ଜିଲ୍ଲା କଂଗ୍ରେସ ପକ୍ଷରୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର ) ଛତ୍ରପୁର : – ଗଞ୍ଜାମ ଜିଲ୍ଲା କଂଗ୍ରେସ ନେତା ଓ କର୍ମୀମାନେ ସ୍ଥାନୀୟ ଅପର ବସଷ୍ଟାଣ୍ଡ୍ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ରୀ, ସ୍ୱାତୀ, ପିୟୁ, ଆୟୁଷ ଭଳି କୁନି କୁନି ପିଲା ମାନଙ୍କ ସହ ହେଉଥିବା ଅମାନବିୟ ଅପହରଣ ଓ ଦୁଷ୍କର୍ମ ପ୍ରତିବାଦରେ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପରୀ ହତ୍ୟା ମାମଲା ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି। ଦିନକୁ ଦିନ ନାରୀ ନିର୍ଯ୍ୟାତନା, ନାବାଳିକା ଅପହରଣ, ଦୁଷ୍କର୍ମ, ହତ୍ୟା, ଚୋରି ଓ ଡ଼କାୟତି ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ଏସବୁକୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହୋଇଛନ୍ତି ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ନିମନ୍ତେ ମଧ୍ୟ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଏହି ପରିପ୍ରେକ୍ଷୀରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଭେଟି ପ୍ରଦାନ କରିଛନ୍ତି। ଏହି ପ୍ରତିବାଦରେ ବରିଷ୍ଠ କଂଗ୍ରେସ ନେତା ଶମ୍ବୁ ପାଣିଗ୍ରାହୀ, ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଭାଗିରଥି ବେହେରା, ଗଣପତି ବାରିକ, ଜି. ଏରେୟା, ପୂର୍ବତନ ସରପଂଚ ଟି. କ୍ରିଷ୍ଣା ରେଡ୍ଡି, ମହେଶ ଗୌଡ଼, ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ସ୍ୱରୂପା ପାଣିଗ୍ରାହୀ, ଯୁବ କଂଗ୍ରେସର ସଭାପତି ଚିନ୍ମୟ କୁମାର ହୋତା, ବିଜୟ କୁମାର ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଚରଣ ପାତ୍ର, ପ୍ରଶାନ୍ତ ବିଷୋୟୀ, ଅରବିନ୍ଦ ନାୟକଙ୍କ ସମେତ ବହୁ ମହିଳା, ପୁରୁଷ ଓ ଯୁବକମାନେ ଉପସ୍ଥିତ ଥିଲେ । (ରିପୋର୍ଟ/ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version