ଦେବଗିରି-ବୁଢିପଦରରେ ମାଉଲି ଚୋରୋ ସଂପନ୍ନ

ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର ରବିବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଦେବଗିରି-ବୁଢିପଦର ଠାରେ ମାଉଲୀ ଚୋରୋ ସଂପନ୍ନ ହୋଇଛି। ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ତଥା ଧାର୍ମିକ ପିଠସ୍ଥଳୀ ଭାବେ ଦେବଗିରି-ବୁଢିପଦର ଖ୍ୟାତ। ଏଠାରେ ବର୍ତ୍ତମାନ ସୁଦ୍ଧା ପ୍ରାଚୀନ ଧର୍ମଧାରା ଦେଖା ଯାଇଥାଏ। ସେହି କ୍ରମରେ ଅଭିଚାର ତନ୍ତ୍ର ଧାରାର ଏକ‌‌‌ ପ୍ରତ୍ୟକ୍ଷ ଦେବୀ ମାଉଲୀ ବୁଢିପଦରରେ ପୋଡ଼ଛାପରେନ ନାମରେ ପୂଜା ପାଇଥାନ୍ତି । ପରମ୍ପରା ଅନୁକ୍ରମେ ଧଙ୍ଗଡାମାଝୀ ପରିବାର ପକ୍ଷରୁ ଦେବୀଙ୍କ ପାଖରେ ଚୋରୋ ପ୍ରଦାନ କରାଯାଇଥାଏ ।

ଶସ୍ୟ ଅମଳ ପରେ ଦେବାଦେବୀଙ୍କ ଶାନ୍ତି ବିଧାନ ପାଇଁ କେଉଁ ଏକ ଆବାହମାନ କାଳରୁ ଏହି ପରମ୍ପରା ଅନୁସୃତ ହୋଇଆସୁଛି। ଦେବାଦେବୀଙ୍କ ଆସ୍ଥାନରେ ଦିଆରି ପଞ୍ଚ ମୁରୁଜର ଯନ୍ତ୍ର ମଣ୍ଡଳ କାଟି ମନ୍ଦାର ଫୁଲ ଓ ଧୁପ ଦୀପ ଦେଇ ଦେବି ଦେବତାଙ୍କୁ ଆବାହନ କରିଥାନ୍ତି। ଏହାପରେ ମାଏଲିଙ୍କୁ ଲାଲଗଞ୍ଜା ଓ ବତକ, ମିରଚୁ ଏବଂ ଠେଙ୍ଗା ଦେବତାଙ୍କୁ ପେଣ୍ଠୀ, ଡଙ୍ଗର ବୁଡାଙ୍କୁ ଧୁବଲା ଝଲିଆ ଗଞ୍ଜା ଓ ବାମନେନବୁଢୀଙ୍କୁ ନାରିକେଳ ସମର୍ପଣ କରାଯାଇଥାଏ ।

ପରମ୍ପରା ଅନୁକ୍ରମେ ମାଟିମାତା ଓ ସମସ୍ତ ଦେବାଦେବୀଙ୍କୁ ମଦ୍ୟ ଅର୍ପଣ କରାଯାଏ। ଖରା ତରା ସହି ଦେବୀ କୃଷି କ୍ଷେତ୍ରର ରକ୍ଷା କରୁଥିବାରୁ ଚାଷୀ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି କୃତଜ୍ଞତା ଜ୍ଞାପନ କରିଥାଏ। ପୂଜା ଶେଷରେ ଉତ୍ସର୍ଗୀକୃତ ବଳୀ ସାମଗ୍ରୀକୁ ରନ୍ଧନ କରି ଭାଇ ବନ୍ଧୁମାନଙ୍କ ସହ ପ୍ରସାଦ ଜ୍ଞାନରେ ଭକ୍ଷଣ କରାଯାଇଥାଏ। (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version