ଛତ୍ରପୁରରେ ପୁଣି ଲୁଟେରା ମାତିଲେ : ଘରେପଶି ମହିଳାଙ୍କଠୁ ଝାମ୍ପିଲେ ସୁନା ଚେନ ଓ ମଙ୍ଗଳସୂତ୍ର

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) ଛତ୍ରପୁର :- ଛତ୍ରପୁର ଥାନା ଅନ୍ତର୍ଗତ ନୀଳକଣ୍ଠେଶ୍ୱର ମନ୍ଦିର ରୋଡ଼ସ୍ଥିତ କୋର୍ଟ ଷ୍ଟେସନ ସାହିକୁ ଥିବା ଏକ ଗଳି ନିକଟ ଘରୁ ଆଜି ସକାଳ ୮.୧୫ ମିନିଟ ସମୟରେ ଦୁଇ ଜଣ ଲୁଟେରା ଜଣେ ମହିଳାଙ୍କଠାରୁ ଦେଢ଼ ତୋଳାର ସୁନା ଓ କଳା ମାଳିରେ ଲାଗିଥିବା ମଙ୍ଗଳସୂତ୍ର ଝାମ୍ପି ନେଇ ସେଠାରୁ ଚମ୍ପଟ ମାରିଥିଲେ । ଘଟଣାର ଖବର ପାଇ ଛତ୍ରପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ଏଏସଆଇ ବିଶ୍ୱଜିତ କହଁର ତତକ୍ଷଣାତ ଘଟଣା ସ୍ଥଳକୁ ପହଂଚି ଏହାର ଅନୁଧ୍ୟାନ କରିବା ସହ ପାଖାପାଖି ଅଂଚଳରେ ଥିବା ସମସ୍ତ ଘର ଓ ଦୋକାନଗୁଡ଼ିକରେ ଲାଗିଥିବା ସିସି ଟିଭି ଫୁଟେଜ ଯାଂଚ କରିଥିଲେ।

ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଟାଟା ଜାମସେଦପୁର ଅଂଚଳର ଆଶା ଦେବୀ (୫୭), ସେ ଗତ ୬ ତାରିଖ ଦିନ ଏକ ବିବାହ ଭୋଜି କାର୍ଯ୍ୟରେ ପାତ୍ରପୁର ସାହିରେ ରହୁଥିବା ତାଙ୍କ ଭାଇ ଘରକୁ ଆସିଥିଲେ ।ସୋମବାର ସକାଳ ୮ଟାରେ ସେ ଠାକୁରାଣୀ ମନ୍ଦିର ଦର୍ଶନ କରି ତାଙ୍କ ସମ୍ବର୍କୀୟ ଭଉଣୀ ନିକଣ୍ଠେଶ୍ୱର ମନ୍ଦିର ରୋଡ଼ ସ୍ଥିତ କୋର୍ଟଷ୍ଟେସନ ସାହିକୁ ଯିବା ଗଳି ରାସ୍ତାରେ ଥିବା ସୁଶିଳା ଦଳେଇଙ୍କ ଘରକୁ ଗୋଡ଼ ପକାଇଥିବାବେଳେ ହଠାତ ନମ୍ବର ବିହୀନ ପଲସର ଗାଡ଼ିରେ ଦୁଇ ଜଣ ଦୁର୍ବୃତ ଜଣେ ଗାଡ଼ି ଉପରେ ହେଲମେଟ ପିନ୍ଧି ଷ୍ଟାର୍ଟ କରି ରହିଥିବାବେଳେ ଆଉ ଜଣେ ଦୁର୍ବୃତ ହାତରେ ଗ୍ଲୋବ୍ସ ଓ ମୁହଁରେ ମଙ୍କି କ୍ୟାପ ପିନ୍ଧି ଆଶା ଦେବୀ ତାଙ୍କ ଭଉଣି ସୁଶିଳା ଦେବୀଙ୍କ ଘରକୁ ଯାଉଥିବାବେଳେ ତାଙ୍କ ମୁହଁକୁ ଚାପି ଦେଇ ସୁନା ଓ ମଙ୍ଗଳ ସୂତ୍ର ଧରି ଚମ୍ପଟ ମାରିଥିଲେ ।

ଏ ନେଇ ଆଶା ଦେବୀ ଛତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି । ଛତ୍ରପୁର ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଯୋଗ୍ୟ ଯେ ଗତ କିଛି ମାସ ତଳେ କୋର୍ଟ ଷ୍ଟେସନ ଗଳା ଶଙ୍ଖ ରାସ୍ତାରେ ଶାରଳା ଜୁଏଲର୍ସର ମାଲିକଙ୍କୁ ଆକ୍ରମଣ କରି ସେମାନଙ୍କଠାରୁ ଦୁର୍ବୃତମାନେ ସୁନା, ଟଙ୍କା ଓ ରୂପା ଲୁଟି ନେଇଥିଲେ । ଆଜି ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠାରୁ ସୁନା ଝାମ୍ପି ନେଇଥିବା ଦୁର୍ବୃତମାନେ ପୁଣି ଥରେ ପୋଲିସକୁ ଚ୍ୟାଲେଂଜ ଦେଇଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।(ରିପୋର୍ଟ/ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version