ ରୁମ୍ ବୁଲି ଦେଖିଥିଲେ ।

ଟୀକାକରଣ ନିମନ୍ତେ ମନୋନୀତ ହୋଇଥିବା ସମସ୍ତ କର୍ମଚାରୀଙ୍କ ବିଷଦ ବିବରଣୀ ଅନଲାଇନରେ ପଞ୍ଜିକୃତ ହୋଇଥିବା ବାବଦରେ ପଚାରି ବୁଝିଥିଲେ । ଅତି ଶୀଘ୍ର ସରକାରଙ୍କ ତରଫରୁ ଏଥି ନିମନ୍ତେ ସିରିଞ୍ଜ୍ ଉପଲବ୍ଧ ହେବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏତଦବ୍ୟତୀତ କୋଭିଡ୍ ପ୍ରତିଷେଧକ ଟୀକାକରଣ ନିମନ୍ତେ ହୋଇଥିବା ମାଇକ୍ରୋ ପ୍ଳାନ୍ ସମ୍ବନ୍ଧରେ ଟିକିନିଖି ବୁଝିଥିଲେ। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର, ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର,ଡିପିଏମ୍ ସୋନାଲୀ ପ୍ରିୟଦର୍ଶିନୀ, ଜିଲ୍ଲା ଟୀକା ପରିଚାଳକ ତ୍ରିଲୋଚନ ପରିଡା ଏବଂ ହସ୍ପିଟାଲ ମ୍ୟାନେଜର ଅଲିଭା ଆଦ୍ୟାଦର୍ଶି ଆଚାର୍ଯ୍ୟ ଉପସ୍ଥିତ ଥିଲେ। (ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version