ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରି ବାଜପେୟୀଙ୍କ 96 ତମ ଜନ୍ମଦିନ ପାଳନ – ନୀଳଗିରି

ଓଡ଼ିଶା ତାଜା ନ୍ୟୁଜ (୨୫ ଡିସେମ୍ବର ଶୁକ୍ରବାର ନୀଳଗିରି :- ବୋଧ ହୁଏ, ଅନେକ ଲୋକଙ୍କର ବାଜପେୟୀଜୀଙ୍କୁ ନେଇ କିଛି ନା କିଛି ଅନୁଭୂତି ଥିବ । ରାଜନୀତିକୁ ଆସିବା ଆଗରୁ ସେ ସାମ୍ବାଦିକତା କରୁଥିଲେ । ପଞ୍ଚଜନ୍ୟ, ରାଷ୍ଟ୍ରଧର୍ମ, ବୀର ଅର୍ଜୁନ, ସ୍ଵଦେଶ ଭଳି ପତ୍ରିକାଓ ସମ୍ବାଦପତ୍ର ପାଇଁ ସେ କାର୍ଯ୍ୟ କରିଥିଲେ । ରାଜନୀତିରେ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ । ସେ ଥିଲେ ଅଜାତଶତ୍ରୁ । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ତାଙ୍କର ରାଜନୈତିକ କ୍ୟାରିଅର ପରିବ୍ୟାପ୍ତ ଥିଲା । ଦଶଥର ଲୋକସଭାକୁ ଏବଂ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନୀତି ଓ ଆଦର୍ଶ ତାଙ୍କ ଉପରେ ଖୁବ୍ ପ୍ରଭାବ ପକାଇଥିଲା । ସେ ନେହେରୁଙ୍କ ଦୃଢ ସମାଲୋଚନା କରୁଥିଲେ ଓ ଖୁବ୍ ସମ୍ମାନ ମଧ୍ୟ କରୁଥିଲେ । ଏହା ସମସାମୟିକ ରାଜନୀତିରେ ଖୁବ୍ ବିରଳ। ୧୯୫୭ ମସିହାରେ ଯେତେବେଳେ ବଳରାମପୁର ଆସନରୁ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ, ସେତେବେଳେ ପାର୍ଲିଆମେଣ୍ଟରେ ତାଙ୍କର ଔଜଲ୍ୟ ଦେଖି ସେ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି ନେହେରୁ କହିଥିଲେ, ଯାହାକି ପରେ ସତ୍ୟ ହେଲା ।

ଅଟଳ ବିହାରୀ ବାଜପେୟୀଜୀ ବିଦ୍ୟାଳୟରେ ପଢିବା ସମୟରୁ ଖୁବ୍ ସୁନ୍ଦର କବିତା ଲେଖୁଥିଲେ । ଦଶମ ଶ୍ରେଣୀରେ ପଢିବା ସମୟରେ ସେ “ହିନ୍ଦୁ ତନମନ ହିନ୍ଦୁ ଜୀବନ, ରଗରଗ ହିନ୍ଦୁ ମେରା ପରିଚୟ” କବିତାଟି ରଚନା କରିଥିଲେ ଯାହାକି ଖୁବ୍ ଆଦୃତ ହୋଇ ଥିଲା । ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ୨୩ ଦିନ ଜେଲ୍ ମଧ୍ୟ ଯାଇଥିଲେ।ଅଟଳ ଜୀ ତାଙ୍କର ଜୀବନକାଳ ମଧ୍ୟରେ ସମୁଦାୟ ଚାରୋଟି ରାଜ୍ୟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ମୋରାରଜୀ ଦେଶାଇ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ସମୟରେ ପ୍ରଥମ ବ୍ୟକ୍ତି ଭାବେ ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇଥିଲେ । ସେ ବିପକ୍ଷରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ନରସିଂହା ରାଓ ଜେନେଭାରେ ଭାରତକୁ ପ୍ରତିନିଧିତ୍ଵ କରିବାକୁ ତାଙ୍କୁ ପଠାଇଥିଲେ ଯାହାକି ଅନେକ ଦେଶର ପ୍ରତିନିଧିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।

ପ୍ରଧାନମନ୍ତ୍ରୀ ଥିବା ସମୟରେ ପୋଖରାନ୍ ପରମାଣୁ ପରୀକ୍ଷା, ଲାହୋରକୁ ବସ୍ ଯାତ୍ରା, ସ୍ଵର୍ଣ ଚତୁର୍ଭୁଜର ପରିକଳ୍ପନା ଆଦି ଅଟଳଜୀଙ୍କର ଯୁଗାନ୍ତକାରୀ ପଦକ୍ଷେପ ଥିଲା। ଏକାଧାରରେ ସେ ନରମ ଓ କଠୋର ମଧ୍ୟ ଥିଲେ । ଲାହୋର ବସ୍ ଯାତ୍ରା ଓ କାରଗିଲ୍ ଯୁଦ୍ଧରୁ ଏହା ସ୍ଷଷ୍ଟ ଅନୁମେୟ । ତାଙ୍କର ପ୍ରଧାନମନ୍ତ୍ରୀତ୍ଵ କାଳରେ ଜନଜାତି ଉନ୍ନୟନ ବିଭାଗ ଓ ଉତ୍ତର-ପୂର୍ବ ଉନ୍ନୟନ ବିଭାଗର ଆରମ୍ଭ ହୋଇଥିଲା । ତାଙ୍କ ଭଳି ବ୍ୟକ୍ତିତ୍ଵ ଏବର ରାଜନୀତିରେ ବିରଳ । ଶାସକ ଓ ବିପକ୍ଷ ସମସ୍ତଙ୍କ ସହ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ବାଜପେୟୀଜୀଙ୍କୁ ଶ୍ରଦ୍ଧା କରୁଥିଲେ ଓ ସମ୍ମାନ ଦେଉଥିଲେ। ଆଜିର ରାଜନେତା ମାନଙ୍କୁ ବାଜପେୟୀଜୀଙ୍କ ଜୀବନ ଓ କାର୍ଯ୍ୟଶୈଳୀରୁ ଅନେକ କିଛି ଶିଖିବା ଆବଶ୍ୟକ । ଏ ଦେଶ ଏବେବି ତାଙ୍କୁ ଝୁରୁଛି ଏବଂ ଭବିଷ୍ୟତରେ ମଧ୍ୟ ଝୁରିବ ।  ତାଙ୍କର ପଦଚିହ୍ନ ଚିରଦିନ ପାଇଁ ଭାରତୀୟଙ୍କୁ ଅନୁପ୍ରାଣିତ କରିବ ।  ଅଟଳଜୀ ଙ୍କ ଭଳି ଜନନାୟକଙ୍କ ମୃତ୍ୟୁ ନାହିଁ, ସେ ଅଜୟ, ସେ ଅମର ।  ସେ ଚିର ନମସ୍ୟ । ଆଜି ୯୬ ତମ ଜନ୍ମବାର୍ଷିକୀରେ ତାଙ୍କୁ କୋଟି କୋଟି ପ୍ରଣାମ । (ନୀଳଗିରି,ରିପୋର୍ଟ /ମୁକ୍ତିକାନ୍ତ ନାୟକ)

Exit mobile version