କୁନି ଝିଅ ‘ପରୀ’କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି ; ଅଭିଯୁକ୍ତ ଚିହ୍ନଟ – ନୟାଗଡ଼

ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର ) ନୟାଗଡ :- ନୟାଗଡ଼ ଜିଲ୍ଲା , ଗତ ଜୁଲାଇ ୨୩ରେ ‘ପରୀ’ର ମୃତଦେହ ଉଲଗ୍ନ ଅବସ୍ଥାରେ ମିଳିଥିଲା । ଏହା ପୂର୍ବରୁ ପରୀ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ ଅଭିଯୋଗକୁ ଗୁରୁତ୍ଵ ଦେଇ ନ ଥିଲା । ଏପରି କି ପରୀର ମୃତଦେହ ମିଳିବା ପରେ ବି ପୁଲିସ ମାମଲାର ଅଭିଯୁକ୍ତମାନଙ୍କୁ ଧରିବାକୁ କୌଣସି ପଦକ୍ଷେପ ନେଇ ନ ଥିଲା । ନିକଟରେ ପରୀର ମା’ବାପା ଭୁବନେଶ୍ଵର ଆସି ଆତ୍ମାହୁତି ଉଦ୍ୟମ କରିବା ପରେ ମାମଲା ଲୋକଲୋଚନକୁ ଆସିଥିଲା । ଏବେ ପରୀକୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିବା ପରେ ଏଭଳି ଜଘନ୍ୟ ଅପରାଧ ପଛରେ କାହାର ହାତ ରହିଛି ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନୟାଗଡ଼ ଜିଲା ଯଦୁପୁରର କୁନି ଝିଅ ‘ପରୀ’କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି । ପରୀ ପୋଷାକରୁ ଏ ସମ୍ପର୍କରେ ପ୍ରମାଣ ମିଳିଛି । ପୋଷାକରେ ସିମେନ୍‌ର ଦାଗ ରହିଥିବା ସୂଚନା ମିଳିଛି । ବୁଧବାର କ୍ରାଇମବ୍ରାଞ୍ଚ ଏସଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି । ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ମଧ୍ୟ ସୂଚନା ଆସିଛି ।

ଅଭିଯୁକ୍ତକୁ ଏସଆଇଟି ଚିହ୍ନଟ କରିଥିବା ଏବଂ ଜଣକ ଯଦୁପୁର ଗ୍ରାମର ବୋଲି କୁହାଯାଉଛି । ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି । ପରୀ ମୃତ୍ୟୁ ମାମଲା କେତେ ବାଟ ଆଗେଇଛି, ତା’ର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏକ ବନ୍ଦ ଲଫାପା ଭିତରେ ସତ୍ୟପାଠ ଦାଖଲ କରାଯାଇଛି । ଆସନ୍ତା ୨୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ।

 

Exit mobile version